ଧର୍ମେନ୍ଦ୍ର ବନାମ ଅପରାଜିତା । ପ୍ରଭାରୀଙ୍କ ନିକଟତର କିଏ?
ଦୀର୍ଘ ବର୍ଷ ପରେ ରାଜ୍ୟ ବିଜେପିର ପ୍ରଭାରୀ ବଦଳିଛନ୍ତି । ଅରୁଣ ସିଂଙ୍କ ସ୍ଥାନରେ ଆସିଛନ୍ତି ଡି. ପୁରନ୍ଦେଶ୍ୱରୀ । ୧୫ ଦିନରୁ ଅଧିକ ସମୟ ହେଲା ପ୍ରଭାରୀ ବଦଳିଥିଲେ ମଧ୍ୟ ରାଜ୍ୟ ଗସ୍ତରେ ଆସିନାହାନ୍ତି କିମ୍ବା ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବାକୁ କୈାଣସି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇନାହିଁ । ତେବେ ବଡ କଥା ହେଉଛି, ପ୍ରଭାରୀ ବଦଳିଥିବା କିଛି ରାଜ୍ୟରେ ପ୍ରଭାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇ ସାରିଥିବା ବେଳେ ରାଜ୍ୟରେ କାହିଁକି କାର୍ଯ୍ୟକ୍ରମ ଆୟୋଜନ ହୋଇନାହିଁ ତାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି ।
ହେଲେ ଏହାରି ଭିତରେ ଏକ ରୋଚକ ଘଟଣା ଘଟିଛି । ଯେଉଁଥିରୁ ସ୍ପଷ୍ଟ ଭାବେ ପ୍ରମାଣିତ ହେଉଛି, ରାଜ୍ୟ ବିଜେପିରେ ସବୁ କିଛି ଠିକ ଚାଲିନାହିଁ । ଖାସ କରି ଧର୍ମେନ୍ଦ୍ର ଆଉ ଅପରାଜିତା କ୍ୟାମ୍ପ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି, ଏକଥା ସ୍ପଷ୍ଟ ଭାବେ ବୁଝାପଡୁଛି । ଗତ ଶୁକ୍ରବାର ରାଜ୍ୟ ପ୍ରଭାରୀଙ୍କୁ ଭେଟି ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଥିବା ବେଳେ ଶନିବାର ଅପରାଜିତା ଷଡଙ୍ଗୀ ପ୍ରଭାରୀଙ୍କୁ ଭେଟିଛନ୍ତି । ବଡ କଥା ହେଉଛି, ଦୁଇ ନେତା ଏକାଠି ଯିବା ବଦଳରେ ଅଲଗା ଅଲଗା ଯିବାକୁ ଶ୍ରେୟ ମଣିଛନ୍ତି । ଯାହା ରାଜ୍ୟ ବିଜେପି ଏକାଧିକ ଭାଗରେ ବିଭକ୍ତ ହୋଇଥିବା ସ୍ପଷ୍ଟ ଭାବେ ବାର୍ତ୍ତା ଦେଉଛି ।

ଏମିତି ନୁହେଁ ଯେ ଦୁଇ ନେତା ଚାହିଁଥିଲେ ଏକାଠି ଯାଇପାରିନଥାନ୍ତେ । ହେଲେ ରାଜ୍ୟ ସଂଗଠନ ଉପରେ ପ୍ରଭାବ ଆଉ ଅକ୍ତିଆରକୁ ନେଇ ଦୁଇ ନେତା ପରସ୍ପରକୁ ସହିବା ଅବସ୍ଥାରେ ନାହାନ୍ତି । ଖୋର୍ଦ୍ଧା ଜିଲ୍ଲା ସଭାପତି ପଦକୁ ନେଇ ଅପରାଜିତା, କେନ୍ଦ୍ରମନ୍ତ୍ରୀଙ୍କୁ ଯେଉଁ ପ୍ରକାରର ହଲାପଟା କଲେ ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଲା, ତାହା ରାଜ୍ୟର ପ୍ରମୁଖ ବିରୋଧୀ ଦଳର ବାସ୍ତବତାକୁ ସାମ୍ନାକୁ ନେଇ ଅସିଲା । ଅପରାଜିତାଙ୍କ ଅନୁଗତଙ୍କୁ ବାଦ ଦେଇ ଧର୍ମେନ୍ଦ୍ରଙ୍କ ଅନୁଗତଙ୍କୁ ଖୋର୍ଦ୍ଧା ଜିଲ୍ଲା ସଭାପତି ଦାୟିତ୍ୱ ଦେଲେ ରାଜ୍ୟ ସଭାପତି ସମୀର ମହାନ୍ତି । ହେଲେ ଅପରାଜିତା ଏମିତି ଗୋଟି ଚଳାଇଲେ ଯେ, ସାପ୍ତାହେ ଭିତରେ ନିଜ ନିଷ୍ପତ୍ତି ବଦଳାଇ ଦେଲେ ସମୀର ମହାନ୍ତି । ଯାହା ସେତେବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
ଆଉ ଏବେ ପ୍ରଭାରୀଙ୍କ ନିକଟତର ହୋଇ ରାଜ୍ୟ ସଂଗଠନରେ କିଏ ଅଧିକ ଶକ୍ତିଶାଳୀ ତାକୁ ନେଇ ବାର୍ତ୍ତା ଦେବାର ପ୍ରତିଯୋଗୀତା ଆରମ୍ଭ ହୋଇସାରିଛି । କୁହାଯାଉଛି, ଏହି ଗୋଷ୍ଠୀକନ୍ଦଳକୁ ବାଦ ଦେଇ ଆଗକୁ ବଢିବା ହିଁ ଡି. ପୁରନ୍ଦେଶ୍ୱରୀଙ୍କ ପାଇଁ ସବୁଠାରୁ ବଡ ଆହ୍ୱାନ ହେବ । ଅପରାଜିତା ନିଜ ଗୋଟିଚାଳନାରେ ଥରେ ଧର୍ମେନ୍ଦ୍ରଙ୍କୁ ମାତ୍ ଦେଇଥିବା ବେଳେ ଏହାର ରାଜନୈତିକ ପ୍ରତିଶୋଧ ଧର୍ମେନ୍ଦ୍ର କିଭଳି ନେଉଛନ୍ତି, ଦେଖିବାକୁ ବାକି ରହିଲା ।