THE BYAPINI

ମହାମାରୀ ମୁକାବିଲା କାହା ପାଇଁ ? ଧନୀ ନା ଗରିବଙ୍କ ପାଇଁ…

Get real time updates directly on you device, subscribe now.

ଭୂତାଣୁର ଭୟ ଘାରୁଛି, କରୋନା କଲବଲ କରୁଛି । ନା ଠିକ୍ ସମୟରେ ଅକ୍ସିଜେନ ମିଳୁଛି, ନା ଟିକା କେନ୍ଦ୍ରରେ ଭିଡ କମୁଛି । ହସ୍ପିଟାଲରେ ବେଡ ମିଳୁନି, ରୋଗୀ ବାରଣ୍ଡାରେ ଶୋଉଛି । ଭୟରେ ଦିନ ଆରମ୍ଭ ହେଉଛି, ଆଶାରେ ଦିନ ଶେଷ ହେଉଛି । ଆଉ ଏଭଳି ଜୀବନ କେବଳ ଜଣେ ସାଧାରଣ ଲୋକଟିକୁ ଭୋଗିବାକୁ ପଡୁଛି । ଆଉ ଏହା ପ୍ରଥମଥର ନୁହେଁ, ଇତିହାସରେ ବି ଏମିତି ଅନେକ କାହାଣୀ ରହିଛି । ଯେଉଁଠି ସାଧାରଣ ଲୋକଟିଏ ଅବହେଳିତ ଓ ନିଷ୍ପେସିତ ହୋଇଥାଏ । ଆଉ ତାହାର ଝଲକ ଏକବିଂଶ ଶତାବ୍ଦୀରେ ମଧ୍ୟ ଦେଖିବାକୁ ମିଳୁଛି । କେବଳ ଦେଶରେ ନୁହେଁ ଓଡ଼ିଶାରେ ମଧ୍ୟ ସଂକ୍ରମଣ ବ୍ୟାପିବା ପରେ ଏମିତି କିଛି ଚିତ୍ର ଦେଖିବାକୁ ମିଳିଲାଣି । ଯେଉଁଠି କରୋନାରେ ଆକ୍ରାନ୍ତ ହୋଇଥିବା ସାଧାରଣ ଲୋକଟିଏ କେତେବେଳେ ବେଡ ପାଉନି ତ ପୁଣି କେତେବେଳେ ଅକ୍ସିଜେନ ଅପେକ୍ଷାରେ ଆଖି ବୁଜି ଦେଉଛି । ଯାହା ସରକାରଙ୍କ କହିବା ଓ କାର୍ଯ୍ୟଶୈଳୀ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାସ୍ତବରେ କାହା ପାଇଁ ଚାଲିଛି ସରକାରଙ୍କ ମହାମାରୀ ମୁକାବିଲା, ଧନୀ ନା ଗରିବ । ହଜାର ହଜାର ସଂଖ୍ୟାରେ ସାଧାରଣ ଲୋକ ସଂକ୍ରମିତ ହେଉଥିଲେ ମଧ୍ୟ ସରକାର କାହିଁକି ପୂର୍ବଭଳି ତତ୍ପରତା ଦେଖାଉନାହାନ୍ତି? ଏଭଳି ଅନେକ ପ୍ରଶ୍ନଘେରରେ ଏବେ ନବୀନ ସରକାର, କିନ୍ତୁ ଉତ୍ତର ଗୋଟିଏ ଆସୁଛି । ପ୍ରତି ଜିଲ୍ଲାୱାରୀ ସମୀକ୍ଷା ହେଉଛି, ହସ୍ପିଟାଲ ବେଡ ବୃଦ୍ଧି କରାଯାଉଛି । କିନ୍ତୁ ବୋଧହୁଏ ତାହା କେବଳ କାଗଜ ଓ କଲମରେ ସୀମିତ ରହି ଯାଉଛି ।

ଏଭଳି କଥା ଏଥିପାଇଁ ଉଠୁଛି କାରଣ ରାଜ୍ୟରେ ଲଗାତାର କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ସାଧାରଣ କରୋନା ଆକ୍ରାନ୍ତ ବ୍ୟକ୍ତିଟିଏ ଏବେ ହସ୍ପିଟାଲରେ ବେଡଟିଏ ପାଇବାକୁ ହଲାପଟା ହେଉଛି । କିନ୍ତୁ ରାଜ୍ୟ ସରକାରଙ୍କ ଅଧିକାରୀ କହୁଛନ୍ତି, ରାଜ୍ୟରେ ଏବେ ୭୦ ପ୍ରତିଶତ ବେଡ ଖାଲି ଅଛି । ତେବେ ଖାଲି ଥିବା ବେଡ କାହା ପାଇଁ? ଯେତେବେଳେ ଗରିବ ଲୋକଟିଏ ବେଡ ପାଉନି ସେତେବେଳେ ମନରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିବ ଯେ, ଖାଲି ଥିବା ବେଡ କଣ ଧନୀ ବ୍ୟକ୍ତିଙ୍କ ପାଇଁ? କାରଣ ଅଧିକାଂଶ ସମୟରେ ଗରିବ ଲୋକଟିଏ ହସ୍ପିଟାଲରେ ବେଡ ପାଉନଥିବା ବେଳେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବେଶ ସହଜରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଯାଉଥିବାର ଦେଖିବାକୁ ମିଳେ । ତେଣୁ ଏଭଳି ଧାରଣା ମନରେ ଆସିବା ସ୍ୱାଭାବିକ ।

