ସରକାରୀ ସ୍କୁଲ ଦେବ ଉଜ୍ୱଳ ଭବିଷ୍ୟତ
ସରକାରୀ ସ୍କୁଲରେ ପାଠ ପଢାଇବା ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀ ମୁହଁ ଫେରାଇନେଉଛନ୍ତି । କିନ୍ତୁ ସରକାର ଏଭଳି ଏକ ପ୍ରସ୍ତାବ ଆଣିଛନ୍ତି ଯାହା ସରକାରୀ କଲେଜରେ ପଢୁଥିବା ପିଲାଙ୍କ ପାଇଁ ଖୁସି ଆଣିଦେଇଛି । ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସିଟ୍ ସଂରକ୍ଷଣ । ବିଜେଡି ରାଜ୍ୟ ପରିଷଦ ବୈଠକରେ ଏହି ପ୍ରସ୍ତାବଟି ଆସିଛି । ଏହି ପ୍ରସ୍ତାବ ସରକାରୀ ସ୍କୁଲରେ ପିଲାଙ୍କୁ ପାଠ ପଢାଇବା ପାଇଁ ଅଭିଭାବକଙ୍କ ମନରେ ଆଗ୍ରହ ବଢାଇବ ।
ବିଜେଡି ରାଜ୍ୟ ପରିଷଦ ବୈଠକରେ ଅଭିଭାଷଣ ଦେଇ ନବୀନ ପଟ୍ଟନାୟକ କହିଥିଲେ- ମୁଁ ବହୁତ ଖୁସି, ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ପିଲାମାନଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସ୍ଥାନ ସଂରକ୍ଷଣ କରିବା ପାଇଁ ପ୍ରସ୍ତାବ ଆସିଛି । ସେହିପରି ପଛୁଆ ବର୍ଗ ସର୍ଭେ ସମ୍ପର୍କରେ ଭଲ ପ୍ରସ୍ତାବ ଆସିଛି । ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ଏହା ଏକ ମାଇଲଷ୍ଟୋନ ହେବ ବୋଲି ବିଶ୍ୱାସ ଥିବା କହିଛନ୍ତି ନବୀନ । ମହିଳା ସଶକ୍ତିକରଣ ମୋର ସବୁଠାରୁ ପ୍ରିୟ ବିଷୟ । ଏ ସମ୍ପର୍କରେ ଆସିଥିବା ପ୍ରସ୍ତାବକୁ ପ୍ରତ୍ୟେକ କ୍ଷେତ୍ରରେ କାର୍ୟ୍ୟକାରୀ କରିବାକୁ ଚେଷ୍ଟା କରିବା ଲାଗି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏପରିକି ବୈଠକରେ ଯାହା ପ୍ରସ୍ତାବ ପାରିତ ହେବ ତାହାକୁ ସରକାରୀସ୍ତରରେ କାର୍ୟ୍ୟକାରୀ କରିବାକୁ ସେଗୁଡିକୁ ବିଭାଗୀୟ ମନ୍ତ୍ରୀଙ୍କ ନିକଟକୁ ପଠାଯିବ । ଏଥିରେ ଆମ ସାଂଗଠନିକ ସଚିବ ଏହାର ତଦାରଖ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜୁ ଯୁବ ଜନତା ଦଳର ବୈଠକରେ ନବୀନ ଆଞ୍ଚଳିକ ଦଳର ଭୂମିକା ବିଷୟରେ କହିଥିଲେ । ଭାଷା ଭିତ୍ତିରେ ଗଠିତ ହୋଇଥିବା ଗୋଟିଏ ଆଞ୍ଚଳିକ ଦଳର ଭୂମିକା ବିଷୟରେ କହିଥିଲେ । ଆମ ଅନନ୍ୟ ପରିଚୟ ସୁରକ୍ଷା ବିଷୟରେ କହିଥିଲେ ।