ବାତ୍ୟା ପରେ ବନ୍ୟା ଚିନ୍ତା
ବାତ୍ୟା ‘ୟାସ୍’ପରେ ଏବେ ବନ୍ୟା ବିପଦ । ବୈତରଣୀରେ ବନ୍ୟା ଆସିଥିବା ବେଳେ ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଝାଡ଼ଖଣ୍ଡ ଗାଲିଡିହ ବ୍ୟାରେଜରୁ ବନ୍ୟାଜଳ ନିଷ୍କାସନ ପରେ ତଳମୁଣ୍ଡରେ ସୃଷ୍ଟି ହୋଇଛି ବନ୍ୟାସ୍ଥିତି । ବାଲେଶ୍ୱର ଜିଲ୍ଲା ଜାମଶୋଳାଘାଟ ଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଟପିଛି। ଜାମଶୋଳାଘାଟରେ ବିପଦ ସଙ୍କେତ ୪୯.୧୬ ମିଟର ଥିବା ବେଳେ ଏବେ ୫୦.୮୮ ମିଟର ଦେଇ ଜଳ ପ୍ରବାହିତ ହେଉଛି।
ବାତ୍ୟା ‘ୟାସ୍’ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁଁ ଝାଡ଼ଖଣ୍ଡ ଗାଲୁଡିହି ବ୍ୟାରେଜ୍ ଖୋଲା ଯାଇଛି। ଫଳରେ ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଇଛି। ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ଏସ୍ଆର୍ସି ପ୍ରଦୀପ ଜେନା ଟ୍ୱିଟ୍ କରି କହିଛନ୍ତି । ଡାକବାଜି ଯନ୍ତ୍ର ସାହାଯ୍ୟରେ ନଦୀକୂଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି ।
ସେହିପରି ବୈତରଣୀରେ ବନ୍ୟା ଯୋଗୁ କେନ୍ଦୁଝର ଓ ଯାଜପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାର ପ୍ରଭାବରେ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଭଦ୍ରକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆନନ୍ଦପୁରଠାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ ଥିବାବେଳେ ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗାଠାରେ ପୋଲ ଉପରେ ପାଣି ଚାଲୁଛି । ଫଳରେ କେନ୍ଦୁଝର-ମୟୂରଭଞ୍ଜ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବୈତରଣୀର ବିଭିନ୍ନ ଶାଖା ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ଯୋଡ଼ା ନିକଟରେ ୫୨୦ ନମ୍ବର ଜାତୀୟ ରାଜପଥ ଉପରେ ପାଣି ଚାଲିବାରୁ ଲୁହାପଥର ପରିବହନ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ମୟୂରଭଞ୍ଜରେ କଣ୍ଟା, ଖଇରୀଭଣ୍ଡନ ଓ ବୈତରଣୀ ଆଦି ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ଅନ୍ୟପଟେ, ଅବିଶ୍ରାନ୍ତ ବର୍ଷା ଯୋଗୁ ସୁନ୍ଦରଗଡ଼ ଜିଲ୍ଲାରେ ବ୍ରାହ୍ମଣୀ ଫୁଲୁଥିବାରୁ ବନ୍ୟା ଆଶଙ୍କା ସୃଷ୍ଟିହୋଇଛି ।