ଆସନ୍ତା ୩ ଦିନ ସାବଧାନ!
ଅସହ୍ୟ ତାତିରେ କୁହୁଳିବ ସାରା ଓଡିଶା । ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଆଗକୁ ପ୍ରଚଣ୍ଡ ଖରାରେ ସିଝିବ ଓଡିଶା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ରୁ ଊର୍ଧ୍ବ ଜିଲ୍ଲାରେ ଦିନର ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯିବା ସହିତ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।
ବାୟୁମଣ୍ଡଳର ତଳ ଭାଗରେ ପ୍ରବାହିତ ହେଉଥିବା ଶୁଷ୍କ ବାୟୁ ଫଳରେ ଆଭ୍ୟନ୍ତରୀଣ ଓଡିଶାର ସମସ୍ତ ଜିଲ୍ଲା, ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇପାରେ। ଗ୍ରୀଷ୍ମ ପ୍ରବାହ ନେଇ ଏପ୍ରିଲ ୨ ଯାଏଁ ୨୦ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ୨୦ ଜିଲ୍ଲା ଗୁଡିକ ହେଲେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର। ଏହି ଜିଲ୍ଲାର ଲୋକମାନଙ୍କୁ ଅଧିକ ସତର୍କ ରହିବାକୁ ପାଣିପାଗ ବିଭାଗ ସୂଚନା ଦେଇଛି। ଗ୍ରୀଷ୍ମପ୍ରବାହର ସ୍ଥିତି ଉପରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ନଜର ରଖିଛନ୍ତି।
ଦିନ ୧୧ଟାରୁ ୩ଟା ପର୍ୟ୍ୟନ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ଜ୍ଝ ସେହିପରି ୩ ତାରିଖରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିପାରେ। ଏପ୍ରିଲ୍ ୩ରୁ ୪ ତାରିଖ ଭିତରେ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବାୟୁମଣ୍ଡଳୀୟ ଚାପର ତାରତମ୍ୟ ଯୋଗୁ ଓଡିଶା ତଟରୁ ବଙ୍ଗୋପସାଗରର ଉତ୍ତର ପଶ୍ଚିମ ଉପକୂଳରେ ଘଣ୍ଟା ପ୍ରତି ପବନ ୪୦-୫୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି । ଏଥିପାଇଁ ଆଗାମୀ ୪୮ ଘଂଟା ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।