କରୋନା କବଜାରେ ଭାରତ
ଅଣାୟତ ହୋଇପଡ଼ିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣରେ ରେକର୍ଡ ଭାଙ୍ଗିଲା ଭାରତ । ଗତ କିଛି ଦିନ ହେବ ଭାରତରେ ରେକର୍ଡ ପଜିଟିଭ୍ ମାମଲା ଆସୁଛି । ଗତ ୨୪ ଘଂଟାରେ ୩ ଲକ୍ଷ ୧୪ ହଜାର ୮୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ସାରାବିଶ୍ୱରରେ ଦୈନିକ ସର୍ବାଧିକ ସଂକ୍ରମଣ ସଂଖ୍ୟା । ଏହା ପୂର୍ବରୁ ଆମେରିକାରେ ଜାନୁଆରୀ ୭ରେ ଗୋଟିଏ ଦିନରେ ସର୍ବାଧିକ ୩ଲକ୍ଷ ୭ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ଦେଶରେ କରୋନା ସଂକ୍ରମଣ ହହୁ ହୋଇ ବଢିଚାଲିଛି। ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୧୪ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧୦୪ଜଣଙ୍କ ମୃତ୍ୟୁ ହୋଇଛି । କ୍ରମାଗତ ଦ୍ୱିତୀୟ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୯,୩୦,୯୬୫ ଚିହ୍ନଟ ହୋଇଛନ୍ତି। ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୪ ହଜାର ୬୫୭ରେ ପହଞ୍ଚିଛି। ଏବେ ୨୨,୯୧,୪୨୮ ଜଣ ଏହି ମହାମାରୀରେ ଚିକିତ୍ସାଧୀନ ଥିବା ସ୍ଵାସ୍ଥ୍ୟମନ୍ତ୍ରାଳୟର ରିପୋର୍ଟରୁ ଜଣାପଡ଼ିଛି।
ଦେଶରେ ନୂଆ ସଂକ୍ରମଣର ମାତ୍ରା ୧୭ ଦିନରେ ୧ ଲକ୍ଷରୁ ୩ ଲକ୍ଷ ଅତିକ୍ରମ କରିଛି। ଦିଲ୍ଲୀ ଏବଂ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ଏବେ ଅକ୍ସିଜାନ ଅଭାବ ଦେଖିବାକୁ ମିଳିଛି। କେନ୍ଦ୍ର ସରକାର ମଧ୍ୟ ଅକ୍ସିଜେନ ଯୋଗାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଦିଲ୍ଲୀର ଯେଉଁ ହସ୍ପିଟାଲରେ ଅକ୍ସିଜେନ ଅଭାବ ରହିଛି ସେହି ହସ୍ପିଟାଲକୁ ତୁରନ୍ତ ଅକ୍ସିଜେନ ଯୋଗାଇବା ଦରକାର।