ରୋହିତ ତୁମେ ଫେରି ଆସ..
କରୋନା ଦଙ୍ଗଲରେ ହାରିଗଲେ ରୋହିତ । କାନକୁ ବିଶ୍ୱାସ ହେଉନଥିବା,ସତକୁ ଗ୍ରହଣ କରିହେଉନଥିବା ଏ ଖବର ଆଜି ଯେମିତି ସମସ୍ତଙ୍କୁ ନିସ୍ତବ୍ଧ କରିଦେଇଛି । କେବେଳ ସାମ୍ବାଦିକ ନୁହଁନ୍ତି କି ସହକର୍ମୀ ନୁହଁନ୍ତି, ରୋହିତଙ୍କୁ ଯେ ଜାଣିଛି ସେ ଝୁରୁଛି । ବତୁରି ଯାଇଛି ଆଖିଠୁ ଛାତି । ସୋସିଆଲ ମିଡଆରେ ଛାଇଯାଇଛି ସରଦାନାଙ୍କ ପାଇଁ ଶୋକର ବାର୍ତା ।
ରୋହିତ ଆଉ ନାହାନ୍ତି । ଏ ଖବର ଯେମିତି ଆଜି ଯେମିତି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଘରେ ଘରେ ପରିଚିତ ଥିବା ଟିଭି ପରଦାରେ ଲୋକଙ୍କୁ ସଚେତନ କରାଉଥିବା ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ବିୟୋଗ ଘଟିଛି । ଗତ କିଛିଦିନ ହେବ କରୋନାରେ ସଂକ୍ରମିତ ଥାଇ ଚିକିତ୍ସିତ ହେଉଥିଲେ ରୋହିତ । ରୋହିତ ସଂକ୍ରମିତ ହୋଇ ସୁସ୍ଥ ହେଉଥିଲେ। ଗୁରୁବାର ରାତିରେ ନିଜର ସହକର୍ମୀଙ୍କୁ ଫୋନ୍ କରି କଥା ମଧ୍ୟ ହୋଇଥିଲେ। ହେଲେ ବିଳମ୍ୱିତ ରାତିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ନୋଏଡାର ମେଟ୍ରୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ହୃଦଘାତ ହେବାରୁ ତାଙ୍କର ବିୟୋଗ ହୋଇଛି।
ଗତକାଲି ସକାଳ ୮ଟା ୪୬ରେ ଶେଷ ଟ୍ୱିଟ୍ କରିଥିଲେ ସରଦାନା । କୋଭିଡ୍ ସଂକ୍ରମିତଙ୍କୁ ରେମଡେସିଭିର ଇଞ୍ଜେକ୍ସନ୍ ଆବଶ୍ୟକତା ନେଇ ସରଦାନା ଟ୍ୱିଟ୍ କରିଥିଲେ । ହେଲେ ଆଜି ହଠାତ୍ ତାଙ୍କର ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ।ଦୀର୍ଘ ଦିନ ଧରି ଜି’ ନ୍ୟୁଜରେ ଆଙ୍କର୍ ଭାବେ କାର୍ୟ୍ୟ କରିଥିବା ରୋହିତ ସରଦାନା ଏବେ ଆଜ୍ ତକ ନ୍ୟୁଜ ଚ୍ୟାନେଲରେ ଆଙ୍କର ଭାବେ କାର୍ୟ୍ୟ କରୁଥିଲେ। ଜି ନ୍ୟୁଜର ସମ୍ପାଦକ ସୁଧିର ଚୌଧରୀ ଟ୍ୱିଟ୍ କରି ରୋହିତଙ୍କ ଦେହାନ୍ତର ସୂଚନା ଦେଇଥିଲେ। ସୁଧିର ଚୌଧରୀ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ‘କିଛି ସମୟ ପୂର୍ବରୁ ଜିତେନ୍ଦ୍ର ଶର୍ମାଙ୍କର ଫୋନ ଆସିଥିଲା। ସେ ଯାହା କହିଲେ, ତାହା ଶୁଣି ମୋ ହାତ ଥରି ଉଠିଲା। ତାହା ଥିଲା ଆମର ବନ୍ଧୁ ତଥା ସହକର୍ମୀ ରୋହିତ ସରଦାନାଙ୍କ ମୃତ୍ୟୁ ଖବର। ଏହି ଭାଇରସ ଆମର ଅତି ନିକଟତର ଜଣେ ବନ୍ଧୁଙ୍କ ଜୀବନ ନେଇଯିବ ତାହା କେବେ କଳ୍ପନା ମଧ୍ୟ କରିନଥିଲି। ଏଥିପାଇଁ ମୁଁ ପ୍ରସ୍ତୁତ ମଧ୍ୟ ନଥିଲି। ଭଗବାନ ଏହା ଅନ୍ୟାୟ କରିଛନ୍ତି। ଓଁ ଶାନ୍ତି।‘
ରୋହିତଙ୍କ ମୃତ୍ୟୁ ଖବରକୁ କେହି ବି ଗ୍ରହଣ କରିପାରୁନାହାନ୍ତି । ରୋହିତଙ୍କ ଦେହାନ୍ତ ଖବର ସାମ୍ବାଦିକ ଜଗତକୁ ଏକ ବଡ କ୍ଷତି ବୋଲି କୁହାଯାଉଚି । ତାଙ୍କ ଦେହାନ୍ତରେ ଅନେକ ବରିଷ୍ଠ ସାମ୍ବାଦିକ, ରାଜନେତା ଟ୍ୱିଟ୍ କରି ଗଭୀର ସମବେଦନା ଜଣାଇଛନ୍ତି