ପଦକ ଆଶାରେ ଭାରତ
ଆଜିର ଦିନ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ବେଶ ଭଲ ରହିଛି । ଭାରତ ପାଇଁ ବଢିଛି ପଦକ ଆଶା ।ଭାରତୀୟ ଖେଳାଳିମାନେ ଆଜିର ଦିନରେ ଅନେକ ସଫଳତା ଆଣିଦେଇଛନ୍ତି । ହକି ଓ ବ୍ୟାଡ଼ମିଣ୍ଟନ ପରେ ବକ୍ସିଂରେ ମଧ୍ୟ ଭାରତୀୟ ଖେଳାଳି ବିଜୟୀ ହୋଇଛନ୍ତି ।
ବ୍ୟାଡ଼ମିଂଟନ ସିଙ୍ଗଲ୍ସ ଇଭେଣ୍ଟରେ କ୍ୱାର୍ଟର ଫାଇନାଲରେ ପହଂଚିଛନ୍ତି ପି. ଭି. ସିନ୍ଧୁ । ୪୧ ମିନିଟର ସଂଘର୍ଷମୟ ଇଭେଣ୍ଟରେ ପି. ଭି. ସିନ୍ଧୁ ଡେନମାର୍କର ମିଆ ବିଚଫେଲ୍ଟଙ୍କୁ ୨୧-୧୫, ୨୧-୧୩ରେ ପରାସ୍ତ କରି ପରାସ୍ତ କରିଛନ୍ତି । ପ୍ରଥମରୁ ହିଁ ସିନ୍ଧୁଙ୍କ ପ୍ରଦର୍ଶନ ଦମଦାର ଥିଲେ ବି ବିଚଫେଲ୍ଟ ମଧ୍ୟ କିଛି କମ ନଥିଲେ । ହେଲେ ଶେଷ ସେଟ୍ ହାତେଇଥିଲେ ସିନ୍ଧୁ ।ପିଭି ୨୦୧୬ ରିଓ ଅଲିମ୍ପିକ୍ସରେ ସିଲଭର ମେଡାଲ ଜିତିଥିଲେ ।
ଭାରତୀୟ ହକି ଦଳ ମଧ୍ୟ ଭଲ ପ୍ରଦର୍ଶନ କରିଛି । ଆର୍ଜେଣ୍ଟିନା ବିପକ୍ଷ ପୋଲ ଏ ମ୍ୟାଚ୍ରେ ୩-୧ ଗୋଲ୍ରେ ବିଜୟୀ ହୋଇଛି । ତୀରନ୍ଦାଜୀରେ ମଧ୍ୟ ଭାରତର ପ୍ରଦର୍ଶନ ଚମକ୍ରାର ରହିଛି । ବିଶ୍ୱର ଏକ ନମ୍ବର ଆର୍ଚର ଦୀପିକା କୁମାରୀ ମହିଳା ବ୍ୟକ୍ତିଗତ ବିଭାଗରେ ନିଜ ବିଜୟ ଅଭିଯାନ ଜାରି ରଖିଛନ୍ତି । ଆମେରିକା ଆର୍ଚର ଜେନିଫର ଫର୍ଣ୍ଣାଡିଜଙ୍କୁ ହରାଇ ପ୍ରିକ୍ୱାର୍ଟରରେ ପହଂଚିିଛନ୍ତି । ତେବେ ଦୁହିଁଙ୍କ ଏହି ବାଜି ଛକାପଂଝାରେ ଚାଲିଥିଲା । ୫ଟିରୁ ଦୁଇଟି ସେଟରେ ଫର୍ଣ୍ଣାଡିଜ୍ ଆଗୁଆଥିବାବେଳେ ୩ଟି ସେଟରେ ଦୀପିକା ତାଙ୍କୁ ଓଭରଟେକ୍ କରି ନିର୍ଣ୍ଣାୟକ ସେଟରେ ଇଭେଂଟ ଜିତିଥିଲେ । ଅନ୍ୟପଟେ ଦୀପିକାଙ୍କ ସ୍ୱାମୀ ଅତନୁ ଦାସ ମଧ୍ୟ ପୁରୁଷ ବ୍ୟକ୍ତିଗତ ଇଭେଂଟରେ ବିଜୟ ଯାତ୍ରା ଜାରି ରଖିଛନ୍ତି । ସାଉଥ୍ କୋରିଆର ଷ୍ଟାର ଖେଳାଳି ଓହ ଜିନହେକଙ୍କୁ ୬-୫ରେ ପରାସ୍ତ କରି ରାଉଣ୍ଡ ୮ରେ ପ୍ରବେଶ କରିଛନ୍ତି ।
ସେହିପରି ବକ୍ସିଂ କ୍ବାର୍ଟରରେ ଭାରତର ସତୀଶ କୁମାର । ବକ୍ସିଂ ସୁପର ହେଭି ୯୧ କେଜି ବର୍ଗର କ୍ବାର୍ଟରରେ ପ୍ରବେଶ କରିଛନ୍ତି ଭାରତୀୟ ବକ୍ସର ସତୀଶ କୁମାର । ପ୍ରତିଦ୍ୱନ୍ଦୀ ଜାମାଇକାର ରିକାର୍ଡୋ ବ୍ରାଉନଙ୍କୁ ୪-୧ରେ ପରାସ୍ତ କଲେ ସତୀଶ ।