ଏପ୍ରିଲ ପହିଲାରୁ କେଉଁମାନେ ନେବେ ଟିକା?
ଦେଶରେ କରୋନା ସଂକ୍ରମଣ ପୁଣି ବଢିଚାଲିଥିବା ବେଳେ ଏହାରି ମଧ୍ୟରେ କରୋନା ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଆସନ୍ତା ଏପ୍ରିଲ ୧ରୁ ଦେଶରେ ୪୫ବର୍ଷ ବୟସରୁ ଉର୍ଦ୍ଧ୍ବ ସମସ୍ତ ନାଗରିକଙ୍କୁ ଦିଆଯିବ କରୋନ ଟିକା। ତୃତୀୟ ପର୍ୟ୍ୟାୟ ଟିକାକରଣରେ ୪୫ କିମ୍ବା ତା’ଠାରୁ ଅଧିକ ବର୍ଷ ବୟସ୍କଙ୍କୁ କରୋନା ଟିକା ପ୍ରଦାନ କରାଯିବ। ଆଜି କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତି ଉପରେ ମୋହର ମାରିଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ଟିକାକରଣ ପାଇଁ ପଞ୍ଜୀକରଣ କରିବାକୁ କହିଛନ୍ତି।
ଏଣିକି ୪୫ ବର୍ଷ ହେଲେ ମିଳିପାରିବ କରୋନା ଟିକା। ଏପ୍ରିଲ ପହିଲାରୁ ୪୫ ବର୍ଷିୟ ଲୋକଙ୍କୁ ବି କରୋନା ଟିକା ଦିଆଯିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏନେଇ ଆଜି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଅନେକ ରୋଗରେ ଆକ୍ରାନ୍ତ ଥିବା ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟିକାଦିଆଯାଉଥିଲା । ଏବେ ଟିକାକରଣ ନିୟମରେ ପରିବର୍ତ୍ତନ ଆଣିଲେ କେନ୍ଦ୍ର ସରକାର। ଜାନୁଆରୀ ୧୬ରୁ ଦେଶରେ ଟିକାକରଣ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମ ପର୍ୟ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା। ଏହାପରେ ୬୦ ବର୍ଷ ବୟସରୁ ଅଧିକ ଓ ୪୫ ବର୍ଷରୁ ଅଧିକ ବୟସ୍କ ବହୁବିଧ ରୋଗରେ ଆକ୍ରାନ୍ତ ଲୋକଙ୍କୁ କରୋନା ଟିକାର ଡୋଜ୍ ଦିଆଯାଇଛି। ଏବେ ଏପ୍ରିଲ ୧ରୁ ଦେଶରେ ରହୁଥିବା ସମସ୍ତ ୪୫ କିମ୍ବା ତା’ଠାରୁ ଅଧିକ ବୟସ୍କ ଲୋକଙ୍କର ଟିକାକରଣ କାର୍ୟ୍ୟକ୍ରମ ହେବ।
କେନ୍ଦ୍ରମନ୍ତ୍ରୀଙ୍କ କହିବାନୁସାରେ, ୪.୮୫ କୋଟି ଲୋକ ଏବେ କୋଭିଡ ଟିକାର ପ୍ରଥମ ଡୋଜ ନେଇ ସାରିଥିବା ବେଳେ ୮୦ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ନେଇସାରିଛନ୍ତି। କରୋନା ସଂକ୍ରମଣ ବଢ଼ୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଟିକାକରଣ ଦ୍ବାରା ସଂକ୍ରମଣକୁ କମ କରାଯାଇ ପାରିବାର ଲକ୍ଷ୍ୟ ରଖି ୪୫ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ବ୍ୟକ୍ତିଙ୍କୁ କରୋନା ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଅନ୍ୟପକ୍ଷରେ ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ଦେଖାବାକୁ ମିଳିଲାଣି। କ୍ରମାଗତ ଭାବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।