ସାନିଟାଇଜର ପିଇ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ
ବିଧାନସଭାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲେ ବିଧାୟକ । ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ ସାନିଟାଇଜର ପିଇବା ସମୟରେ ଛଡ଼ାଇ ନେଇଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।
ମଣ୍ଡି ସମସ୍ୟାକୁ ନେଇ ପୂର୍ବରୁ ମଧ୍ୟ ଥରେ ଆତ୍ମହତ୍ୟା ଚେତାବନୀ ଦେଇଥିଲେ ବିଧାୟକ ସୁବାସ ପାଣିଗ୍ରାହୀ ।ରାଜ୍ୟର ବିଭିନ୍ନ ଅଂଚଳରେ ମଣ୍ଡି ସମସ୍ୟା ଦେଖାଦେଇଥିବାରୁ ଏହାକୁ ତୁରନ୍ତ ସମାଧାନ କରିବାକୁ ସେ ଦାବି କରିଥିଲେ । ଆଜି ମଧ୍ୟ ଗୃହ ଆରମ୍ଭରୁ ଧାନ କିଣା ସମସ୍ୟାକୁ ନେଇ ବିରୋଧୀ ହୋହାଲ୍ଲା କରିଥିଲେ । ତେବେ ୪ଟାରେ ଗୃହ ଆରମ୍ଭ ହେବା ପରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ତର ରଖୁଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିଧାୟକ।ତେବେ ବିଧାନସଭା ଭିତରେ ଜଣେ ବିଧାୟକଙ୍କ ଏପରି ଉଦ୍ୟମକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।
ବିଧାୟକ ସୁବାଷ ପାଣିଗ୍ରାହୀ କହିଥିିଲେ ଯେ, ସାରା ରାଜ୍ୟରେ ଧାନ ମଣ୍ଡି ସମସ୍ୟା ଦେଖାଦେଇଛି । ମଣ୍ଡିରୁ ଧାନ ଠିକ୍ ସେ ଉଠୁନାହିଁ । ଯେଉଁ ଚାଷୀ ଆତ୍ମହତ୍ୟା କରିବା ପାଇଁ ଧମକ ଦେଲେ ସେମାନଙ୍କ ଧାନ ଉଠାଗଲା, ହେଲେ ଅନ୍ୟାମାନଙ୍କ ଧାନ ସେମିତି ପଡିରହିଛି । ଏହାର ତୁରନ୍ତ ସମାଧାନ ନହେଲେ ସେ ଆତ୍ମହତ୍ୟା କରିବେ ।