ବିବନ ବଖାଣିଲା ୨୨ ବର୍ଷ ତଳର ଲୋମଟାଙ୍କୁରା କାହାଣୀ
ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ସିବିଆଇ ତଦନ୍ତକାରୀ ଟିମ୍ ଆଗରେ ୨୨ ବର୍ଷ ତଳର କାହାଣୀ ବଖାଣିଛି ମୁଖ୍ୟ ଅଭିଯୁକ୍ତ ବିବନ ଓରଫ୍ ବିବେକାନନ୍ଦ ବିଶ୍ବାଳ। ଦୁଇ ଦିନିଆ ସିବିଆଇ ରିମାଣ଼୍ଡରେ ଥିବା ବିବନକୁ ଝାଳବୁହା ଜେରା କରାଯାଇଛି। ଏହା ସହ ୨୨ ବର୍ଷ ତଳେ ଯେଉଁ ସ୍ଥାନରେ ଲୋମଟାଙ୍କୁରା ଘଟଣା ଘଟିଥିଲା ସେହି ସ୍ଥାନକୁ ଅଭିଯୁକ୍ତ ବିବିନକୁ ନେଇ ଦୁଷ୍କର୍ମ ଘଟଣାର ସିନ୍ ରିକ୍ରିଏସନ୍ କରିଛି ସିବିଆଇ ଟିମ୍ ।

ସିବିଆଇ ଟିମ୍ ସହିତ ସ୍ଥାନୀୟ ପୋଲିସ ଅଭିଯୁକ୍ତ ବିବନକୁ ସାଥିରେ ନେଇ ପୁରୀ ମୁଖ୍ୟ ନାଳ କଡେ କଡେ ଯାଇଥିଲେ । ବାରଙ୍ଗ ବ୍ଲକ ମଧୁସୁଦନପୁର ଗାଁ ପଛପଟେ ଥିବା ଏକ ଚାଷ ଜମି ଭିତରକୁ ଯାଇଥିଲେ । ଘଟଣା ବେଳେ ପ୍ରଥମେ ଏହି ସ୍ଥାନକୁ ଅଞ୍ଜନାଙ୍କୁ ଆଣିଥିଲେ ଦୁଷ୍କର୍ମକାରୀ । ଏଠାରେ ଥିବା ଚାଷ ଜମିରେ ୩ ଜଣ ଅପରାଧୀ ବିବନ ବିଶ୍ବାଳ, ଟୁନା ମହାନ୍ତି ଓ ପଦିଆ ସାହୁ ମିଶି ଦୁଷ୍କର୍ମ କରିଥିଲେ । ଏହାପରେ ବିବନ ନିଜ ଘରକୁ ଚାଲିଯାଇଥିଲେ । ପରେ ପଦିଆ ଆଉ ଟୁନା ମିଶି ଅଞ୍ଜନାଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇ ସେଠାରେ ଗଣଦୁଷ୍କର୍ମ କରିଥିଲେ । ବିବନ ବିଶ୍ବାଳକୁ ତାଙ୍କ ପଞ୍ଚାୟତର ୨ ଜଣ ବ୍ୟକ୍ତି ଚିହ୍ନଟ କରିବା ପରେ ବାରଙ୍ଗ ଥାନାରୁ ବିବନଙ୍କୁ ପୁଣି ସିବିଆଇ ହାଜତକୁ ପଠାଇ ଦିଆଯାଇଛି ।
କାର୍ରେ ଅପହରଣ କରିବାଠାରୁ ଆରମ୍ଭ କରି ଲୋମଟାଙ୍କୁରା ଅପରାଧ ଘଟାଇବା ପର୍ୟ୍ୟନ୍ତ ସବୁ ଗୋଟି ଗୋଟି କରି ବର୍ଣ୍ଣନା କରିଛି ବିବନ । ବିବନର ବୟାନ ରେକର୍ଡ କରାଯାଇଛି। ଅପରାଧ ଘଟଇବା ପରେ ବିବନ ୩ ଦିନ ଧରି ବାରଙ୍ଗ ଅଞ୍ଚଳରେ ଲୁଚିଥିଲା। ଏହା ପରେ ଟ୍ରେନ୍ ଯୋଗେ ମଧ୍ୟପ୍ରଦେଶ ପଳାଇଥିଲା। ସେଠାରେ କିଛି ବର୍ଷ ରହିବା ପରେ ମହାରାଷ୍ଟ୍ର ଚାଲି ଯାଇଥିଲା। ତେବେ ଗତ ୫ ବର୍ଷ ହେଲା ବିବନ ପରିବାର ସହ ନିୟମିତ ଯୋଗଯୋଗରେ ରହୁଥିଲା। ଜେରା ବେଳେ ସେ ଏହି କଥା କହିଥିବା ଜଣାପଡ଼ିଛି।
୨୨ ବର୍ଷ ପରେ ବିବନ ଧରା ପଡ଼ିଥିବାରୁ ତା ବିରୋଧରେ ସିବିଆଇ ଯଥେଷ୍ଟ ପ୍ରମାଣ ଯୋଗାଡ଼ କରିବାକୁ ଦିନରାତି ଏକ କରି ଦେଇଛି। କମିସନରେଟ ପୁଲିସ ବିବନକୁ ପୁଣେ-ଲୋନାଵାଲା ରାସ୍ତାର ଆମ୍ବିଭ୍ୟାଲିରୁ ଗିରଫ କରିଥିଲା। ଗତ ୨୨ ତାରିଖରେ ସିବିଆଇ କୋର୍ଟରେ ହାଜର କରିବା ପରେ ବିବନକୁ ଜେଲ୍ ପଠାଇ ଦିଆ ଯାଇଥିଲା।