ହାଇଦର ହିଷ୍ଟ୍ରି… ଆରମ୍ଭରୁ ଏଯାଏଁ
ସରିଲା ଲୁଚକାଳି ଖେଳ । ଗ୍ୟାଙ୍ଗଷ୍ଟରର ହେଲା ଗେମ୍ ଓଭର । ଦୀର୍ଘ ୫ ଦିନ ହେବ ଯେଉଁ ଚୋର ପୋଲିସର ଖେଳ ଚାଲିଥିଲା ତାର ପୂର୍ଣ୍ଣଚ୍ଛେଦ ଟାଣିଲା ପୋଲିସ । ଶେଷରେ ପୋଲିସ ହାବୁଡରେ ପଡିଲା ହାର୍ଡକୋର ଅପରାଧୀ ହାଇଦର । ବାଇକରେ ନିଜ ସହଯୋଗୀ ସହ ଯାଉଥିବା ବେଳେ ହାଇଦରକୁ ମାଡିବସିଥିଲା ପୋଲିିସ । କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ତେଲେଙ୍ଗାନା ସାଙ୍ଗାରେଡ୍ଡି ଅଞ୍ଚଳରେ ହାଇଦର ହାତରେ ହାତକଡି ପକାଇ ତାକୁ ଆଜି ଓଡିଶା ଆଣିଛି । ଆଉ ଏହାରି ଭିତରେ ହାଇଦରର ୮ ସହଯୋଗୀଙ୍କୁ ଉଠାଇଆଣି ପଚରାଉଚୁରା କରୁଛି ପୋଲିସ ।
ତେବେ ଗତ ୫ ଦିନ ହେବ ପୋଲିସର ନିଦ ହଜାଇଥିଲା ହାଇଦର । କଟକ ଏସସିବିରୁ ଚକମା ଦେଇ ଚମ୍ପଟ ମାରିବା ପରେ ପୋଲିସର ପାରିବା ପଣିଆ ଉପରେ ଆଙ୍ଗୁଳି ଉଠିଥିଲା । କହିବାକୁ ଗଲେ ଏତେ ବଡ ଅପରାଧୀ ଖସିଯିବା ପରେ ଏକପ୍ରକାର ଅପବାଦ ମୁଣ୍ଡାଇବାକୁ ପଡିଥିଲା ପୋଲିସକୁ । କେମିତି ଓ କେଉଁ ପରିସ୍ଥିତିରେ ହାଇରଦ ଖସିଲା ତାହା ଖୋଜିବା ଠାରୁ ହାଇଦରକୁ ଧରିବା ଥିଲା ପୋଲିସର ପ୍ରଥମ କାମ । ହାଇଦର ଫେରାର ହେବାର ପ୍ରାୟ ଅଢେଇ ଘଣ୍ଟା ପରେ ପୋଲିସ ପାଖରେ ଖବର ଥିଲେ ବି ସେତେବେଳକୁ ସବୁ ସରିଥିଲା । ପୋଲିସ ନଜରର ଢେର ଅଧିକ ବାଟକୁ ଚାଲିଯାଇଥିଲା ଗ୍ୟାଙ୍ଗଷ୍ଟର । ହାଇଦର ଖସିଯିବା ପରେ ସାରା ରାଜ୍ୟକୁ ଆଲର୍ଟ କରାଗଲା । ସୀମା ସିଲ୍ ହେଲା, ବାଟଘାଟ, ରାସ୍ତା ବଜାରରେ ଚେକିଂ, ବ୍ଲକିଂ ହେଲା । ଗୋଟି ଗୋଟି ଗାଡିକୁ ଅଟକାଇ କଟକର ଭିନ୍ନ ଭିନ୍ନ ଛକରେ ଯାଞ୍ଚ କରାଗଲା । ସିସିଟିଭି ଟ୍ରାକ କରାଗଲା ହେଲେ ହାଇଦରର ଟେର ମିଳିଲାନି । ସମସ୍ତଙ୍କ ଆଖିରେ ଧୂଳି ଦେଇ ହାଇଦର ହଜିଗଲା । ପୋଲିସକୁ ନିଶା ଦେଇ ଗ୍ୟାଙ୍ଗଷ୍ଟର ଫେରାର୍ ହୋଇଗଲା । ମଡିଆରେ ଘନଘନ ହାଇଦର ହେଡଲାଇନ ହେବା ପରେ ପୋଲିସର ଚିନ୍ତା ବଢିଯାଇଥିଲା ଆଉ ଗ୍ୟାଙ୍ଗଷ୍ଟରକୁ ଧରିବାକୁ ଆରମ୍ଭ ହୋଇଥିଲା ଅପରେସନ ହାଇଦର ।
