ଜଣଙ୍କଠୁ ହୋଇପାରିବେ ୪୦୬ ଜଣ ସଂକ୍ରମିତ
ଜଣେ କରୋନା ସଂକ୍ରମିତ ୪୦୬ ଜଣକୁ ସଂକ୍ରମିତ କରିପାରିବ । ସାମାଜିକ ଦୂରତା ରକ୍ଷା ନକଲେ ଜଣେ କରୋନା ଆକ୍ରାନ୍ତ ୩୦ଦିନରେ ୪୦୬ଜଣଙ୍କୁ ସଂକ୍ରମିତ କରିପାରିବ ବୋଲି କହିଛନ୍ତି କେନ୍ଦ୍ର ସରକାର। ସାରା ଦେଶରେ ଏବେ କୋଭିଡର ଦ୍ୱିତୀୟ ଲହର ଚାଲିଥିବା ବେଳେ ସଂକ୍ରମଣରୁ ବର୍ତ୍ତିବାକୁ କାହିଁକି ସାମାଜିକ ଦୂରତା ନିୟମ ପାଳନ ହେବା ଦରକାର ସେ ନେଇ ଚେତେଇ ଦେଇଛନ୍ତି କେନ୍ଦ୍ର ସରକାର ।
କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ ଏବେ ମଧ୍ୟ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ନିହାତି ଜରୁରୀ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ଯେ ଅନେକ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚରେ ଏହି ତଥ୍ୟ ସାମ୍ନାକୁ ଆସିଛି ଯେ, ସାମାଜିକ ଦୂରତା ଅବଲମ୍ବନ ନକଲେ ଜଣେ ସଂକ୍ରମିତ ବ୍ୟକ୍ତି ୪୦୬ ସୁସ୍ଥ ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରିବ ।ତେଣୁ ଏହି କରୋନା ଚେନ ଉପରେ ଲଗାମ ଲଗାଇବାକୁ ହେଲେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ନିତାନ୍ତ ଆବଶ୍ୟକ ।ସେହିପରି ସଂକ୍ରମିତ ଜଣଙ୍କ ଯଦି ୫୦ ପ୍ରତିଶତ ମିଶିବା କମାଇ ଦେବେ ତାହେଲେ ସଂକ୍ରମିତ ସଂଖ୍ୟା ୩୦ ଦିନରେ ୧୫ ରହିବ। ଆଉ ୭୫ ପ୍ରତିଶତ ମିଶିବା କମାଇ ଦେଲେ ୨.୫ ଲୋକ ସଂକ୍ରମିତ ହେବାର ସମ୍ଭାବନା ରହିଛି। ସେହିପରି ଯଦି ଜଣେ ସଂକ୍ରମିତ ଏବଂ ସୁସ୍ଥ ଲୋକ ମାସ୍କ ପିନ୍ଧିବେ ତାହେଲେ ସୁସ୍ଥ ଲୋକ ସଂକ୍ରମିତ ହେବାର ସମ୍ଭାବନା ୧.୫ ପ୍ରତିଶତରୁ କମ୍ ରହିବ। ଆମେରିକାର ନର୍ଥ କ୍ୟାରୋଲିନା ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏହି ପରାମର୍ଶ ଦେଇଥିବା ଜଣାପଡ଼ିଛି।
ଯଦି ଜଣେ ସଂକ୍ରମିତ ବ୍ୟକ୍ତି ମାସ୍କ ପିନ୍ଧିନଥିବେ ଏବଂ ଜଣେ ସୁସ୍ଥ ଲୋକ ମାସ୍କ ପିନ୍ଧିଥିବେ ତେବେ ସଂକ୍ରମଣ ଆଶଙ୍କା ୩୦ ପ୍ରତିଶତ ରହିଛି। ଯଦି ଉଭୟ କୋଭିଡ ପଜିଟିଭ୍ ଏବଂ ସୁସ୍ଥ ବ୍ୟକ୍ତି ମାସ୍କ ପିନ୍ଧିଥିବେ ତେବେ ସଂକ୍ରମିତ ହେବାର ସମ୍ଭାବନା ୧.୫ ପ୍ରତିଶତ କମ୍। ଯଦି ଏମାନେ ୬ ଫୁଟ ଦୂରତାରେ ଥିବେ, ତା’ ହେଲେ ସୁସ୍ଥ ବ୍ୟକ୍ତି ସଂକ୍ରମିତ ହେବାର ଆଶଙ୍କା କମ୍।