THE BYAPINI

କାଳିଆ ! ପୁଣି କେବେ ଦେଖା ହେବ ?

Get real time updates directly on you device, subscribe now.

ଆଉ କେତେ ଶାସ୍ତି ଦବୁରେ କାଳିଆ, କେତେ ଦଣ୍ଡ ଦବୁ… ତୋ ଦରଶନରୁ ବଞ୍ଚିତ ରହିବା ଅପେକ୍ଷା ମରିଯିବା ଭଲ । ତୋ କଳାବଦନ ନଚାହିଁଲେ, ତୋ ଚକାନୟନ ନଦେଖିଲେ କେମିତି କଟିବ ଦିନ ? କେମିତି ମାନିବ ଏ ମନ ? କହ କାଳିଆ କହ, ତୋ ବିନା ଗୋଟେ ମୁହୂର୍ତ୍ତ ରହିବା କଣ ସମ୍ଭବ ? କବାଟ କିଳି ଦେଲୁ ଯେ କେବେ ଖୋଲିବ ଜଣାନାହିଁ । ଏତେଦିନ ଯାଏଁ ତୋ ବିନା ଏ ଜଗତ ଜିଇଁବ କେମିତି, ଏ ମାଟି, ଏ ପାଣି, ଏ ପବନ ଆତଯାତ ହେବ କେମିତି ? ଆମେ କେମିତି ଚଳିବୁରେ… କହ କାଳିଆ କହ, ଆମେ ପୁଣି କି ପାପ କଲୁ ? ଯେଉଁଥିପାଇଁ କବାଟ କିଳି ପୁଣି ଶାସ୍ତି ଦେଲୁ… କହରେ ଧନ, ମୋ ଗଣ୍ଠିଧନ, ଚକାଆଖିଆ, ଭାବବିନୋଦିଆ କହ… ପୁଣି କେବେ ଦେଖା ଦେବୁ ? କେବେ ମିଶିବ ତୋ ଆଖି ସହ ଆମ ଆଖି, ତୋତେ ଚାହିଁ ପୁଣି କେବେ ଲୁହ ଝରେଇବ ଏ ନୟନ…

ଭଗବାନଙ୍କ ଦୁଆରେ ଭୂତାଣୁ ତାଲା ପକାଇବା ପରେ ଲୁହ ଛଳ ଛଳ ଆଖିରେ ଜଗାକୁ ପଚାରୁଛି ଭକ୍ତ । ପ୍ରଭୁଙ୍କ ପ୍ରଶ୍ନ କରୁଛି ତା ପ୍ରିୟ ଭକ୍ତ । ଏ ପ୍ରଶ୍ନର ପ୍ରେମର, ରାଗର, ରୁଷାର, ଅଭିମାନର ପ୍ରଶ୍ନ । ପ୍ରତି ଘରୁ, ପ୍ରତି ହୃଦୟରୁ ହଟିଆ ଠାକୁରକୁ ପ୍ରଶ୍ନ କରୁଛନ୍ତି ଭକ୍ତ, କାଳିଆ ତୁ କବାଟ କେବେ ଖୋଲିବୁ । ଭକ୍ତ ସିନା ପ୍ରଶ୍ନ ପର ପ୍ରଶ୍ନ ପଚାରି ଚାଲିଛନ୍ତି ହେଲେ ଭଗବାନ କିନ୍ତୁ ଏକଦମ ଚୁପ ଅଛନ୍ତି । କାରଣ କାଳିଆ ପାଖରେ ନାହିଁ ଏ ଶହଶହ ପ୍ରଶ୍ନର ସିଙ୍ଗଲ ଉତ୍ତର । କାରଣ କାଳିଆ ଚାହେଁନା ତା ଦୁଆରୁକୁ ଆସି ତା ପ୍ରିୟ ଭକ୍ତ ବିପଦରେ ପଡୁ, ସଂକ୍ରମିତ ହେଉ । ତେଣୁ ତା ଭକ୍ତର ସୁରକ୍ଷା ପାଇଁ କଟକଣାର ଗାର ଟାଣିଛି କାଳିଆ, କବାଟ କିଳିଛନ୍ତି ଜଗନ୍ନାଥ ଆଉ ବଡଦେଉଳ ଯିବାକୁ ମନା କରିଛନ୍ତି ବଡ ଠାକୁର ।