ସେପଟେ ଗତ ମାର୍ଚ୍ଚ ୨୨ରେ ସମ୍ବଲପୁର ଜେଲରୁ କଟକ ଏସସିବି ଆସି ୨୩ରେ ବଡ ମେଡିକାଲରେ ଭର୍ତ୍ତି ହୋଇଥିଲା ହାଇଦର । ସର୍ଜରୀ ୱାର୍ଡର ଏକ କେବିନ ନେଇ ରହିଥିଲା । କେବିନ ପାଇଁ ଆବେଦନ ପରେ ତାକୁ ଏହି ସୁବିଧା ମିଳିଥିଲା । ମାତ୍ର କେବିନର ଫୁଲ ଫାଇଦା ଉଠାଇଥିଲେ ହାଇଦର । ପ୍ରାୟ ୩ ମାସ ତଳୁ ଫେରାର ହେବାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ବେଳେ କଟକ ମେଡିକାଲରୁ ଏହାର କାମ ଆରମ୍ଭ କରିଥିଲା ହାଇଦର । ହାଇଦର ସହ ୬ ପୋଲିସ କର୍ମଚାରୀ ଆସିଥିଲେ ବି ଜଣେ ଡ୍ୟୁଟିରେ ଥିବା ବେଳେ ଅନ୍ୟ ୫ ଜଣ ପାଖରେ ଏକ ଲଜରେ ରହି ମଜାକରୁଥିଲେ । କୁଖ୍ୟାତ ଅପରାଧୀକୁ ୨ ଜଣ ବଧୁକଧାରୀ ପୋଲିସ ଜଗିବାର ନିୟମ ଥିଲେ ବି ଜଣଙ୍କୁ ଛାଡି ସବୁ ଲଜରେ ମସ୍ତି କରୁଥିଲେ । ଆଉ ଏହି ସମୟରେ ହାଇଦରର ପୁଅ ସମେତ ବିଭିନ୍ନ ସହଯୋଗୀ ତା କେବିନକୁ ଆସୁଥିଲେ । ସରକାରୀ ହସ୍ପିଟାଲରେ ଫ୍ୟାନ ଖରାପ ଥିବାରୁ ହାଇଦର ପାଇଁ କୁଲର ବ୍ୟବସ୍ଥା କରିଥିଲେ ସହଯୋଗୀ । ଏହି ଯାଆସ ଭିତରେ ସର୍ଜରୀ ୱାର୍ଡରୁ ଖସିବାର ବାଟ ଦେଖୁଥିଲେ ସହଯୋଗୀ । ଆଉ ୧୦ ତାରିଖ ଶନିବାର ଦିନ ପୋଲିସକୁ ବିରିୟାନୀ ଭିତରେ ନିଶା ଦେଇ ଖସିଯାଇଥିଲା ହାଇଦର । ତେବେ ସିନେମା ପରି ଏସସିବିରେ ଏସବୁ ଘଟଣା ଗୋଟେ ପରେ ଗୋଟେ ଘଟୁଥିଲେ ବି ପୋଲିସ ଜାଣି ପାରୁନଥିଲା କେମିତି ନା ପୋଲିସର ଏଥିରେ ହାତ ଅଛି ତାହା ତଦନ୍ତ ପରେ ଜଣାପଡିବ ।
ହାଇଦର ଅପରାଧର ଇତିହାସ