ସେହିଭଳି ସରକାର ମହାମାରୀ ମୁକାବିଲାର ଡେଙ୍ଗୁରା ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ଗତବର୍ଷ ମହାମାରୀ ମୁକାବିଲା ପାଇଁ ଯେଉଁ ଫର୍ମୁଲା ସରକାର ଅପଣାଇଥିଲେ ଏଥର ସେଥିରେ ବଡ ଧରଣର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଯେଉଁ ପ୍ରବାସୀଙ୍କ ତଥ୍ୟ ରଖି ରାଜ୍ୟ ସରକାର ପୂରା ଦେଶରେ ବାହାବା ସାଉଁଟୁଥିଲେ ଚଳିତଥର ସେହି ପ୍ରବାସୀଙ୍କ ତଥ୍ୟ ରଖିବାକୁ ସରକାର ଯେମିତି ଭୁଲିଯାଇଛନ୍ତି । କେବଳ ବିମାନରେ ଆସୁଥିବା ଯାତ୍ରୀଙ୍କ ବାବଦରେ ସରକାର ତଥ୍ୟ ରଖୁଛନ୍ତି କିନ୍ତୁ ଟ୍ରେନ ଓ ବସରେ ଆସୁଥିବା ହଜାର ହଜାର ଗରିବ ପ୍ରବାସୀ ଯାତ୍ରୀଙ୍କ ଟ୍ରାଭେଲ ହିଷ୍ଟ୍ରି ବାବଦରେ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ । ଅଥାର୍ତ ଗରିବ ପ୍ରବାସୀଙ୍କ ସ୍ୱାସ୍ଥ୍ୟକୁ ନେଇ ସରକାର ସତେ ଯେପରି ଆଖି ବୁଜି ଦେଇଛନ୍ତି । ନା ପୂର୍ବଭଳି ସଙ୍ଗରୋଧ କେନ୍ଦ୍ର ଅଛି ନା କଠୋର କଟକଣା । ଧନୀକ ଶ୍ରେଣୀର ଲୋକଟିଏ ପାଖରେ ହୋମ କ୍ୱାରେଣ୍ଟାଇନର ସୁବିଧା ରହିଛି କିନ୍ତୁ ଗରିବ ଲୋକଟିଏ ଲକ୍ଷଣବିହୀନ ସଂକ୍ରମିତ ହୋଇଥିଲେ ମଧ୍ୟ ହସ୍ପିଟାଲରେ ଆଡମିଟ୍ କରିବା ବଦଳରେ ଫେରାଇ ଦିଆଯାଉଛି । ଏଭଳି ସ୍ଥଳେ ଜଣେ ଗରିବ ଆକ୍ରାନ୍ତ ବ୍ୟକ୍ତିଟିଏ ରହିବ କେଉଁଠି? ଆକ୍ରାନ୍ତ ବ୍ୟକ୍ତିକୁ ପରିବାର ସହ ରହିବାକୁ ଛାଡିଦେଇ ସରକାର ସଂକ୍ରମଣକୁ ଆହୁରି ବଢିବାକୁ ସୁଯୋଗ ଦେଉନାହାନ୍ତି କି?

ଏହାବାଦ ଦେଶର ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଇ ଦେଇ ରାଜ୍ୟ ସରକାର ବେଶ ବାହାବା ସାଉଁଟିଛନ୍ତି । ରାଜ୍ୟରେ ଅକ୍ସିଜେନର ଅଭାବ ନାହିଁ ବୋଲି ଲୋକଙ୍କୁ ଆଶ୍ୱସ୍ତ କରାଯାଉଛି । କିନ୍ତୁ ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅକ୍ସିଜେନ ନପାଇ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଉଥିବାର ଅଭିଯୋଗ ହେଉଛି । ଯାହା ଦର୍ଶାଉଛି କରୋନା ମୁକାବିଲା କେବଳ କାଗଜ କଲମରେ ହିଁ ସୀମିତ କିମ୍ବା ଗରିବଙ୍କ ପାଇଁ ସରକାର ସେତେଟା ତତ୍ପର ନୁହଁନ୍ତି । ନହେଲେ ୭୦ ପ୍ରତିଶତ ବେଡ ଖାଲି ଥିବା କୁହାଯାଉଥିବା ବେଳେ ଗରିବ ଲୋକଟିଏ କାହିଁକି ବେଡ ପାଉନି ଏବଂ ଅକ୍ସିଜେନ ବଳକା ରାଜ୍ୟରେ କାହିଁକି ଅକ୍ସିଜେନକୁ ଅପେକ୍ଷା କରି ଜଣେ ବ୍ୟକ୍ତି ଆଖି ବୁଜୁଛି । କିନ୍ତୁ ସବୁ ଦେଖିବା ପରେ ବି ସରକାର କେବଳ ସମୀକ୍ଷାରେ ଅଟକିଯାଇଛନ୍ତି । ତେଣୁ ରାଜ୍ୟବାସୀଙ୍କୁ ସତର୍କ କରୁଥିବା ସରକାର ପ୍ରଥମେ ସଜାଗ ହେଉ ବୋଲି ସାଧାରଣରେ ଦାବି ଉଠିଛି ।


Get real time updates directly on you device, subscribe now.

Leave A Reply

Your email address will not be published.