ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ନୂଆ ଅଫିସର
ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ସରକାର ବରିଷ୍ଠ ଆଇଏଏସ ସ୍ଥରରେ ଅଦଳବଦଳ କରିଛନ୍ତି । ୭ ଆଇଏଏସ ଓ ୨ ଓଏଏସଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
୨୦୦୫ ବ୍ୟାଚ୍ ଆଇଏଏସ ଅଧିକାରୀ ଭିନେଲ୍ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଓଡିଶା ମାଇନିଂ କର୍ପୋରେସନ ଲିମିଟେଡ୍ ର ଏମଡି ପଦବୀ ସହ କ୍ରୀଡା ନିର୍ଦ୍ଦେଶାଳୟ, ଓଏମଇସିଏଲର ଏମଡି, ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟର ଓଏସଡି ପଦବୀର ଅତିରିକ୍ତ ଦାୟିତ୍ବରେ ଥିବା ଆଇଏଏସ ଆର୍ ଭିନୀଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଏହାସହ ସେ ପୂର୍ବଭଳି କ୍ରୀଡା ଏବଂ ଯୁବ ସେବା ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ।
ସେହିପରି ଭିନେଲ୍ କ୍ରୀଷ୍ଣାଙ୍କ ସ୍ଥାନରେ ୨୦୦୭ ବ୍ୟାଚ ଆଇଏଏସ ଅଧିକରୀ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କୁ ଓଏମସି ଏମଡି ଭାବେ ନିଯୁକ୍ତ କରିଛନ୍ତି ସରକାର । ଏହାସହ ସେ ଓଏମଇସିଏଲ’ର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରିବେ । ତାଙ୍କ ସ୍ଥାନରେ ପୁରୀ ଜିଲ୍ଲାପାଳ ଭାବେ ସମର୍ଥ ବର୍ମା ଦାୟିତ୍ୱ ପାଇଛନ୍ତି । ସମର୍ଥ ବର୍ମା ଏବେ କେନ୍ଦ୍ରାପଡା ଜିଲ୍ଲାପାଳ ଅଛନ୍ତି । ତାଙ୍କ ସ୍ଥାନରେ ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଏଜେନ୍ସୀ (ଡିଆରଡିଏ)ର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଜଗତସିଂହପୁରରେ ଜିଲ୍ଲାପାଳ ଭାବେ କାର୍ୟ୍ୟ କରୁଥିବା ସରୋଜ କୁମାର ମିଶ୍ରଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।
ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପଟୱାରୀଙ୍କୁ ପୂର୍ତ୍ତ ବିଭାଗର ଉପ ସଚିବ ଭାବେ ବଦଳି କରାଯାଇଛି । ଖୋର୍ଦ୍ଧା ସ୍ୱତନ୍ତ୍ର ଏଡ଼ିଏମ ଭାବେ କାର୍ୟ୍ୟ କରୁଥିବା ଆଇଏସ ଅଧିକରୀ ବିଶାଲ ସିଂଙ୍କୁ ଯାଜପୁରର ପିଡି-ଡିଆରଡିଏ ଭାବେ ନିଯୁକ୍ତି ଦିଆଯାଇଛି । ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ରାଜସ୍ୱ ଓ ବିପର୍ୟ୍ୟୟ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।