ଅପରାଜିତାଙ୍କ କ୍ୟାମ୍ପ ମୁହାଁ ଦୁଇ ଏଡିଟର୍ ?
ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ‘ଅନ୍ନପୁର୍ଣ୍ଣା’ ନାମକ ଏକ ନୁଆ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହାରି ଜରିଆରେ ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇଦେବାକୁ ଉଦ୍ୟମ ହୋଇଛି । ଅପରାଜିତାଙ୍କ ଏହି ଉଦ୍ୟମକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଗଳିକନ୍ଦିରେ ଏହି କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆମ ପ୍ରତିନିଧିଙ୍କ ନଜର ଏକ ନିର୍ଦ୍ଦିଷ୍ଟ ଦିଗ ଆଡକୁ ଯାଇଥିଲା । ଅନେକ ଗଣମାଧ୍ୟମ ପ୍ରତିନିଧି ସେଠାରେ କାର୍ଯ୍ୟକ୍ରମ କଭରେଜ ପାଇଁ ଯାଇଥିଲେ । ଆଉ ଏହାରି ଭିତରେ ଦୁଇ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ଦେଖିବାକୁ ମିଳିଥିଲା । ଏହି ଦୁଇ ଜଣ ବରିଷ୍ଠ ସାମ୍ବାଦିକ ହେଲେ ରାଜ୍ୟର ଦୁଇ ପ୍ରତିଷ୍ଠିତ ଗଣମାଧ୍ୟମର ସମ୍ପାଦକ । ଗଣମାଧ୍ୟମର ପ୍ରତିନିଧି ସେଠାକୁ ଖବର ସଂଗ୍ରହ ପାଇଁ ଅସିଥିବା ବେଳେ ରାଜ୍ୟର ତଥାକଥିତ ୧ ନମ୍ବର ଓ ୨ ନମ୍ବର ଚ୍ୟାନେଲ ସମ୍ପାଦକଙ୍କୁ ସେଠି ଦେଖି ହଠାତ୍ ଅନେକ ତାଜୁବ ହୋଇଯାଇଥିଲେ ।
ମିଡିଆ ସର୍କଲରେ କଥା ଘୁରିବୁଲିଲା । କିଏ କହିଲା ବଡ କାର୍ଯ୍ୟକ୍ରମ ଯେହେତୁ ବଡ ଲୋକଙ୍କୁ ସାଂସଦ ଡାକିଥାଇ ପାରନ୍ତି, ଆଉ କିଏ କହିଲା ଅନ୍ୟ ଚ୍ୟାନେଲର ସମ୍ପାଦକ ଆସିଲେ ନାହିଁ ଏହି ଦୁଇ ଚ୍ୟାନେଲର ସମ୍ପାଦକ କାହିଁକି ଆସିଲେ? ଏହାକୁ ନେଇ ଅନେକ ସରଗରମ ଚର୍ଚ୍ଚା ଚାଲିଲା । ବଡ କଥା ହେଉଛି ଉଭୟ ଚ୍ୟାନେଲର ମାଲିକଙ୍କ ରାଜନୈତିକ ଅଭିଳାଷା ରହିଛି । ତେଣୁ ନିଜ ନିଜ ଚ୍ୟାନେଲକୁ ସେମାନେ ବ୍ୟବହାର କରି ରାଜନୈତିକ ସଫଳତା ପାଇବାକୁ ଆଶା ରଖିଛନ୍ତି । ହେଲେ ଏହି ଦୁଇ ଚ୍ୟାନେଲର ସମ୍ପାଦକ ମାଲିକଙ୍କ ସ୍ୱାର୍ଥହାନୀ ହେଲାଭଳି କାର୍ଯ୍ୟ କରିଥିବା