ସୁନା ଚୋରିର ହେଲା ପର୍ଦ୍ଦାଫାଶ
କୋରାପୁଟ ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କରୁ ଚୋରି ସୁନାର ହେଲା ପର୍ଦ୍ଦାଫାଶ । ୧ କେଜି ୧୮୯ ଗ୍ରାମ ସୁନା ଜବତ କରିଛି ପୋଲିସ । ପୂର୍ବତନ କର୍ମଚାରୀ ଶେଖର କୁଳଦୀପିଆ ଏହି ସୁନା ଚୋରୀ କରିଥିଲେ । ସମ୍ପୃକ୍ତ କର୍ମଚାରୀ କେମିତି ଚୋରୀ କରିଥିଲେ ସେନେଇ ସବିଶେଷ ସୁଚନା ଦେଇଛି ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୋରାପୁଟ ଏସପି ।
ନାରାୟଣପାଟଣା ବିକ୍ରମପୁର ଅଂଚଳର ଏହି କର୍ମଚାରୀଙ୍କ ଘରୁ ଚୋରୀ ସୁନା ଜବତ ହୋଇଛି । ପୁଲିସ ସିସିଟିଭି ଆଧାରରେ କର୍ମଚାରୀଙ୍କ ଘରେ ଚଢାଉ କରିଥିଲା । ରାତି ସାରା ବ୍ୟାଙ୍କରେ ଲୁଟ୍ କରିଥିଲେ ସମ୍ପୃକ୍ତ କର୍ମଚାରୀ । ଗ୍ରାହକ ହିସାବରେ ଯାଇ ସର୍ଭର ରୁମରେ ଲୁଚି ରହି ଚୋରୀ କରିଥିବା ସୁଚନା ଦେଇଛି ପୋଲିସ । ୧ କେଜି ୧୮୯ ଗ୍ରାମ ସୁନା ଜବତ ସହ ୨ ଲକ୍ଷ ୯୫ ହଜାର ନଗଦ ଟଙ୍କା ଓ ଜମିର କାଗଜ ପତ୍ର ଜବତ କରିଛି ପୋଲିସ । ତେବେ ବଳକା ସୁନାକୁ ବିକ୍ରି କରି ନିଜ ନାଁରେ ଜମି କିଣିବା ସହ କିଛି ନଗଦ ଟଙ୍କା ପାଖରେ ରଖିଥିଲା ଲୁଟେରା ।
ନଭେମ୍ବର ୩୦ ତାରିଖରେ ସୁନା ଚୋରି ହୋଇଥିଲା । କୋରାପୁଟ ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କ ଲକରରୁ ୧ କେଜି ୬୧୦ ଗ୍ରାମ ସୁନା ଗାଏବ ହୋଇଯାଇଥିଲା । ଏହାର ମୂଲ୍ୟ ପ୍ରାୟ ଦେଢ କୋଟି ହେବ । କର୍ମଚାରୀ ଜଣଙ୍କ ୨୧ ପ୍ୟାକେଟ୍ ସୁନା ଚୋରୀ କରିଥିବା ପୋଲିସ ସୁଚନା ଦେଇଛି ।