THE BYAPINI

କୁଆଡେ ଗଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ପାର୍ଟ ୨

Get real time updates directly on you device, subscribe now.

ସଂକ୍ରମଣ ବ୍ୟାପୁଛି, ରୋଗୀ ଅମ୍ଲଜାନ ବିନା ଆଖି ବୁଜୁଛି, ହସ୍ପିଟାଲରେ ବେଡ ମିଳୁନି, ଟିକାକେନ୍ଦ୍ରରେ ତାଲା ଝୁଲୁଛି । ରାଜ୍ୟରେ ମହାମାରୀ ମୁକାବିଲା କିଛି ଏମିତି ଢଙ୍ଗରେ ଚାଲିଛି । ଏଭଳି ସାଂଘାତିକ ସ୍ଥିତିରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କର କିନ୍ତୁ ଦେଖା ମିଳୁନି । ଲାଗୁଛି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିନା ହିଁ ଚାଲୁଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଆଜ୍ଞା ହଁ ଆମେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ କଥା କହୁଛୁ । ଯିଏ ଏବେ ନିଖୋଜ ଥିବା ନେଇ ବିରୋଧୀ ଓ ସାଧାରଣ ଲୋକେ ସୋସିଆଲ ମିଡ଼ିଆରେ ପୋଷ୍ଟ କଲେଣି ।
କରୋନାର କୋପରେ ଏବେ ପୂରା ଦେଶ କଲବଲ ହେଉଛି । ଦିନ ଗଡିବା ସହ ଭୂତାଣୁ ଭୟ ବଢୁଛି । ସଂକ୍ରମଣର ଚେନ ଭାଙ୍ଗିବାକୁ ନୂଆ ନୂଆ ଷ୍ଟ୍ରାଟେଜି ହେଉଛି । ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଦିନ ସମୀକ୍ଷା କରୁଛନ୍ତି । କିନ୍ତୁ ଓଡ଼ିଶାରେ ଏ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । କରୋନାର ଦ୍ୱିତୀୟ ଲହରୀ ଆସିବାର ଦିନ କେଇଟା ଭିତରେ ଉଭାନ ହୋଇଯାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଲାଗୁଛି ରାଜ୍ୟ ସରକାର ବିନା କାରଣରେ ଘରୁ ପଦାକୁ ନ ବାହାରିବାକୁ ଯେଉଁ ପରାମର୍ଶ ଦେଇଥିଲେ ତାହାକୁ ବୋଧହୁଏ ମାନୁଛନ୍ତି ନବ । ମହାମାରୀ ମୁକାବିଲାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ଦେଖା ନଦେବା ଅନେକ ପ୍ରଶ୍ନ ଛିଡା କରିଛି ।

ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ବନ୍ଦ ହୋଇଥିବା ଟିକାକରଣ କାର୍ୟ୍ୟକ୍ରମ ପୁଣି କେବେ ଆରମ୍ଭ ହେବ? ରାଜ୍ୟରେ କେତେ ସଂଖ୍ୟାରେ ବେଡ ଉପଲବ୍ଧ ଅଛି, ରାଜ୍ୟରେ କେତେ ଟିକା ମହଜୁଦ ଅଛି? କେବେ ସୁଦ୍ଧା କେତେ ଟିକା ଆସିବ, ଆବଶ୍ୟକ ସଂଖ୍ୟାରେ ଅକ୍ସିଜେନ ଅଛି କି ନାହିଁ । ଦୈନିକ ସଂକ୍ରମଣରେ ବ୍ରେକ ଦେବାକୁ କଣ ମାଷ୍ଟରପ୍ଲାନ ରହିଛି? କୋ-ୱିନ୍ ୱେବସାଇଟରେ ପଞ୍ଜୀକରଣ ପରେ କେବେ ଟିକା ଦିଆଯିବ ? ଏଭଳି ଅନେକ ପ୍ରଶ୍ନ ଏବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛନ୍ତି ରାଜ୍ୟବାସୀ । ଯାହାର ଉତ୍ତର ଜାଣିବା ପ୍ରତିଟି ଓଡ଼ିଆ ପାଇଁ ନିହାତି ଆବଶ୍ୟକ । କିନ୍ତୁ ଏଭଳି ଅନେକ ପ୍ରଶ୍ନର ଉତ୍ତର ମନ୍ତ୍ରୀ ନୁହଁନ୍ତି ବରଂ ରାଜ୍ୟ ସରକାରଙ୍କ କିଛି ଅଧିକାରୀ ଗଣମାଧ୍ୟମ ସାମ୍ନାରେ ରଖୁଛନ୍ତି । ଯାହା ମନ୍ତ୍ରୀଙ୍କ ଦାୟିତ୍ୱବୋଧ ଉପରେ ବିରାଟ ପ୍ରଶ୍ନବାଚୀ ଛିଡା କରିଛି । ତେବେ ପ୍ରଶାସନିକ ସ୍ତରରେ ଯେଉଁ ନିଷ୍ପତି ନିଆଯାଉଛି ସେଥିରେ ତାଙ୍କର ଭାଗିଦାରୀ ରହିଛି ଏବଂ ତାଙ୍କ ଜାଣତରେ ସମସ୍ତ ନିଷ୍ପତି ନିଆଯାଉଛି ବୋଲି କହିପାରିବେ କି ନବ? ଯଦି ହଁ ତେବେ ମହାମାରୀ ବାବଦରେ ବିସ୍ତୃତ ତଥ୍ୟ ଦେବାକୁ କ୍ୟାମେରା ଆସିବାକୁ କାହିଁକି କୁନ୍ଥୁ କୁନ୍ଥୁ ହେଉଛନ୍ତି ନବ? ଆଉ ଯଦି ନା ତେବେ କଣ କେବଳ ପଦବୀ ପାଇଁ ମନ୍ତ୍ରୀ ହୋଇଛନ୍ତି କି ନବ?

ଏ ପ୍ରଶ୍ନ ଏଥିପାଇଁ ଊଠୁଛି କାରଣ, ନିଜ ଜିଲ୍ଲା ଝାରସୁଗୁଡାରେ ଅମ୍ଲଜାନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାଏଁ ମୁହଁ ଖୋଲିନାହାନ୍ତି ନବ । ଝାରସୁଗୁଡାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଦିନକୁ ଦିନ ବିପର୍ୟ୍ୟସ୍ତ ହେବାରେ ଲାଗିଛି । କିନ୍ତୁ ଏହାସତ୍ତ୍ୱେ ମଧ୍ୟ ସାମ୍ନାକୁ ଆସିବାକୁ ସତେ ଯେପରି ସାହସ ଜୁଟାଇ ପାରୁନାହାନ୍ତି ନବ । ଏଭଳି ସ୍ଥିତିକୁ ନେଇ କାଳେ କିଏ ତାଙ୍କୁ ଦାୟୀ କରିବ । କେବଳ ଝାରସୁଗୁଡା କାହିଁକି ଏହା ପାଖକୁ ଲାଗି ରହିଥିବା ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ ସଂକ୍ରମଣ ନିଆଁ ଭଳି ହୁ ହୁ ହୋଇ ମାଡି ଚାଲୁଥିଲେ ମଧ୍ୟ ନବ ଯେପରି ନିଘୋଡ ନିଦରେ ଶୋଇ ରହିଛନ୍ତି । ଏଭଳି କରି ସଂକ୍ରମଣ ବ୍ୟାପୁଥିବା ବେଳେ ସେଫ୍ ଜୋନରେ ରହିବାକୁ ଚେଷ୍ଟା କରୁଥାଇପାରନ୍ତି ନବ । କିନ୍ତୁ ଏଭଳି କାର୍ୟ୍ୟଶୈଳୀ ତାଙ୍କୁ ଦୁର୍ବଳତମ ସ୍ୱାସ୍ଥ୍ୟମନ୍ତ୍ରୀର ପରିଚୟ ଦେଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.