ପୁଣି ଭକ୍ତ ଭଗବାନ ମଝିରେ ଦୂରତା ଦଉଡି ଟାଣିଛି ଭୂତାଣୁ । କରୋନା ପାଇଁ କାଳିଆ ଦୁଆର ମନା ଭକ୍ତଙ୍କ ପାଇଁ । ମେ ୧୫ ଯାଏଁ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା ସହ ସାଧାରଣ ଦର୍ଶନ ବନ୍ଦ ରହିଛି । ପୁରୀରେ ବଢୁଥିବା ସଂକ୍ରମଣ ଓ ରାଜ୍ୟରେ ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ଜଗନ୍ନାଥ ଦର୍ଶନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନର ଲୋକେ ଦର୍ଶନ ପାଇଁ ଆସୁଥିବାରୁ ସଂକ୍ରମଣ ବଢିପାରେ । ଯଦି ଦର୍ଶନ ବେଳେ ସେବାୟତ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୁଅନ୍ତି ତେବେ ସାଆନ୍ତେଙ୍କ ନୀତିକାନ୍ତିରେ ବାଧା ସୃଷ୍ଟି ହେବ । ତେଣୁ ପରିସ୍ଥିତି ଜଟିଳ ହେବା ଆଗରୁ ଆଗୁଆ ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ ।


ପୂର୍ବବର୍ଷ ରଥଯାତ୍ରା ପାଇଁ ଯେମିତି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ କଥା ଯାଇଥିଲା ଚଳିତବର୍ଷ ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା, ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା ସୁରୁଖୁରରେ କରିବାକୁ ଆଗୁଆ ଦର୍ଶନ ବନ୍ଦ କରାଯାଇଥିବା ସୂଚନା ମିଳିଛି । ତେବେ ଗତବର୍ଷ କରୋନା ପାଇଁ ମାର୍ଚ୍ଚ ୨୦ରୁ କାଳିଆ ଦୁଆର ବନ୍ଦ ଥିଲା । ମାର୍ଚ୍ଚ ୨୦ରୁ ଜାନୁୟାରୀ ୨ ଯାଏଁ ସାଧାରଣ ଦର୍ଶନ ଉପରେ ରୋକ ଲାଗିଥିଲେ ହେଁ ନୂଆବର୍ଷରୁ ଭଗବାନଙ୍କ ଦର୍ଶନ କରିଥିଲେ ଭକ୍ତ । ଯଦିଓ ଡିସେମ୍ବର ୨୩ରେ ସବୁ ଅପେକ୍ଷାର ଅନ୍ତ ଘଟାଇ ଶ୍ରୀମନ୍ଦିର ଖୋଲିଥିଲା କିନ୍ତୁ ପ୍ରଥମ ଦଫାରେ ସେବାୟତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଥିଲା ଆଉ ଜାନୁୟାରୀ ୨ରୁ ସାଧାରଣ ଭକ୍ତଙ୍କୁ କୋଭିଡ୍ ନିୟମ ମାନି କାଳିଆ ଦର୍ଶନ ପାଇଁ ଅନୁମତି ମିଳିିଥିଲା ।

ଆଉ ଚଳିତ ବର୍ଷ କରୋନାର ୨ୟ ଲହର ମାରାତ୍ମକ ଭାବେ ମାଡୁଥିବାରୁ ପୁଣି ଶ୍ରୀମନ୍ଦିର ବନ୍ଦ ରହିଛି ଭକ୍ତଙ୍କ ପାଇଁ । ଜଗା ଦର୍ଶନ ବନ୍ଦ ହେବା ପରେ ପୁଣି ମନମାରି ବସିଛନ୍ତି ଭକ୍ତ । ନିରାଶର ନିଶ୍ୱାସ ବହୁଛି ସମସ୍ତଙ୍କ ଦେହରେ । ପୁଣି ଅୟୁତେ ଅପେକ୍ଷା ନେଇ ସେହି ମାହେନ୍ଦ୍ର ବେଳା, ପହଡ ଖୋଲିବାକୁ । କେବେ କାଳିଆ ପହଡ ଖୋଲିବ, ଭକ୍ତ ଭଗବାନଙ୍କୁ ଦେଖିବ । ଚାତକ ପରି ପୁଣି ଚାହିଁଛି ଭକ୍ତ । ଖାଲି ଭକ୍ତ ନୁହେଁ ଭଗବାନ ବି ଭକ୍ତ ଅପେକ୍ଷାରେ ନୀଳକନ୍ଦରରେ ମନମାରି ବସିଛନ୍ତି । ଦେଉଳ ଉପରେ ନେତ ନିରବରେ ଉଡୁଛି । କରୋନା ପାଇଁ ବଡଦାଣ୍ଡ ଶୂନଶାନ ହୋଇଛି । ଆଉ ଏହି ଶୂନ୍ୟତା ଭିତରେ ଗୋଟେ କଥା ଶୁଭୁଛି, କାଳିଆ ! ପୁଣି କେବେ ଦେଖା ହେବ ?

Get real time updates directly on you device, subscribe now.

Leave A Reply

Your email address will not be published.