ଛନକା ପଶାଇଲା ଛତିଶଗଡ଼
ପଡୋଶୀ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହାକୁ ଦେଖି ତତ୍ପର ହୋଇପଡିଛନ୍ତି ରାଜ୍ୟ ସରକାର । ଶୁକ୍ରବାର ଦିନ କରୋନା ନିୟମ କଡାକଡି କରିବାକୁ ସ୍ୱାସ୍ଥ୍ୟବିଭାଗର ଚିଠି ପରେ ନିୟମ କଡାକଡି କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଚିଠି ଲେଖି ତାଙ୍କ ଜିଲ୍ଲାରେ କୋଭିଡ୍ ଗାଇଡଲାଇନ୍ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମହରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ, ପଂଜାବ ଓ ଛତିଶଗଡରେ ଯେପରି ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇଛି ତାକୁ ଦେଖି ସତର୍କ ହୋଇଯାଇଛନ୍ତି ଓଡିଶା ସରକାର । ଓଡିଶାରେ ଯେପରି ସ୍ଥିତି ନଉପୁଜେ ସେଥିପାଇଁ କୋଭିଡ ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ପଡୋଶୀ ରାଜ୍ୟ ଛତିଶଗଡରେ କରୋନା ସଂକ୍ରମଣ ବୃଦ୍ଧି ଓଡିଶା ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ପଡୋଶୀ ରାଜ୍ୟରୁ ପ୍ରତିଦିନ ହଜାର ହଜାର ଲୋକଙ୍କ ଯାତାୟାତ ଲାଗି ରହିଥାଏ । ତେବେ ସ୍ୱାସ୍ଥ୍ୟବିଭାଗର ଚିଠି ପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଚିଠି ଲେଖି ତାଙ୍କ ଜିଲ୍ଲାରେ କୋଭିଡ୍ ଗାଇଡଲାଇନ୍ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ ସ୍ଥାନରେ ମାସ୍କ ଓ ସାମାଜିକ ଦୂରତା ପାଳନ କରିବାକୁ ସେ ଚିଠି ଲେଖିଛନ୍ତି । ବିଶେଷକରି ମାର୍କେଟ ଓ ଧର୍ମାନୁଷ୍ଠାନ ଅଞ୍ଚଳରେ ଏବେ ଗହଳି ଦେଖିବାକୁ ମିଳୁଛି । ତେଣୁ ଏହି ସ୍ଥାନରେ ଯେପରି ସଠିକ୍ ଭାବେ କୋଭିଡ୍ ଗାଇଡଲାଇନ୍ ପାଳନ ହେବ ସେନେଇ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସର୍ବସାଧାରଣ ସ୍ଥାନ ଓ ଅଫିସରେ ମାସ୍କ, ସାନିଟାଇଜେସନ ଓ ସାମାଜିକ ଦୂରତା ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଯଦି କେହି ଲୋକ ସଂକ୍ରମିତ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରିବେ । ପ୍ରତି ବ୍ଲକରେ ତହସିଲଦାର, ବିଡିଓ ଓ ଥାନା ଆଇଆଇସି କୋଭିଡ୍ ନିୟମ କଡାକଡି କରିବା ସହିତ ମାସ୍କ ଚେକିଂ କରିବାକୁ କୁହାଯାଇଛି । ଏହାସହ ଆଶା, ଅଙ୍ଗନବାଡି ଓ ଏଏନଏମ୍ ଦିଦି ମାନେ ସେମାନଙ୍କର ଅଞ୍ଚଳରେ ତୀକ୍ଷଣ ନଜର ରଖିବାକୁ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।ଏହାସହ ବଜାର ଅଞ୍ଚଳରେ ଦୋକାନୀ ଓ ଗ୍ରାହକମାନେ କୋଭିଡ୍ ନିୟମ ଅନୁପାଳନ ଓ ବସରେ ସାମାଜିକ ଦୂରତା ପାଳନ କରିବାକୁ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।