ଏଥର ଅକ୍ଷୟ ତୃତୀୟାରେ ଘରକୁ ଆସିବନି ସୁନା
ଆଜି ପବିତ୍ର ଅକ୍ଷୟ ତୃତୀୟା। ଓଡିଆ ଜାତି, ଓଡିଆ ପରମ୍ପରାରେ ଏହି ଦିନର ମହତ୍ବ କାହିଁରେ କେତେ । ଶୁଭଦିନ ହୋଇଥିବାରୁ ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବାହାଘର ଆଦି ଶୁଭକର୍ମ ହୁଏ । ସେହିପରି ଅକ୍ଷୟ ତୃତୀୟା ଦିନ ନୂଆ ଅଳଙ୍କାର କିଣାଯାଏ। ଶୁଭ ଦିନ ପାଇଁ ଲୋକେ ସୁନା ଅଳଙ୍କାର କିଣନ୍ତି। ବିଶ୍ବାସ ରହିଛି ସେଦିନ ଗହଣା କିଣିଲେ ଘରକୁ ଲକ୍ଷ୍ୟ ଆସନ୍ତି। ତେବେ କରୋନା ମହାମାରୀ ଯୋଗୁଁ ଏଥର ଲୋକ ସୁନା କିଣି ଘରକୁ ଆଣିପାରିବେ ନାହିଁ । ଲକଡାଉନ, ସଟଡାଉନ ପାଇଁ ଜୁଏଲାରୀ ଦୋକାନ ଗୁଡିକ ବନ୍ଦ ରହିଛି । ତେଣୁ ସୁନା ବଜାରକୁ ସଂପୂର୍ଣ୍ଣ ଠପ କରିଦେଇଛି ମହାମାରୀ ।
ସବୁ ବିଗାଡିଦେଲା କରୋନା । ।ପ୍ରତିବର୍ଷ ଅକ୍ଷୟ ତୃତୀୟାରେ କୋଟି କୋଟି ଟଙ୍କାର ସୁନାର ବିକ୍ରି ହୋଇଥାଏ । ଦୋକାନରେ ଗ୍ରାହକଙ୍କ ଲମ୍ବା ଲାଇନ ଲାଗିଥାଏ । କିନ୍ତୁ ଲକଡାଉନ,ସଟଡ଼ାଉନ ଯୋଗୁ ହଜାର ହଜାର ସୁନା ଦୋକାନରେ ତାଲା ପଡିଛି ।ସୁନା ଦୋକାନ ବନ୍ଦ ଥିବାରୁ କାରବାର ହେବାର କୌଣସି ସମ୍ଭାବନା ନାହିଁ । ଫଳରେ ଅଧିକାଂଶ ରାଜ୍ୟରେ ଲକଡାଉନ ଲାଗିଥିବାରୁ ଗ୍ରହଣା ପ୍ରତିଷ୍ଠାନ ଗୁଡିକ କ୍ଷତି ସହିବାକୁ ବାଧ୍ୟ ହୋଇଛନ୍ତି ।
ଗତବର୍ଷ ଅକ୍ଷୟ ତୃତୀୟା ସମୟରେ ମଧ୍ୟ ସାରା ଦେଶରେ ଲକଡାଉନ ରହିଥିଲା । ଫଳରେ ଗହଣା ବ୍ୟବସାୟୀମାନେ ଭଲ ବ୍ୟବସାୟ କରିପାରିନଥିଲେ । ଚଳିତ ବର୍ଷ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଯେହେତୁ ଇଦ ଓ ଅକ୍ଷୟତୃତୀୟ ଏବର୍ଷ ପାଖାପାଖି ପାଳନ କରାଯାଉଛି, ତେଣୁ ଏହି ଦିନରେ ହେବାକୁ ଥିବା ବେପାର ସଂପୂର୍ଣ୍ଣ ମାଡ଼ ଖାଇଛି । ତେବେ ଷ୍ଟୋରରୁ ସୁନା କିଣବା ସମ୍ଭବ ହେଉନଥିବାରୁ କିଛି ଗହଣା ପ୍ରତିଷ୍ଠାନ ଅନଲାଇନରେ ମଧ୍ୟ ସୁନା ବେପାର କରୁଛନ୍ତି । ସୁନା ପାଇଁ କିଛି ବରାଦ ଅନଲାଇନ କିମ୍ବା ଫୋନ ମାଧ୍ୟମରେ ଦେଇଛନ୍ତି । ହେଲେ ଏହାର ଗ୍ରହଣୀୟତା ପ୍ରତିଟି ଗ୍ରାହକ ସ୍ତରରେ ସମାନ ନଥିବାରୁ ବ୍ୟବସାୟ ସେତେଟା ଉତ୍ସାହଜନକ ନୁହେଁ ।
ପ୍ରତିବର୍ଷ ଧନତେରାସ ଓ ଅକ୍ଷୟ ତୃତୀୟାରେ ଦେଶରେ ଅଧିକ ଗହଣା ବିକ୍ରି ହୋଇଥାଏ । ଧନତେରାସରେ ସର୍ବାଧିକ ଓ ଅକ୍ଷୟ ତୃତୀୟାରେ ଦ୍ୱିତୀୟ ସର୍ବାଧିକ ବେପାର ହୋଇଥାଏ । ଗ୍ରାହକ ମାନଙ୍କୁ ଗହଣା ପ୍ରତିଷ୍ଠାନ ଗୁଡିକ ମନଲୋଭା ଅଫର ମଧ୍ୟ ଦେଇଥାଏ । କିନ୍ତ କ୍ରମାଗତ ଦ୍ୱିତୀୟ ବର୍ଷ ଲାଗି କରୋନା ପାଇଁ ଲକଡାଉନ ଲାଗିଥିବାରୁ ସୁନା ବ୍ୟବସାୟୀଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି ।