ବିଚାରପତି ଭଗବାନଙ୍କ ଠାରୁ କମ୍ ନୁହଁନ୍ତି !
ଦେବାଳୟରେ ଆପଣ ଭଗବାନଙ୍କ ସାମ୍ନାରେ ମୁଣ୍ଡ ନୁଆଁଇଲା ବେଳେ ଏକ ଅଗାଢ ବିଶ୍ୱାସ ଆପଣଙ୍କ ମନରେ ଆସିଯାଏ । ଭାବନା ତିଆରି ହୁଏ ଭଗବାନ ଆପଣଙ୍କ ଗୁହାରୀ ଶୁଣିବେ, ଆଉ କଷ୍ଟକର ସମୟରୁ ମୁକ୍ତି ଦେବେ । ହେଲେ ଏଠି ଯେଉଁ ଦିଗଟି ଗୁରୁତ୍ୱପୂର୍ଣ୍ଣ ତାହେଲା ଆପଣ ଭଗବାନଙ୍କୁ ଯାହା କୁହନ୍ତି, ଯେଉଁ ନିବେଦନ କରନ୍ତି, ଠାକୁର ତାହା ଶୁଣୁଛନ୍ତି କି ନାହିଁ ଜାଣିପାରନ୍ତିନି । କେବଳ କର୍ମକୁ ଅପେକ୍ଷା କରି ରହିଥାନ୍ତି । ହେଲେ ଆଜିର ଦିନରେ ଯାହାଙ୍କ କଥା ଆମେ ଆପଣଙ୍କ ସାମ୍ନାରେ ରଖିବୁ, ତାହା କେଉଁ ଭଗବାନଙ୍କ ଠାରୁ ମଧ୍ୟ କମ ନୁହେଁ । କରୋନା ସମୟରେ ଯେମିତି ଧଳା ପୋଷାକଧାରୀ ଭଗବାନ ଅର୍ଥାତ୍ ଡାକ୍ତରଙ୍କୁ ସମସ୍ତେ ସଲାମ ଜଣାଇଲେ ଠିକ ସେହିଭଳି ଦେଶର ନ୍ୟାୟମୁର୍ତ୍ତିଙ୍କୁ ମଧ୍ୟ ସମାନ ଢଙ୍ଗରେ ଦେଖାଯାଉଛି । କାରଣ ଏମାନଙ୍କ ହାତରେ ଥିବା କ୍ଷମତା ଏବଂ ସତ ମିଛକୁ ବାଛିବାର ଦକ୍ଷତା, ନ୍ୟାୟ ଆଉ ଅନ୍ୟାୟକୁ ବିଚାର କରି ରାୟ ଦେବାର ଅଧିକାର ଏମାନଙ୍କୁ ଆସାଧାରଣ କରି ରଖିଛି ।
ଥରେ ଚିନ୍ତା କରନ୍ତୁ, ବିଚାରପତି ଆସନରେ ବସିଥିବା ମାନ୍ୟବର ନ୍ୟାୟମୁର୍ତ୍ତି ଯେତେବେଳେ ମାମଲାର ଶୁଣାଣି କରନ୍ତି, ତାଙ୍କ ସାମ୍ନାରେ ଥିବା ଦଲିଲ ଆଉ ତଦନ୍ତକାରୀ ଅଧିକାରୀ ଦେଇଥିବା ଦସ୍ତାବିଜ ଯଥେଷ୍ଟ ମହତ୍ତ୍ୱ ରଖେ । ଏହି ସମସ୍ତ ଦଲିଲର ପ୍ରତିଟି ଶଦ୍ଦ, ଚାର୍ଜଶିଟରେ ଲେଖାଯାଇଥିବା ସମସ୍ତ ତଥ୍ୟ ଉପରେ ଯେତେବେଳେ ବିଚାରପତି ଆଖି ବୁଲାଇ ଆଣିଥାନ୍ତି, ସେତେବେଳେ ସତ ଆଉ ମିଛ ସମସ୍ତଙ୍କୁ ସାମ୍ନାକୁ ଆସିଯିବାର ବିଶ୍ୱାସ ଜନ୍ମିଥାଏ । ଭୁଲ କରିଥିବା ବ୍ୟକ୍ତିର ଓକିଲ ହୁଅନ୍ତୁ ଅବା ସରକାରୀ ଓକିଲ କିମ୍ବା ପ୍ରତିପକ୍ଷ ଓକିଲ ସେମାନେ ଯୁକ୍ତି ଜରିଆରେ ନିଜ ମହକିଲଙ୍କୁ ବଂଚାଇବା ପାଇଁ ଯଥେଷ୍ଟ ଉଦ୍ୟମ କରିଥାନ୍ତି । ହେଲେ କଳାକୋର୍ଟ ପିନ୍ଧି ବସିଥିବା ବିଚାରପତି ତଉଲିଥାନ୍ତି ସତ ମିଛର ଫରକକୁ । ବୁଝିଥାନ୍ତି ଘଟଣାକ୍ରମକୁ ଆଉ ଏହା ଉପରେ ହିଁ ନିର୍ଣ୍ଣୟ ହୋଇଥାଏ ଜଣେ ବ୍ୟକ୍ତିର ଭାଗ୍ୟ କଣ ହେବ । ନ୍ୟାୟ ପାଇବାକୁ କେହି ସାଧାରଣ ଲୋକଟିଏ ଯେମିତି ବଂଚିତ ନହେବ ସେଦିଗ ପ୍ରତି ଯଥେଷ୍ଟ ଯତ୍ନବାନ ଥାନ୍ତି ନ୍ୟାୟମୁର୍ତ୍ତି । ଯାହା ସେମାନଙ୍କୁ ଭଗବାନର ପରିଚୟ ମଧ୍ୟ ଦେଇଥାଏ ।
ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଟି. ଏସ. ଠାକୁର । ୨୦୧୬ ଏପ୍ରିଲ ମାସର ଏକ ଘଟଣାକ୍ରମରେ ଦେଶର ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ କାନ୍ଦି ପକାଇଥିଲେ । କଣ ଏମିତି ପ୍ରସଙ୍ଗ ଥିଲା, ଯାହା ଦେଶର ନ୍ୟାୟମୁର୍ତ୍ତିଙ୍କ ଆଖିକୁ ଜକେଇ ଦେଇଥିଲା? ଆମ ବ୍ୟବସ୍ଥାରେ ଯେତେବେଳେ ଜଣେ ସାଧାରଣ ଲୋକ ନ୍ୟାୟ ପାଇବାକୁ ବଂଚିତ ହୁଏ ତାହା ଦେଶର ମୁଖ୍ୟ ବିଚାରପତିଙ୍କୁ ମଧ୍ୟ ଦୁଃଖ ଦେଇପାରେ । ଏକଥା ସେଦିନ ସାରା ଦେଶ ଦେଖିଥିଲା । କାରଣ ଗାଁ ଦାଣ୍ଡରୁ ଆରମ୍ଭ କରି ବିରାଟ ଅଟ୍ଟାଳିକା ଭିତରେ ରହୁଥିବା ପ୍ରତି ଲୋକର ଭରସା ଥାଏ କୋର୍ଟ କଚେରୀ ଉପରେ । ଗାଁ ମହାଜନ, ପୁଲିସ, ପ୍ରଶାସନ, ବ୍ୟବସ୍ଥା ସମସ୍ତେ ଯେତେବେଳେ ବିଫଳ ହୋଇଥାନ୍ତି ସେତେବେଳେ ସାଧାରଣ ଜନତାର ଭରସା ଆଉ ଆସ୍ଥାର ପ୍ରତୀକ ପାଲଟିଥାଏ ଆମର ବିଚାର ବ୍ୟବସ୍ଥା । ତେଣୁ ବିଚାର ଅପେକ୍ଷାରେ ଆଉ ନ୍ୟାୟ ପାଇବା ପାଇଁ ଅପେକ୍ଷା କରିଥିବା ବ୍ୟକ୍ତିକି ଯେତେବେଳେ ଅହେତୁକ ବିଳମ୍ବର ଶୀକାର ହୁଏ, ସେଦିଗରେ ଚିନ୍ତା କରି ନିଜ ବେଦନାକୁ ସମସ୍ତଙ୍କ ସାମ୍ନାରେ ରଖିଥିଲେ ଜଷ୍ଟିସ ଟି. ଏସ. ଠାକୁର ।
ଦେଶରେ ପାଖାପାଖି ୪ କୋଟି କେସ୍ ସମାଧାନ ଅପେକ୍ଷାରେ ରହିଛି । ଫେବୃୟାରୀ ୨୦୦ରେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଦେଶର ସୁପ୍ରିମକୋର୍ଟ, ହାଇକୋର୍ଟ, ଜିଲ୍ଲା କୋର୍ଟ, ସେସନ୍ସ କୋର୍ଟ ଆଦିରେ ଏସବୁ ମାମଲା ବିଚାରାଧୀନ ରହିଛି । କେଉଁ ମାମଲାରେ ତାରିଖ ମିଳିପାରୁନାହିଁ ତ ଆଉ କେଉଁ ମାମଲାର ବିଚାର ସରିପାରୁନାହିଁ । ଏମିତି ଅନେକ ଉଦାହରଣ ରହିଛି, ଯେଉଁଥିରେ ଜାମିନ ପାଇବାକୁ ଅପେକ୍ଷା କରିଥିବା ବ୍ୟକ୍ତିଟିର ତାରିଖ ଆସିପାରୁନାହିଁ, ଆଉ ସେ ମାସ ମାସ ଧରି ଜେଲର ଚାରିକାନ୍ଥ ଭିତରେ ସମୟ କାଟୁଛି । ଏହି ତଥ୍ୟ ରଖିବାର