THE BYAPINI

ହତ୍ୟା ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିଲେ, ଏବେ ପରୀ ପାଇଁ ନ୍ୟାୟ ମାଗୁଛନ୍ତି !

Get real time updates directly on you device, subscribe now.

ବଡ ବିଚିତ୍ର ପରିସ୍ଥିତି । ନ୍ୟାୟ ପାଇଁ ଲଢେଇ ଚାଲିଛି ନା ରାଜନୈତିକ ସ୍ୱାର୍ଥ ପାଇଁ ବୁଝାପଡୁନି । ନେତା ହାଉଯାଉ ହେଉଛନ୍ତି, ପଦଯାତ୍ରା କରୁଛନ୍ତି ଅପରାଧୀକୁ ଧରିବା ପାଇଁ । ହେଲେ ଅପରାଧୀ ଧରାପଡିବା ପରେ କାଳେ ଆନ୍ଦୋଳନକାରୀଙ୍କ ମୁଖା ଖୋଲିଯିବ ସେଥିପାଇଁ ଦୋମୁହାଁ ନୀତି ଦେଖାଇବାକୁ ବି ପଛାଉ ନାହାନ୍ତି । ଏହି କ୍ରମରେ ବିଜେପି ନେତା ରଖୁଥିବା ବୟାନ ଅତି ରୋଚକସ୍ଥିତି ସୃଷ୍ଟି କରୁଛି । ଅରୁଣ ସାହୁଙ୍କ ଇସ୍ତଫା ଏବଂ ସିବିଆଇ ସତଦନ୍ତ ଦାବିରେ ଦଳ ରାଜରାସ୍ତାରେ ପଦଯାତ୍ରା କରୁଛି, ହେଲେ ଏଥିରେ ଆନ୍ତରିକତା କମ୍ ଆଉ ରାଜନୀତି ବେଶୀ ବୋଲି ସ୍ପଷ୍ଟ ଭାବେ ପ୍ରମାଣିତ ହେଉଛି ।

ଏହି କ୍ରମରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ରଖୁଥିବା ବୟାନକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଏସଆଇଟି ଲିଖିତ ନାଟକ ପରିବେଷଣକଲା ବୋଲି ଗୋଲକ ବୟାନ ରଖୀଲେ । ଏସଆଇଟି ତଦନ୍ତ କରି ଅପରାଧୀକୁ ଧରିଲା । ଏବେ ସିବିଆଇକୁ ମାମଲା ଦେଇ ଦିଆଯାଉ । ଯଦି ସଠିକ ତଦନ୍ତ ହୋଇଥିବ ସିବିଆଇ ମୋହର ମାରିଦେବ । ଏହି ବୟାନରୁ ଗୋଟିଏ କଥା ସ୍ପଷ୍ଟ ଅପରାଧୀ ଧରାପଡୁ ବୋଲି କେବେ ମଧ୍ୟ ବିଜେପି ଚାହୁଁନଥିଲା । ବରଂ ନିଜ ଦାବି କେମିତି ବଜାୟ ରଖିବ ଏବଂ ସେଥିରେ ଦଳ ବିଜୟ ଲାଭ କରିବ ସେଥିପାଇଁ ସେମାନେ ଅଧିକ ଚିନ୍ତିତ । ଗୋଟିଏ ୫ ବର୍ଷର ନାବାଳିକା ଯେଉଁ ଭଳି ଘଟଣାର ଶୀକାର ହୋଇଛି, ତାକୁ ନେଇ ରାଜନୀତି କରିବା ପାଇଁ କିଭଳି ଗୋଟିଏ ଦଳ ଆଗଭର ହୋଇପାରୁଛି, ତାକୁ ନେଇ ବଡ ପ୍ରଶ୍ନଚିହ୍ନ ସୃଷ୍ଟି ହେଉଛି । କେଉଁ ମାନସିକତା ରଖୀଲେ ଜଣେ ଏଭଳି କାର୍ଯ୍ୟ କରିପାରିବ?

