ସାରା ଦେଶରେ ଟିକାକରଣ ପୂର୍ବରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଟିକାକରଣ ନେଇ କିଭଳି ପ୍ରସ୍ତୁତି ଚାଲିଛି ତାହା ଉପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ପ୍ରଥମ ପର୍ୟ୍ୟାୟରେ ୩ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବ । ଏ ନେଇ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ଭରଣା କରିବେ ବୋଲି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଘୋଷଣା କରିଛନ୍ତି।
କୋଭିଡ ପରିଚାଳନାରେ ସମସ୍ତ ରାଜ୍ୟର ଭୂମିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି । ୪ଟି ଭ୍ୟାକ୍ସିନ ବ୍ୟବହାର ନେଇ କାର୍ୟ୍ୟ ଚାଲୁଥିବାରୁ ମୁଁ ଗର୍ବିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତର ୧୬ ତାରିଖ ଦିନ ଭାରତରେ ବିଶ୍ୱର ସର୍ବ ବୃହତ୍ତ ଟିକାକରଣ ଅଭିଯାନ ଅନୁଷ୍ଠିତ ହେବ। ଏଥିଲାଗି କେନ୍ଦ୍ର ସରକାର ଦୁଇଟି ‘ମେଡ-ଇନ-ଇଣ୍ଡିଆ’ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି। ଦେଶରେ କରୋନା ଭାଇରସ ମହାମାରୀର ମୁକାବିଲାରେ ରାଜ୍ୟ ସରକାରମାନଙ୍କ ସହଯୋଗକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଏଥି ଲାଗି ବିଶ୍ୱର ଅନ୍ୟ ଦେଶଙ୍କ ତୁଳନାରେ ଭାରତରେ କରୋନା ଏତେଟା ପ୍ରକୋପ କରିପାରିନଥିବା ମୋଦି କହିଛନ୍ତି।
ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମାନଙ୍କୁ କହିଛନ୍ତି କି ସର୍ବପ୍ରଥମେ ଆଗଧାଡିର କରୋନା ଯୋଦ୍ଧା ମାନଙ୍କୁ କିଭଳି ଟିକା ଦିଆଯାଇ ପାରିବ ସେନେଇ ଗୁରୁତ୍ୱ ଦିଅନ୍ତୁ । ସେ ଆହୁରି କହିଛନ୍ତି କି କରୋନା ବିରୋଧ ଲଢେଇରେ ଆମେ ନିର୍ଣ୍ଣାୟକ ସ୍ଥରରେ ପହଂଚିଛୁ । ଭାରତରେ ନିର୍ମାଣ ହେଉଥିବା ଭ୍ୟାକ୍ସିନ ପ୍ରଭାବଶାଳୀ ରହିଛି । କୋଭିଡକୁ ପ୍ରତିହତ କରିବାରେ ଏହା ସଠିକ କାର୍ୟ୍ୟ କରିବ ବୋଲି କହିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ମଧ୍ୟ ବିଶ୍ବର ୫୦ଟି ଦେଶରେ ଭ୍ୟାକ୍ସିନ ପ୍ରସ୍ତୁତି ନେଇ କାର୍ୟ୍ୟ ଜାରି ରହିଛି । ଏବଂ ପାଖାପାଖି ୨.୫ କୋଟି ଭ୍ୟାକ୍ସିନ ନିର୍ମାଣ କରିଛନ୍ତି । କିନ୍ତୁ ସେମାନଙ୍କ ଠାରୁ ଢେର ଆଗରେ ରହିଛି ଭାରତ । ଆଗାମୀ କିଛି ମାସ ମଧ୍ୟରେ ଭାରତରେ ୩୦ କୋଟି କୋଭିଡ ଭ୍ୟାକ୍ସିନ ପ୍ରଦାନ କରାଯିବା ନେଇ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।