ଗୋଟିଏ ବଡ ଦିଗ ହେଉଛି, ଏତେ ସବୁ ମାମଲାର ବିଚାର କରି ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ରାୟ ଦେବା ଏତେ ସହଜ କଥା ମଧ୍ୟ ନୁହେଁ । କାରଣ ଲୋକ ସଂଖ୍ୟା ଆମ ଦେଶରେ ଯେଉଁ ମାତ୍ରାରେ ବଢି ଚାଲିଛି ସେହି ମାତ୍ରାରେ କଣ ବିଚାରପତି ନିଯୁକ୍ତି ଆମ ଦେଶରେ ହୋଇଛି କି? ନିୟମ ପ୍ରଣୟନ କରୁଥିବା ତଥା ରାଜ୍ୟ ଆଉ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଏଦିଗରେ ମଧ୍ୟ ନଜର ରଖିବାର ଆବଶ୍ୟକତା ରହୁଛି ।
ଯେଉଁ ସମୟରେ ଜଷ୍ଟିସ୍ ଠାକୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଭାଙ୍ଗି ପଡିଥିଲେ ସେତେବେଳର ତଥ୍ୟ କହୁଥିଲା ପେଣ୍ଡିଙ୍ଗ କେସ୍ ସବୁର ସମାଧାନ କରିବାକୁ ଦେଶରେ ଆହୁରି ୭୦ ହଜାର ବିଚାରପତିଙ୍କର ଆବଶ୍ୟକତା ରହୁଛି । ହେଲେ ଚିନ୍ତା କଲା ଭଳି ଦିଗଟି ହେଉଛି, ଦେଶରେ ଜଣେ ବିଚାରପତିଙ୍କର ନିଯୁକ୍ତିକୁ ନେଇ ଟଣାଓଟରା ଭଳି ସ୍ଥିତି ମଧ୍ୟ ଦେଖିବାକୁ ମିଳିଥାଏ । ଯେତେବେଳେ ଆବଶ୍ୟକୀୟ କୋର୍ଟ ଆଉ ଭିତ୍ତିଭୂମି ନଥିବ, ସେତେବେଳେ ଆମେ ନ୍ୟାୟପାଳିକାରୁ କଣ ଆଶା କରିପାରିବା?
ରାଜ୍ୟରେ ବି ସମାନ ସ୍ଥିତି । ଜୁଲାଇ ୨୦୨୦ରେ ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରୀଡର ଏକ ତଥ୍ୟ କହୁଛି, ରାଜ୍ୟରେ ୫ ବର୍ଷରୁ ଅଧିକ ସମୟ ଧରି ପଡି ରହିଥିବା ମାମଲାର ସଂଖ୍ୟା ୪୬ ହଜାରରୁ ଅଧିକ । ଆଉ ପୁରା ରାଜ୍ୟରେ ଫଇସଲା ଅପେକ୍ଷାରେ ରହିଛି ୧ ଲକ୍ଷ ୬୧ ହଜାରରୁ ଅଧିକ ମାମଲା । ୧୦ ବର୍ଷରୁ ଅଧିକ ଦିନ ଧରି ଚାଲିଥିବା ମାମଲା ସଂଖ୍ୟା ୨୮ ହଜାରରୁ ଅଧିକ । ଏହା ପଛର ବଡ କାରଣ କଣ? ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି, ବିଚାରପତିଙ୍କ ସଂଖ୍ୟାରେ ଅଭାବ । ଓଡିଶା ହାଇକୋର୍ଟରେ ସର୍ବାଧିକ ୨୭ ଜଣ ବିଚାରପତି ରହିପାରିବେ ହେଲେ ଦୀର୍ଘ ବର୍ଷ ଧରି ଅନେକ ପଦ ଖାଲି ରହି ଆସିଛି । ପାଖାପାଖି ୪୦ ପ୍ରତିଶତ ବିଚାରପତି ପଦବୀ ଯଦି ଖାଲି ରହିବ, ତେବେ କିଭଳି ତ୍ୱରିତ ନ୍ୟାୟ ପାଇବାର ଆଶାରେ ଜଣେ ସାଧାରଣ ଲୋକ ରହିପାରିବ?