ହାଇଦର ବିରୋଧରେ ରହିଛି ଅନେକ ଚାଞ୍ଚଲ୍ୟକର ଅପରାଧର ଅଭିଯୋଗ । ସେ ସୋଲେମାନ ହେଉ କି ସେକ୍ ଚୁନା ଅବା ରଶ୍ମିରଞ୍ଜନ ହତ୍ୟାକାଣ୍ଡ । ବହୁ ଚର୍ଚ୍ଚିତ ହତ୍ୟା ସହ ଜେଲରେ ଅପରାଧୀଙ୍କ ସହ ଗଣ୍ଡଗୋଳ କରିବାରେ ଓସ୍ତାଦ ଥିଲା ହାଇଦର । ତେବେ ୨୦୦୯ ଜୁଲାଇ ୩୧ ତାରିଖରେ କେନ୍ଦ୍ରାପଡା ଗରପୁର ଗାଁର ୨୦ କିଲୋମିଟର ଦୂରକୁ ନେଇ ଗ୍ୟାଙ୍ଗଷ୍ଟର ସୋଲେମାନକୁ ହତ୍ୟାକରାଯାଇଥିଲା । ସୋଲେମାନର ବଡିଗାର୍ଡ ମାନେ ହିଁ ତାକୁ ହତ୍ୟା କରିଥିଲେ । ଠିକାଦାରୀକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିଲେ ବି ହାଇଦରକୁ ଗିରଫ କରି ପରେ ଦୋଷମୁକ୍ତ କରାଯାଇଥିଲେ ।
ସେହିପରି ୨୦୦୫ରେ ସୋଲେମାନର ସାନ ଭାଇ ଚୁନାକୁ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲ ଛକ ନିକଟରେ ହତ୍ୟା କରାଯାଇଥିଲା ଯେଉଁଥିରେ ହାଇଦରକୁ ଗୁରଗାଓଁରୁ ଗିରଫ କରାଯାଇଥିଲା । ଅନ୍ୟପଟେ ୨୦୦୭ରେ କେନ୍ଦୁଝରର ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ହତ୍ୟା କରିଥିଲା ହାଇଦର । ଯେଉଁ ମାମଲାରେ ୨୦୧୫ରେ ତାକୁ ଆଜୀବନ ଜେଲ ହୋଇଥିଲା । ପ୍ରଥମେ ତାକୁ ଝାରପଡା ଜେଲରେ ରଖାଯାଇଥିଲେ ବି ୨୦୧୬ରେ ଧଳସାମନ୍ତ ଭାଇ ଗିରଫ ପରେ ୨୦୧୭ରେ ହାଇଦର- ସୁଶାନ୍ତ ଧଳସାମନ୍ତ ମୁହାଁମୁହିଁ ହୋଇଥିଲେ । ଯାହାପରେ ହିଁ ସମ୍ବଲପୁର ସର୍କଲ ଜେଲ ପଠାଯାଇଥିଲା । ଆଉ ସେଠାରୁ ଚିକିତ୍ସା ବାହାନା କରି କଟକରୁ ଫେରାରର ଫାଶ ବୁଣିଥିଲା ହାଇଦର ।
ରିକ୍ସାବାଲାରୁ ଗ୍ୟାଙ୍ଗଷ୍ଟର
କୁଖ୍ୟାତ ଅପରାଧୀ ବନିବା ପୂର୍ବରୁ ହାଇଦର ଥିଲା ଜଣେ ରିକ୍ସାଚାଳକ । କେନ୍ଦ୍ରାପଡାରେ ରିକ୍ସାଟାଣି ରୋଜଗାର କରୁଥିଲା ହାଇଦର । ଶବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡାରୁ ଯେଉଁ ଶବ କଟକ ଆସେ ତାକୁ ନେବା ଆଣିବା କରେ ହାଇଦର । ରିକ୍ସାରୁ ଟ୍ରେକର ପରେ ଟ୍ରକ ଚଳାଇଥିଲେ ବି ୧୯୮୦ ପରେ ସେ ଅପରାଧ ଦୁନିଆରେ ପାଦ ଥାପିଲା । ଆଉ ଗୋଟେ ପରେ ଗୋଟେ ଅପରାଧ ଘଟାଇ ସେ ବନିଗଲା ଗ୍ୟାଙ୍ଗଷ୍ଟର ।