ଅଧା ବାଟରେ ଜଗିଥିଲା ମୃତ୍ୟୁ!
ମୃତ୍ୟୁ ଏମିତି ବି ଆସେ । ପରିବାର ଲୋକଙ୍କ ସହ ମା’ ବିରଜାଙ୍କ ଦର୍ଶନ କରି ଖୁସିରେ ଘରକୁ ଫେରୁଥିଲେ । କିନ୍ତୁ କିଏ ଜାଣିଥିଲା ଏମିତି ଅଧାବାଟରେ ଚାଲିଯିବ ଜୀବନ । ଦଇବ ଛଡାଇନେବ ସୁଖ । ଯାଜପୁର ଯୋଡିକୂଅ ଛକ ନିକଟରେ ଏଭଳି ଅଘଟଣ ଘଟିଛି । ଯାହା ବିଶ୍ୱାସ ନହେଉଥିଲେ ସତ ।
ଭଦ୍ରକ ଜିଲ୍ଲା ଆଗରପଡ଼ାର ଆଡ଼ିଆ ଗ୍ରାମର ଏକ ପରିବାର ବାଇକ ଯୋଗେ ଘରକୁ ଫେରୁଥିଲେ। ବାପା, ମାଆ ଝିଅ ଓ ୭ ବର୍ଷର ପୁଅ ଯାଜପୁରରୁ ମା ବିରଜାଙ୍କ ଦର୍ଶନ ସାରି ଫେରୁଥିଲେ ଘରକୁ । ଫେରିବା ସମୟରେ ଯୋଡିକୁଅ ସ୍ଥିତ ସଂସ୍କୃତ ମହାବିଦ୍ୟାଳୟ ନିକଟରେ ଏକ ବିଶାଳ ଚାକୁଣ୍ଡା ଗଛ ବାଇକ ଉପରେ ପଡ଼ିଯାଇଥିଲା । ଆଉ ମ୍ପୂର୍ଣ୍ଣ ପରିବାର ଗଛ ତଳେ ଚାପି ହୋଇଯାଇଥିଲେ । ବାପା, ମାଅରା ଝିଅ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟର ଭର୍ତି କରାଯାଇଛି । ହେଲେ ୭ ବର୍ଷ ନାବାଳକର ମୃତ୍ୟୁ ହୋଇଛି ।ଏହାକୁ ନେଇ ଯୋଡିକୁଅ ଛକରେ ଉତେଜନା ସୃଷ୍ଟି ହୋଇଥିଲା । ଉତ୍ୟକ୍ତ ଲୋକେ ନିଆଁ ଜାଳି ରାସ୍ତାରୋକ କରିଥିଲେ ।
ତେବେ ରାସ୍ତାରେ ଯାତାୟତ ବେଳେ ଗଛ କାହିଁକି କଟାଯାଉଥିଲା । ଯଦି ଗଛ କଟାଯାଉଥିଲା , ତେବେ ରାସ୍ତାରେ ଯାତାୟତ କଣ ପାଇଁ ବନ୍ଦ କରାଯାଇନଥିଲା । ତେବେ ଯେଉଁ ଲୋକ ଗଛ କାଟୁଥିଲା ସେ ବ୍ୟକ୍ତି ଜଣଙ୍କ ଘଟଣାସ୍ଥଳରୁ ଫେରାର ଥିବା ବେଳେ ଯେଉଁ ବ୍ୟକ୍ତି ଜଣଙ୍କ ଗଛ କଟାଉଥିଲେ ତାକୁ ମଧ୍ୟ ପୋଲିସ ଖୋଜୁଛି ।