ଆସିଲା ସିଙ୍ଗଲ ଡୋଜ ଟିକା
ଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ୍ ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡବିୟା । ଭାରତରେ ପ୍ରଥମ ସିଙ୍ଗଲ ଡୋଜ କରୋନା ନିରୋଧୀ ଟିକା ଭାବେ ଜନସନ୍ ଆଣ୍ଡ ଜନସନକୁ ମଞ୍ଜୁରୀ ମିଳିଛି । ଭାରତ ସରକାର ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାକୁ ମିଶାଇ ଭାରତ ସରକାର ଏପର୍ୟ୍ୟନ୍ତ ୫ ଟି ଟିକାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ଅନ୍ୟ କରୋନା ନିରୋଧୀ ଟିକା ଭଳି ଏହାକୁ ଅତିରିକ୍ତ ସର୍ବନିମ୍ନ ତାପମାତ୍ରାରେ ରଖିବାର ଆବଶ୍ୟକତା ନାହିଁ । ଏହାସହ ଅନ୍ୟ କମ୍ପାନୀର ଟିକା ଭଳି ଏହାକୁ ଦୁଇଟି ଡୋଜରେ ନେବାକୁ ପଡୁନଥିବାରୁ ଟିକାକରଣ ଅଭିଯାନରେ ସାମିଲ କରିବା ସହଜ । ଟିକାରେ କମ୍ପାନୀ ଏଡିନୋ ଭାଇରସର ବ୍ୟବହାର କରିଛି । ଟିକା ଶରୀରରେ ପହଞ୍ଚିବା ପରେ କଣିକା କରୋନା ଭାଇରସ୍ ପ୍ରୋଟିନ୍ ତିଆର କରିଥାଏ । ଏହା ପରେ ପ୍ରୋଟିନ୍ ଭାଇରସ୍ ସାମ୍ନା କରିବାକୁ ଇମ୍ୟୁନ ସିଷ୍ଟମର ସହାୟତା କରିଥାଏ । କୋଭିଡ୍ ବିରୋଧୀ ଯୁଦ୍ଧକୁ ଏହା ଆହୁରି ଅଧିକ ଶାଣିତ କରିବ । ଗୁରୁବାର କମ୍ପାନୀ ଜରୁରୀକାଳୀନ ବ୍ୟବହାର ନେଇ ଆବେଦନ କରିଥିବା ସୂଚନା ଦେଇଥିଲା ।