ପ୍ରେମ କରିବା କ’ଣ ପାପ?
ସମ୍ମାନ ପାଇଁ ନିଜ ଝିଅକୁ ବି ଜୀବନରୁ ମାରିବାକୁ ପଛାଇଲେନି ପରିବାର ଲୋକ । ନିଜ ପସନ୍ଦର ପୁଅକୁ ବାହା ହେବା ଘର ଲୋକଙ୍କୁ ହଜମ ହେଲାନି । ଶେଷରେ ନିଜ ଝିଅକୁ ମାରି ମାଟି ତଳେ ପୋତିଦେଲେ । ଏଭଳି ଅଭିଯୋଗ ଆସିଛି ପୁରୀ ଚନ୍ଦନପୁରର ତଳଜଙ୍ଘ ନଈକୂଳ ସାହିରୁ । ପୁଲିସ ଏହି ମାମଲାରେ ୫ରୁ ୬ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।
ନିଜ ମନ ପସନ୍ଦର ଜଣେ ଯୁବକକୁ ପ୍ରେମ କଲା ଚନ୍ଦନପୁରର ତଳଜଙ୍ଘ ନଈକୂଳ ସାହିର ଜଣେ ଯୁବତୀ । ସୁଖର ସଂସାର କରିବାକୁ ଘର ଛାଡି ବାହାରକୁ ଦୁଇ ଜଣ ବି ପଳାଇଲେ । ଥାନାରେ ଏତଲା ଦିଆଯିବା ପରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ଘରର ଝିଅ ମାନସମ୍ମାନ ପଦାରେ ପକାଇଲା ଭାବି ପରିବାରଲୋକ ଯୁବତୀଙ୍କୁ ମାରପିଟ୍ କରିବା ସହ ନିର୍ୟାତନା ଦେଉଥିଲେ ବୋଲି ଗାଁ ଲୋକ ଅଭିଯୋଗ କରିଛନ୍ତି। ଗତ ଶନିବାର ପରିବାର ଲୋକ ଝିଅକୁ ହତ୍ୟା କରି ପୋଡ଼ିବା ପରେ ତରବରିଆ ଭାବେ ପୋତି ଦେଇଥିବା ଜଣାଯାଇଛି।
ଗାଁ ଲୋକେ ଓ ଶବ ପୋଡ଼ା ଯାଇଥିବା ଜମି ମାଲିକ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘଟଣାସ୍ଥଳରୁ ମାଟି ଖୋଳି ହାଡ଼ ଉଦ୍ଧାର କରାଯାଇଛି । ଆବଶ୍ୟକ ପଡ଼ିଲେ ଜବତ ହାଡ଼ର ଡିଏନ୍ଏ ଟେଷ୍ଟ କରାଯିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି ।