ବିଧାନସଭାରେ ହାଇଡ୍ରାମା
ବିଧାନସଭା ଶୀତ ଅଧିବେଶନର ଷଷ୍ଠ ଦିନରେ ମଧ୍ୟ ଚାଲିପାରୁନି ବିଧାନସଭା । ଗୃହ କାର୍ୟ୍ୟ ଆରମ୍ଭରୁ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଛନ୍ତି ବିରୋଧୀ । ମମିତା ମୃତ୍ୟୁ ପ୍ରସଙ୍ଗରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ନାରାବାଜି ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର । ଗୃହର ମଧ୍ୟଭାଗକୁ ୩ ଦଳର ନେତା ଆସି ହୋ-ହଲ୍ଲା କରିବା ଫଳରେ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି । ମମିତା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରି ବିରୋଧୀ ଘଣ୍ଟ ବଜାଇ ପ୍ରତିବାଦ କରିଥିବା ବେଳେ କଂଗ୍ରେସ ସଦସ୍ୟ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ ।
ଅନ୍ୟପଟେ ଶାସକ ବିଜେଡି ମଧ୍ୟ ଆଜି ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିଛି । ବିରୋଧୀଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ବୋଲି ନାରାବାଜି କରିଥିଲେ । ଏପରିକି କିଛି ବିଜେଡି ସଦସ୍ୟ ବିରୋଧୀଙ୍କ ଉପରେ ଗଙ୍ଗାଜଳ ଛିଞ୍ଚିଥିଲେ । ଯାହାଫଳରେ ଗୃହ ମଧ୍ୟରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଗୃହ ଆରମ୍ଭରୁ ହିଁ ବିରୋଧୀଙ୍କ ହଟ୍ଟଗୋଳ ଫଳରେ ଗୃହକୁ ଅପରାହ୍ନ ୪ଟା ମୁଲତବୀ କରାଯାଇଛି ।
ସେପଟେ ଗୃହରେ ଘଣ୍ଟ ବାଡେଇ ବିଜେପି ପ୍ରତିବାଦ କରିଥିବା ବେଳେ କେନ୍ଦ୍ର ଅବହେଳା ପ୍ରସଙ୍ଗ ସହ ଅନ୍ୟ ପ୍ରସଙ୍ଗ ନେଇ ବିଜେଡି ମଧ୍ୟ ପ୍ରତିବାଦ କରିଛି । ବିରୋଧୀଙ୍କ ଉପରକୁ ବିଜେଡି ଗଙ୍ଗା ଜଳ ପକାଇଛି । ବିଧାନସଭା ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ ବିଜେଡି ବିଧାୟକ ଧାରଣା ଦେଇଛନ୍ତି ।