ଏବେ ଚର୍ଚ୍ଚା ହେଉଛି । ସାଂସଦ ମହାଶୟା କଣ କେବଳ ଏହି ଦୁଇ ଚ୍ୟାନେଲର ସମ୍ପାଦକଙ୍କୁ ସ୍ୱତନ୍ତ୍ର ଭାବେ ଡାକିଥିଲେ ନା ଅନ୍ୟ ସବୁ ଚ୍ୟାନେଲ ଓ ପେପରର ସମ୍ପାଦକଙ୍କୁ ଡାକିଥିଲେ ତାହା ସ୍ପଷ୍ଟ ହୋଇନାହିଁ । ନିକଟ ଅତୀତରେ ଅନ୍ୟ କୈାଣସି କାର୍ଯ୍ୟକ୍ରମରେ ଉଭୟଙ୍କୁ କେବେ ଦେଖିବାକୁ ମିଳୁନଥିଲା । ମାତ୍ର ଅପରାଜିତାଙ୍କ କାର୍ଯ୍ୟକ୍ରମରେ ଏକାଠି ବସିବା ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି ।
ଏହାରି ଭିତରେ ଆମ ପ୍ରତିନିଧି ଆଉ ଏକ ବଡ ଦିଗଟିଏ ଦେଖିଥିଲେ । ଉଭୟ ଚ୍ୟାନେଲର ସମ୍ପାଦକ ଏକାଠି ଗୋଟିଏ ଟେବୁଲରେ ବସିଥିଲେ । ଯଦିଓ ଉଭୟ ପରସ୍ପରକୁ ପୁର୍ବରୁ ଜାଣିଛନ୍ତି ଏବଂ ଗୋଟିଏ ଚ୍ୟାନେଲରେ ମଧ୍ୟ କାର୍ଯ୍ୟ କରିଛନ୍ତି ତେଣୁ ଏକାଠି ବସିବାରେ କିଛି ଅସୁବିଧା ନାହିଁ । ହେଲେ ରାଜନୈତିକ ସ୍ଥିତିକୁ ଅନୁଧ୍ୟାନ କଲେ ଏହା ଭିନ୍ନ ଏକ ବାର୍ତ୍ତା ଦେଉଛି । କାରଣ ସମସ୍ତେ ଜାଣିଛନ୍ତି ଏହି ଦୁଇ ଚ୍ୟାନେଲର ସଂପର୍କ ଦୁଇ ଭିନ୍ନ ରାଜନୈତିକ ଦଳ ସହ ରହିଛି । ତେଣୁ ଚ୍ୟାନେଲରେ ଖବର ବେଳେ ତିକ୍ତତା ଆସିଥାଏ । ହେଲେ ଏହି କାର୍ଯ୍ୟକ୍ରମରେ ଏକାଠି ବସି କିଛି ସମୟ କଥା ହେବା ଗଣମାଧ୍ୟମ ମହଲରେ ଚର୍ଚ୍ଚା ଖେଳାଇ ଦେଇଛି । ଏହାରି ଭିତରେ ଅପରାଜିତାଙ୍କ ମିଡିଆ କଥା ବୁଝୁଥିବା ତଥା ସାଂସଦଙ୍କ ଏକାନ୍ତ ସହଯୋଗୀ ଉଭୟଙ୍କ ସହ ଏକାଠି ବସି କିଛି ସମୟ ଆଲୋଚନା ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ବାବଦରେ ଏହି କଥାବାର୍ତ୍ତା ଥିଲା ନା ଆଉ କିଛି, ତାକୁ ନେଇ ମିଡିଆ ସର୍କଲରେ ଆଲୋଚନା ଆରମ୍ଭ ହୋଇଯାଇଛି ।
ସେପଟେ ଅପରାଜିତାଙ୍କ କାର୍ଯ୍ୟକ୍ରମକୁ ମଧ୍ୟ ଅନେକ ଲୋକ ପସନ୍ଦ କରିଛନ୍ତି । ଏହି ଅଭିନବ କାର୍ଯ୍ୟକ୍ରମ ଜରିଆରେ ଅନେକ ଲୋକଙ୍କ ସମସ୍ୟା ଦୁର କରିବାରେ ତଥା ଭୋକକୁ ଦୁରେଇ ରଖିବାରେ ସାଂସଦ ସଫଳ ହେବେ ବୋଲି ମତ ପ୍ରକାଶ ପାଇଥିଲା ।