ସାମ୍ବାଦିକ ସମ୍ମୁଖ କରୋନା ଯୋଦ୍ଧା
ସାମ୍ବାଦିକଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମହାମାରୀ ସମୟରେ ସାମ୍ବାଦିକଙ୍କ କାର୍ୟ୍ୟକୁ ପ୍ରଂଶସା କରିଛନ୍ତି ନବୀନ । ଯଦି କରୋନା କାରଣରୁ କୌଣସି ସାମ୍ବାଦିକଙ୍କର ମୃତ୍ୟୁ ହୁଏ ତେବେ ୧୫ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ ବୋଲି କହିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ରାଜ୍ୟର ୬୯୪୪ ଜଣ କାର୍ୟ୍ୟରତ ସାମ୍ବାଦିକ ଉପକୃତ ହେବେ ।
ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି ଯେ, ମହାମାରୀ ଭଳି ସଙ୍କଟ ସମୟରେ ରାଜ୍ୟବାସୀଙ୍କୁ କରୋନା ସମ୍ପର୍କିତ ଖବର ପହଞ୍ଚାଇବା ସହ ଲୋକଙ୍କୁ ସଚେତନ କରାଉଛନ୍ତି ସାମ୍ବାଦିକମାନେ । କରୋନା ଲଢ଼େଇରେ ସାମ୍ବାଦିକମାନେ ବଡ଼ ସହଯୋଗ କରୁଛନ୍ତି।ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରାଜ୍ୟର ୬ ହଜାର ୯୪୪ ଜଣ କାର୍ୟ୍ୟରତ ସାମ୍ବାଦିକ ଏହାର ଲାଭ ପାଇବେ । ଏହି ଯୋଜନାରେ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯାଉଛି ।
ତେବେ କରୋନା ଆକ୍ରାନ୍ତ ହୋଇ ରାଜ୍ୟର କିଛି ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। କରୋନା ମହାମାରୀ ମଧ୍ୟରେ ଲୋକଙ୍କ ପାଖରେ ଖବର ପହଞ୍ଚାଇବା ଏବଂ ସେମାନଙ୍କୁ ସଚେତନ କରାଇବା ଯାତ୍ରାରେ କିଛି ସାମ୍ବାଦିକଙ୍କ ଜୀବନ ଦୀପ ଲିଭିଯାଇଛି।