ଏସ୍ଆଇଟି ଆଗରେ ଲକ୍ଷ୍ମଣରେଖା..
ଗାଁ ମୁଣ୍ଡରେ ବନ୍ଧା ହୋଇଛି ବାଉଁଶ । ଆଉ ସେଠାରେ ଜଗିରହିଛନ୍ତି ଗାଁ ଲୋକ । ନୟାଗଡ ଯଦୁପୁରରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ । ଯଦୁପୁରର ୫ ବର୍ଷର କୁନି ଝିଅ ପରୀ ମୃତ୍ୟୁର ତଦନ୍ତ କରୁଥିବା ଏସଆଇଟି ଟିମକୁ ଗାଁରେ ପୁରାଇନଦେବା ପାଇଁ ଏହି ବାଉଁଶ ବାନ୍ଧିଛନ୍ତି ଗାଁ ଲୋକେ । ଯାଂଚକାରୀ ଦଳକୁ ଗାଁ ଭିତରକୁ ପୁରାଇଦେଇନାହାନ୍ତି ।
ନୟାଗଡ ଯଦୁପୁର ଗାଁର ପରୀ ମୃତ୍ୟୁ ପ୍ରସଙ୍ଗରେ ଉଠୁଛି ପଡୁଛି ସାରା ରାଜ୍ୟ । ସିବିଆଇ ତଦନ୍ତ ସହ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଆନ୍ଦୋଳନ ଚଳାଇଛି ବିଜେପି । ପ କଂଗ୍ରେସ ବି ଆନ୍ଦୋଳନ ଜୋରଦାର କରିଛି । ହେଲେ ପରୀ ହତ୍ୟାକାଣ୍ଡ ଉପରୁ ରହସ୍ୟ ଉନ୍ମୋଚନ କରିବାକୁ ଯାଇଥିବା ଏସଆଇଟି ଟିମର କାମରେ ବାଧାଦେଇଛନ୍ତି ଯଦୁପୁରବାସୀ । ଗାଁ ଲୋକଙ୍କ କହିବା ହେଲା ନୟାଗଡ ଯଦୁପୁରର ଚଷା ସାହିରେ ପରୀର ଘର । ପରୀ ମୃତ୍ୟୁ ମାମଲାରେ ଏସଆଇଟି ସେଠାରେ ତଦନ୍ତ କରିବା କଥା । ହେଲେ ରକ୍ତ ନମୂନା ସଂଗ୍ରହ ଆଳରେ ଖଦଳା ସାହି ବାସିନ୍ଦାଙ୍କୁ ଅଜଥାରେ ଏସଆଇଟି ହଇରାଣ କରୁଥିବା ଅଭିଯୋଗ ହୋଇଛି ।
ମଙ୍ଗଳବାର ପୁଣି ୧୮ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରିଛି ଏସଆଇଟି । ଯଦୁପୁର ଗାଁରେ ୧୮ରୁ ୩୫ ବର୍ଷର ଯୁବକ ମାନଙ୍କ ରକ୍ତ ନମୂନା ସଂଗ୍ରହ କରୁଛି ଏସଆଇଟି । ପୂର୍ବରୁ ୨୩ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା । ତେବେ କାହିଁକି ଗାଁ ଲୋକଙ୍କ ରକ୍ତ ନମୂନ ସଂଗ୍ରହ କରୁଛନ୍ତି ତଦନ୍ତକାରୀ ଦଳ ? ପରୀ ମୃତ୍ୟୁ ଓ ଏହାର ତଦନ୍ତ ସହିତ ରକ୍ତ ନମୂନାର କି ସଂପର୍କ ରହିଛି? ମିଳିଥିବା ଖବର ଅନସାରେ ଯଦୁପୁର ଗାଁରେ କେଉଁମାନେ ରହୁଛନ୍ତି ଏବଂ କେଉଁମାନେ ବାହାରକୁ ଯାଇଛନ୍ତି, ଏପରିକି ଗତ କିଛି ଦିନ ଭିତରେ ଗାଁକୁ କେଉଁମାନେ ଆସିଛନ୍ତି ତାର ବି ତଥ୍ୟ ନେଉଛି ଏସଆଇଟି । ପରୀକୁ ମାରିବା ପାଇଁ ବ୍ୟବହାର ହୋଇଥିବା ଅସ୍ତ୍ର, ପରୀର ପିନ୍ଧା ବସ୍ତ୍ର, କିମ୍ବା ତାସହ ହୋଇଥିବା ଅତ୍ୟାଚାର ସ୍ଥଳରୁ କିଛି ରକ୍ତ ନମୂନା ଏସଆଇଟି ପାଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି, ଆସନ୍ତା ସପ୍ତାହରେ ଘଟଣା ସ୍ପଷ୍ଟ ହେବ ।