THE BYAPINI

କିଏ ସତ କହୁଛି : ସମ୍ବାଦ ନା ସରକାର?

Get real time updates directly on you device, subscribe now.

ରାଜ୍ୟରେ ମହାମାରୀ ମୃତ୍ୟୁର ମିଛ ଓ ସତ କଣ? ବାସ୍ତବରେ କେତେ ଜୀବନ ନେଲାଣି ମହାମାରୀ? ପ୍ରତିଦିନ ସଂକ୍ରମଣରେ କେତେ ସଂଖ୍ୟାରେ ଲୋକେ ପ୍ରାଣ ହରାଉଛନ୍ତି । ମହାମାରୀ ମୁକାବିଲା ଭିତରେ ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରୁଛି । ଏଭଳି ପ୍ରଶ୍ନ ଏଥିପାଇଁ ଲୋକଙ୍କ ମନକୁ ଆସୁଛି କାରଣ ମହାମାରୀ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ଚିତ୍ର ଏବେ ଲୋକଙ୍କ ପାଖରେ ପହଞ୍ଚୁଛି । କରୋନା ମୃତ୍ୟୁକୁ ନେଇ ରାଜ୍ୟ ସରକାର ଗୋଟିଏ ତଥ୍ୟ ଦେଉଥିବା ବେଳେ ସମ୍ବାଦପତ୍ରର ତଥ୍ୟ ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହୁଛି । ଖାସକରି ରାଜ୍ୟର ସର୍ବାଧିକ ପାଠକ ଥିବା ଦୈନିକ ଖବର କାଗଜ ସମ୍ବାଦରେ କରୋନା ମୃତ୍ୟୁକୁ ନେଇ ଯେଉଁ ଖବର ପ୍ରକାଶ କରାଯାଉଛି ତାହା କେଉଁଠି ବି ରାଜ୍ୟ ସରକାରଙ୍କ କରୋନା ମୃତ୍ୟୁ ହିସାବ ସହ ଆଦୌ ମେଳ ଖାଉନାହିଁ । ତେଣୁ ଏଭଳି ସ୍ଥଳେ ପ୍ରଶ୍ନ ଉଠୁଛି କରୋନା ମୃତ୍ୟୁକୁ ନେଇ କିଏ କହୁଛି ସତ? ସରକାର ନା ସମ୍ବାଦ ।

ସମ୍ବାଦ ଖବରକାଗଜ ନାଁ ଏଥିପାଇଁ ନେଇଛୁ କାରଣ ଟେଲିଭିଜନରେ ସରକାର ଦେଉଥିବା ତଥ୍ୟକୁ ଆଧାର କରି କରୋନା ସର୍ମ୍ପକିତ ଖବର ପରିବେଷଣ କରାଯାଉଛି । କିନ୍ତୁ ସମ୍ବାଦ ଖବରକାଗଜରେ ପ୍ରତିଟି ବ୍ଲକର କରୋନା ଖବର ପୃଷ୍ଠା ମଣ୍ଡନ କରୁଛି । କିନ୍ତୁ ୨୪ ଘଣ୍ଟାର ଉଭୟ ସରକାରୀ ତଥ୍ୟ ଓ ସମ୍ବାଦର ଦୈନିକ ଗ୍ରାଉଣ୍ଡ ରିପୋର୍ଟ ଭିତରେ ଆକାଶ ପାତାଳ ଫରକ ରହୁଛି । ସରକାରୀ କାଗଜପତ୍ରରେ ଦୈନିକ ୨୦ ପାଖାପାଖି ଲୋକେ ମୃତ୍ୟୁ କରୁଥିବା ନେଇ ଖବର ଦିଆଯାଉଥିବା ବେଳେ ସମ୍ବାଦର ହିସାବ ଅନୁଯାୟୀ ରାଜ୍ୟରେ ସରକାରୀ ତଥ୍ୟର ଦୁଇଗୁଣାରୁ ଅଧିକ ଲୋକ ପ୍ରାଣ ହରାଉଥିବାର ଖବର ପ୍ରକାଶ ପାଉଛି । ତେଣୁ ଏପରି ସ୍ଥିତିରେ ଲୋକେ କାହାକୁ ଭରସା କରିବେ? ଗୋଟିଏ ପଟେ ଦୈନିକ ପ୍ରତିଷ୍ଠିତ ଖବର କାଗଜ ସମ୍ବାଦ ଓ ଅନ୍ୟପଟେ ୨୧ ବର୍ଷର ଲୋକପ୍ରିୟ ସରକାର ।

