THE BYAPINI

ତାରିଣୀ ପାଖେ ପହଞ୍ଚିଲା ତାଲାବନ୍ଦର ନଡିଆ । ସେତୁ ସାଜିଲେ ସବ୍ୟସାଚୀ…

Get real time updates directly on you device, subscribe now.

ମାନସିକ ନଡିଆ ସହ ଯୋଡି ହୋଇ ରହିଥାଏ ଦୁଃଖୀରଙ୍କୀଙ୍କ ଆକୁଳ ନିବେଦନ, ବିକଳ ପ୍ରାର୍ଥନା । ସଂସାର ଉପରେ ଟିକେ ଦୁଃଖ ଆସିଲେ, ଟିକେ ଝଡଝଞ୍ଜା ଆସିଲେ ତାରିଣୀ ମାଆକୁ ସୁମରି ହାତଟେକି ଦିଏ ଭକ୍ତ । କେଉଁଠି ରୋଗୀଣା ଛୁଆ ପାଇଁ ମାଆ ତାରିଣୀ ପାଖେ ନଡିଆ ମାନସିକ ରଖେ ତ କେଉଁଠି ସ୍ତ୍ରୀଟିଏ ଯନ୍ତ୍ରଣା ପାଉଥିବା ସ୍ୱାମୀର ସୁସ୍ଥ ଜୀବନ କାମନା ପାଇଁ ମାଆକୁ ନଡିଆ ଯାଚିଥାଏ । ମାନସିକ ନଡିଆ ଓଡିଆ ପରମ୍ପରା ସହ ଓତଃପୋତ ଭାବେ ଜଡିତ । ପ୍ରତିଟି ନଡିଆ ପଛରେ ଲୁଚି ରହିଥାଏ ଗୋଟେ ପରିବାରର ଆଶା, ଘରର ଭରସା । ସେଇଥିପାଇଁ ତ ସବୁ ଶୁଭକର୍ମରେ ତାରିଣୀ ପାଖକୁ ନଡିଆଟିଏ ପଠାଇଦିଏ ଭକ୍ତ । ଆଉ ସବୁ ସମୟରେ ଘଟଗାଁ ଯିବା ସମ୍ଭବ ନଥିବାରୁ ଗାଡିବାଲା ସହ ଦେଇ ଦୂରରୁ ମୁଣ୍ଡିଆ ମାରେ ଭକ୍ତ । ଆଉ ଭକ୍ତର ଭକ୍ତିର ନଡିଆ ନେଇ ତାରିଣୀ ପୀଠରେ ପହଞ୍ଚାଇ ଦିଅନ୍ତି ଗାଡିବାଲା ।

ସବୁ ଛକ ବଜାର କିମ୍ବା ବିଭିନ୍ନ ଜିଲ୍ଲାର ବସ ଷ୍ଟାଣ୍ଡରେ ମାଆ ତାରିଣୀ ପାଖରୁ ନଡିଆ ପଠାଇବାକୁ ଜାଗା ରହିଥାଏ । ଲୋକେ ସେହି ସ୍ଥାନରେ ନଡିଆ ଦେଇ ପଳାଇଯାଆନ୍ତି । ଆଉ ଗାଡିବାଲା ଉକ୍ତ ନଡିଆକୁ ଘଟଗାଁ ନେଇଯାଆନ୍ତି । କିନ୍ତୁ କରୋନା କଟକଣା ପାଇଁ ଗାଡିଘୋଡା ଚାଲିବାରେ ପ୍ରତିବନ୍ଧକ ଲାଗିବା ପରେ ଚଳାଚଳ ଠପ ହୋଇଗଲା । ବସ, ଟ୍ରକ ଚାଲୁନଥିବାରୁ ଭକ୍ତ ବି ନଡିଆ ନେଇ ଘଟଗାଁ ଯାଇପାରିଲାନି କି ଛକରେ ପଡିରହିଥିବା ନଡିଆ ଠିକଣା ଜାଗାକୁ ଯାଇପାରିଲାନି । ଲକଡାଉନର ଅବଧି ବଢିବା ସଙ୍ଗେସଙ୍ଗେ କାଳକ୍ରମେ ଗଦା ହୋଇଥିବା ନଡିଆ ପଚିବାକୁ ଆରମ୍ଭ କଲା । ଅନେକ ମାନସିକ ନଡିଆ ଖରା, ବର୍ଷା ମାଡରେ ପଚି ଦୁର୍ଗନ୍ଧ ହେଲା । ଯେଉଁଥିପାଇଁ ପରିବେଶ ବି ଦୂଷିତ ହେଉଥିଲା । ଆଉ ଏହି ଘଟଣା ଯେବେ ଅଭିନେତା ତଥା ଗରିବଙ୍କ ଦୁଃଖ ବେଳର ଦରଦୀ ବନ୍ଧୁ ସବ୍ୟସାଚୀଙ୍କ ଆଖିରେ ପଡିଲା ତାହା ତାଙ୍କୁ ବ୍ୟଥିତ କଲା । ଆଉ ସଙ୍ଗେସଙ୍ଗେ ସମସ୍ତ ନଡିଆକୁ ମାଆଙ୍କ ପୀଠରେ ପହଞ୍ଚାଇବାକୁ ବ୍ୟବସ୍ଥା କରିଛନ୍ତି ।

ଭକ୍ତଟିଏ ଯେଉଁ ଭାବରେ ମାଆକୁ ନଡିଆ ଯାଚେ ତାହା ଯେତେବେଳେ ପୀଠକୁ ନଯାଇ ଏଣେତେଣେ ପଡେ ସେତେବେଳେ ଭକ୍ତର ଭାବାବେଗକୁ ଆଘାତ ହୁଏ । ଯାହାକୁ ଭଲରେ ବୁଝିଛନ୍ତି ସବ୍ୟସାଚୀ । ବୋଧେ ସେଇଥିପାଇଁ ଯେଉଁଠି ଯେଉଁଠି ମାନସିକ ନଡିଆ ପଡି ରହିଥିଲା ସେସବୁକୁ ଏକ ଟ୍ରକ ମାଧ୍ୟମରେ ଘଟଗାଁ ପଠାଇଛନ୍ତି ସବ୍ୟ । ଭୁବନେଶ୍ୱରର ବରମୁଣ୍ଡା, ସିଆରପି ଛକ, ଫାୟାର ଷ୍ଟେସନ, ଆଚାର୍ୟ୍ୟବିହାର, ବାଣୀବିହାର, ରସୁଲଗଡରୁ ନଡିଆକୁ ବସ୍ତାରେ ଭରି ପଠାଇଛନ୍ତି । ତେବେ ଖାଲି ଭୁବନେଶ୍ୱର ନୁହେଁ କଟକ, ଚଣ୍ଡିଖୋଲ, ପାଣିକୋଇଲି ଆଦି ସ୍ଥାନରୁ ବି ତାଲାବନ୍ଦରେ ପଡିରହିଥିବା ମାଆ ତାରିଣୀଙ୍କ ନଡିଆ ଘଟଗାଁରେ ପହଞ୍ଚାଇଛନ୍ତି ସବ୍ୟସାଚୀ । ତେବେ ସବ୍ୟଙ୍କର ଏହି ମହତ କାମ ଭକ୍ତଙ୍କ ମନକୁ ଛୁଇଁଥିବା ବେଳେ ଅନେକ ଲୋକ ତାଙ୍କ ପାଇଁ ମାଆ ତାରିଣୀଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ଲକଡାଉନ ବେଳେ ଆଉ ଲକଡାଉନ ପରେ ବି ଅନେକ ଜନହିତକର କାମ କରି ଲୋକଙ୍କ ହୃଦୟର ମଣିଷ ପାଲଟିଛନ୍ତି ହିରୋ ସବ୍ୟସାଚୀ ।

Get real time updates directly on you device, subscribe now.

Leave A Reply

Your email address will not be published.