ଗୋଲକ ମହାପାତ୍ର ହେଉଛନ୍ତି ସେହି ନେତା ଯାହାଙ୍କ ନାଁରେ ହତ୍ୟା ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାର ମାମଲା ଚାଲିଛି । ୨୦୧୭ରେ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ଅଭିଯୁକ୍ତ କୁହାଯାଉଥିବା କୃଷ୍ଣ ନାୟକଙ୍କୁ ରାଜ୍ୟରୁ ଖସାଇ ରାଜ୍ୟ ବାହାରେ ସୁରକ୍ଷିତ ଭାବେ ଉତ୍ତରାଖଣ୍ଡରେ ରଖିବାର ବ୍ୟବସ୍ଥା କୁଆଡେ ଗୋଲକ ମହାପାତ୍ର କରିଥିଲେ । ଆଉ ସେଥିପାଇଁ ତାଙ୍କୁ ନୋଟିସ୍ ବି ହୋଇଥିଲା, ସେ ହାଜର ବି ହୋଇଥିଲେ । ଜଣେ ହତ୍ୟାକାରୀଙ୍କୁ ସୁରକ୍ଷା ଦେଉଥିବା ନେତା ଆଜିର ଦିନରେ ନ୍ୟାୟ ପାଇବାର କଥା କହୁଛନ୍ତି । ବଡ କଥା ହେଉଛି, ଯଦି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଉପରେ ଦଳର ଏତେ ଭରଷା, ତେବେ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା ସିବିଆଇକୁ ଦେବାକୁ କାହିଁକି ଗୋଲକ ମହାପାତ୍ର ଦାବି କରୁନାହାନ୍ତି? କାରଣ ସେମାନେ ଜାଣିଛନ୍ତି, ଏହି ମାମଲାର ତଦନ୍ତ ହେଲେ ବିଜେପିର କିଛି ତୁଙ୍ଗ ନେତା ଫଶିଯିବେ । ସେଥିପାଇଁ ଚୁପ୍ ରହିବାକୁ ସେମାନେ ଉଚିତ ମଣୁଛନ୍ତି ।

ସେହିଭଳି ଚିଟଫଣ୍ଡ ମାମଲାରେ ରାଜ୍ୟରେ ସିବିଆଇ ତଦନ୍ତ କରୁଛି । ଫଳ କଣ ହୋଇଛି, ତାର ତାଲିକା ଗୋଲକ ମାହାପାତ୍ର ରାଜ୍ୟବାସୀଙ୍କ ସାମ୍ନାରେ ରଖନ୍ତୁ । କେତେ ଜଣ ଗିରଫ ହୋଇଛନ୍ତି, କେତୋଟି ଚାର୍ଜଶିଟ ଦାଖଲ ହୋଇଛି? କେତେ ଲୋକଙ୍କୁ ନ୍ୟାୟ ମିଳିଛି, ସେନେଇ କଣ ବିଜେପି ତଥ୍ୟ ରାଜ୍ୟବାସୀଙ୍କ ସାମ୍ନାରେ ରଖୀପାରିବ? ରାଜ୍ୟରେ ଇତିଶ୍ରୀ ମାମଲାରେ ମଧ୍ୟ ସିବିଆଇ ତଦନ୍ତ କରିଥିଲା, ହେଲେ ପାଇଲା କଣ? ବରଂ ମାମଲା ବର୍ଷ ପରେ ବର୍ଷ ଚାଲିଲା । ଗୋଟିଏ ରାଜନୈତିକ ଦଳ ଭାବେ ଆନ୍ଦୋଳନ କରିବା ସେମାନଙ୍କ ଅଧିକାର, ହେଲେ ଗୋଟିଏ ନାବାଳିକାର ମୃତଦେହ ଉପରେ ରାଜନୀତି କରିବା କେତେଦୁର ସମୀଚିନ ତାକୁ ନିଜର ଅନ୍ତରାତ୍ମାକୁ ପଚାରିବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.