ଋଷ ଦେଲା ଧମକ, ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ ପଡ଼ିବ ପରମାଣୁ ବୋମା
୭ ଦିନ ହେଲା ୟୁକ୍ରେନ୍-ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ଦେଇଛି । ଅଧିକାଂଶ ଦେଶ ୟୁକ୍ରେନ୍ ଉପରେ ଋଷର ଏଭଳି ସାମରିକ କାର୍ୟ୍ୟାନୁଷ୍ଠାନକୁ ବିରୋଧ କରୁଛନ୍ତି । ତଥାପି ପଛକୁ ହଟୁନି ଋଷ । ୟୁକ୍ରେନ୍ ଉପରେ ଜୋରଦାର ଆକ୍ରମଣ କରି ଚାଲିଛି । ଯୁଦ୍ଧ ଭିତରେ ଆଉ ଏକ ଧମକ ଦେଇଛନ୍ତି ଋଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭର୍ଭ । ସେ କହିଛନ୍ତି, ଯଦି ତୃତୀୟ ବିଶ୍ୱ ଯୁଦ୍ଧ ହୁଏ ତ ବିନାଶକାରୀ ହେବ । ଏପରିକି ଯୁଦ୍ଧରେ ପରମାଣୁ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି କହିଛନ୍ତି ଋଷ ମନ୍ତ୍ରୀ ।
ଋଷ ଧମକ ଦେବା ସହ କହିଛି, ୟୁକ୍ରେନକୁ କୌଣସି ବି ପରିସ୍ଥିତିରେ ପରମାଣୁ ଅସ୍ତ୍ର ଅକ୍ତିଆର କରିବାକୁ ଅନୁମତି ଦେବୁ ନାହିଁ । ଆମେରିକା କଥାରେ ୟୁକ୍ରେନ୍ ପରିଚାଳିତ ନହେଉ କି ଆମେରିକାର କଥା ନ କହୁ । ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ । କିନ୍ତୁ ୟୁକ୍ରେନ ଆଲୋଚନାରେ ଆମେରିକାର କଣ୍ଢେଇ ସାଜି ନ ନାଚୁ । ସବୁ ପ୍ରତିବନ୍ଧକକୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ ଅଛୁ । ତୃତୀୟ ବିଶ୍ୱଯୁଦ୍ଧ ଯଦି ହେବ ତେବେ ପରମାଣୁ ଆକ୍ରମଣ ସହ ହେବ । ଆଉ ଏହା ବିଶ୍ୱ ପାଇଁ ବିନାଶକାରୀ ସାଜିବ ।
ୟୁକ୍ରେନ ମେୟର କହିଛନ୍ତି, ଋଷ ସେନା ଏବେ ଆମକୁ ଡେଡଲାଇନ ଦେଇଛନ୍ତି । ଆତ୍ମସର୍ମପଣ ନକଲେ ପୂରା କୋନୋଟପ୍ ସହରକୁ ଧ୍ୱଂସସ୍ତୁପରେ ପରିଣତ କରିବାକୁ ଚେତାବନୀ ଦେଇଛନ୍ତି ।