ଝାଡ଼ଖଣ୍ଡରେ ଲାଗୁ ହେଲା ସଂପୂର୍ଣ୍ଣ ଲକଡାଉନ
କରୋନାକୁ ମାତ ଦେବା ପାଇଁ ଦିଲ୍ଲୀ ପରେ ଝାଡଖଣ୍ଡ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ଝାଡଖଣ୍ଡ ସରକାର ଏକ ସପ୍ତାହ ପାଇଁ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ୨୨ରୁ ୨୯ ଏପ୍ରିଲ୍ ଯାଏ ଲକଡାଉନ୍ କଟକଣା ବଳବତ୍ତର ରହିବ । ଏହି ୮ ଦିନିଆ ଲକଡାଉନ ସମୟରେ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ ।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଝାଡ଼ଖଣ୍ଡ ‘ସ୍ୱାସ୍ଥ୍ୟ ସୁରକ୍ଷା ସପ୍ତାହ’ ନାମରେ ୨୨ ଏପ୍ରିଲରୁ ଗୋଟିଏ ସପ୍ତାହ ପାଇଁ ଲକଡାଉନ୍ ଲାଗୁ ହେବ । ତେବେ ଏହି ଲକଡାଉନ ସମୟରେ କେତେକ ଅତ୍ୟାବଶ୍ୟକ ସେବା ଓ ଧାର୍ମିକ ଅନୁଷ୍ଠାନ ଖୋଲା ରହିବ । ଧର୍ମାନୁଷ୍ଠାନ ଖୋଲା ରହିଲେ ବି ଶ୍ରଦ୍ଧାଳୁମାନଙ୍କୁ ସେଠାକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ସେହିପରି ଖଣି ଖନନ, ନିର୍ମାଣ ଓ କୃଷି କାର୍ୟ୍ୟ ଜାରି ରହିବ । ଲୋକମାନେ ସେମାନଙ୍କ ପରିଚୟ ପତ୍ର ଦେଖାଇ ଯିବା ଆସିବା କରିପାରିବେ। ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ ଓ ବିମାନ ବନ୍ଦରକୁ ଯାଉଥିବା ଲୋକମାନେ ବୈଧ ଟିକେଟ୍ ଦେଖାଇଲେ ଲକଡାଉନ କଟକଣାରୁ ଛାଡ଼ ପାଇବେ ବୋଲି ଝାରଖଣ୍ଡ ସରକାର କହିଛନ୍ତି। ଲକଡାଉନ ଘୋଷଣା କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଭବନରେ ଅଧିକାରୀ ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ ।
ଏହି ବୈଠକରେ ମୁଖ୍ୟ ସଚିବ ସୁଖଦେବ ସିଂଙ୍କ ସହିତ ଅନେକ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଗତ ୨୪ ଘଣ୍ଟା ମଧ୍ୟରେ ଝାଡଖଣ୍ଡରେ ୨୪୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟକୁ ଅଧିକ ସଂଖ୍ୟକ ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ କହିଛନ୍ତି ଝାଡଖଣ୍ଡ ସରକାର ।