ସମ୍ବାଦ ଦୀର୍ଘ ବର୍ଷ ହେବ ଲୋକଙ୍କ ଭରସା ଓ ବିଶ୍ୱାସ ଜିତି ଆସିଛି । ଏପରିକି ରାଜ୍ୟର ନମ୍ବର ୱାନ ଖବରକାଗଜ ଭାବେ ନାଁ କରିଛି । ରାଜ୍ୟର ଅଧିକାଂଶ ଖବରକାଗଜ ପାଠକଙ୍କ ପ୍ରଥମ ପସନ୍ଦ ସମ୍ବାଦ । ତେଣୁ ସମ୍ବାଦ ଦେଉଥିବା ଖବରକୁ ଲୋକେ ଆଖି ବନ୍ଦ କରି ବିଶ୍ୱାସ କରନ୍ତି । ଏଭଳି ସ୍ଥିତିରେ ସମ୍ବାଦରେ ପ୍ରକାଶିତ କରୋନା ଖବରକୁ ସାଧାରଣ ଲୋକଟିଏ ଅବିଶ୍ୱାସ କରିବା ବା କାହିଁକି । ଏହାଛଡା ଗଣମାଧ୍ୟମ ସଂସ୍ଥା ଗୁଡିକ ସବୁବେଳେ ସାଧାରଣ ଲୋକଟିଏ ପାଇଁ ଗ୍ରାଉଣ୍ଡ ଜିରୋରୁ ସତ ଖବର ଆଣିଥାନ୍ତି । ତେଣୁ ସମ୍ବାଦ ଭଳି ସଂସ୍ଥାରେ କରୋନା ସର୍ମ୍ପକିତ ଖବର ଭୁଲ ଯିବ ତାହା କେବେ ବିଶ୍ୱାସଯୋଗ୍ୟ ନୁହେଁ ।

ଆଉ ଅନ୍ୟପଟେ ମହାମାରୀ ମୁକାବିଲାର ଟ୍ୟାଗ୍ ଧରି ଦେଶ ଓ ବିଦେଶରୁ ପ୍ରଂଶସା ସାଉଁଟୁଥିବା ସରକାର । ଯେଉଁ ସରକାର ପାଇଁ ଜନତାଙ୍କ ଭରସା ଓ ବିଶ୍ୱାସ ସର୍ବୋପରି । ତେଣୁ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଲୋକଙ୍କୁ କେବେ ଅନ୍ଧାର ଘେର ଭିତରେ ରଖିବାକୁ ଚାହିଁବେନି ସରକାର । କିନ୍ତୁ ଏବେ ରୋଗୀର ଦଶାହ ପରେ ମଧ୍ୟ ଚିକିତ୍ସା ଚାଲୁଥିବା ନେଇ ଯେତେବେଳେ ଫୋନ୍ ଆସୁଛି ତାହା ବେଶ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃ୍‌ଷ୍ଟି କରୁଛି ।ତେଣୁ ରାଜ୍ୟ ସରକାରଙ୍କ କରୋନା ତଥ୍ୟ ଉପରେ ଏବେ ଅଙ୍ଗୁଳି ଉଠିବା ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ମଶାଣିରେ ଶବ ଜଳୁଛି. ଜିଲ୍ଲାୱାରୀ ଗୋଟିଏରୁ ଦୁଇଟି ମୃତ୍ୟୁ ଖବର ଏବେ ସାମ୍ନାକୁ ଆସୁଛି । କିନ୍ତୁ ରାଜ୍ୟ ସରକାରଙ୍କ ହିସାବରେ ମୃତ୍ୟୁ ସଂଖ୍ୟା ୨୦ରୁ ଅଧିକ ଟପୁନି । ତେଣୁ ଏଭଳି ସ୍ଥିତିରେ ଜନସାଧାରଣ କାହା କଥାକୁ ସତ ଭାବିବେ ତାହା ସବୁଠୁ ବଡ ପ୍ରଶ । ଯଦି ସରକାରଙ୍କ ରିପୋର୍ଟ ସତ ତେବେ ଶଶ୍ମାନରୁ ଜୁଇ ଲିଭୁନି କାହିଁକି ଓ ଆଉ ଯଦି ସମ୍ବାଦ ରିପୋର୍ଟ ସତ ହୋଇଥାଏ ତେବେ ଓଡିଶାର ସ୍ଥିତି କେତେ ସାଂଘାତିକ ହେଲାଣି ତାହା ବୁଝିବା ଆଉ ବୋଧହୁଏ ଆବଶ୍ୟକତା ନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.