ଏଥିପାଇଁ ଦାୟୀ କିଏ? ଏହାର ଉତ୍ତର ଖୋଜିବା ଆଗରୁ ନ୍ୟାୟପାଳିକା ଉପରେ ସାଧାରଣ ଜନତାର ଆସ୍ଥା ଆଉ ବିଶ୍ୱାସକୁ ମଧ୍ୟ ବୁଝିବାର ଆବଶ୍ୟକତା ରହିଛି । ଜଣେ ବ୍ୟକ୍ତି ଯେତେବେଳେ ସବୁ ଦିଗରୁ ବିଫଳ ହୁଏ, ସେ ବୁଝେ ଆଉ ଜାଣେ ମୋ ପାଇଁ କୋର୍ଟ ରହିଛି । ଜିଲ୍ଲା କୋର୍ଟ ନହେଲେ ହାଇକୋର୍ଟ ଅବା ସୁପ୍ରିମକୋର୍ଟ । ବିଭିନ୍ନ ପର୍ଯ୍ୟାୟରେ ସେ ନ୍ୟାୟ ପାଇବାର ଆଶାରେ ଆଗକୁ ବଢିଥାଏ ଏବଂ ଶେଷରେ ନ୍ୟାୟ ପାଇଥାଏ ମଧ୍ୟ । ଯାହା ନ୍ୟାୟପାଳିକା ଉପରେ ଆସ୍ଥାକୁ ଆହୁରି ମଜଭୁତ କରିଥାଏ । ସାଧାରଣ ଲୋକ ନ୍ୟାୟ ପାଇବାର ଅନେକ ନଜିରକୁ ଆପଣ ମନେ ପକାଇ ପାରିବେ । ଅନେକ ଚଳଚିତ୍ର ନିର୍ମାଣ ହୋଇଛି ଯେଉଁଠି କୋର୍ଟ କଚେରୀ ଉପରେ ଆମର ବିଶ୍ୱାସ ଆହୁରି ମଜଭୁତ ହୋଇଛି ।
ନ୍ୟାୟମୁର୍ତ୍ତିଙ୍କର ମଧ୍ୟ ହୃଦୟ ରହିଛି । ସେମାନେ ମଧ୍ୟ ଭଲ ଭାବେ ଜାଣିଛନ୍ତି ବିଚାର ଅପେକ୍ଷାରେ ଥିବା କୋଟି କୋଟି ମାମଲା ସେମାନଙ୍କ ଉପରେ ବୋଝ ସଦୃଶ । ଭଲ ଭାବେ ବୁଝିଛନ୍ତି କୋଟି କୋଟି ଜନତା ସେମାନଙ୍କ ରାୟକୁ ଅପେକ୍ଷା କରିଛନ୍ତି । ହୃଦୟଙ୍ଗମ କରିଛନ୍ତି, ଜାମିନ ପାଇବାକୁ ମଧ୍ୟ କିଏ ଜେଲରେ ମାସ ମାସ ଧରି ବସି ରହିଛି । ସମସ୍ତ ପ୍ରତିବନ୍ଧକ ଆଉ ଭିତ୍ତିଭୂମିର ଅଭାବକୁ ପଛରେ ପକାଇ ଆଜି ମଧ୍ୟ ପ୍ରତିଟି ଲୋକଙ୍କୁ ନ୍ୟାୟ ଦେବାକୁ ପ୍ରତିଶ୍ରୁତିବଦ୍ଧ ଦେଶର ନ୍ୟାୟମୁର୍ତ୍ତି ।
ଶେଷରେ କେବଳ ଏହି ତଥ୍ୟ ଉପରେ ନଜର ପକାନ୍ତୁ, ୧୯୮୭ରେ ଲ କମିଶନ ୪୪ ହଜାର ବିଚାରପତିଙ୍କ ଆବଶ୍ୟକତା ଥିବା ରିପୋର୍ଟ ପ୍ରଦାନ କରିଥିଲେ, ଆଉ ଆଜି ଦେଶରେ ବିଚାରପତିଙ୍କ ସଂଖ୍ୟା ପ୍ରାୟ ୧୮ ହଜାର । ତେଣୁ ନ୍ୟାୟ ପାଇବାର ଏହି ବିଳମ୍ବିତ ପ୍ରକ୍ରିୟାରୁ ଦେଶକୁ ମୁକ୍ତି ଦେଇପାରିବେ ସରକାର, ଯିଏ ନୀତି ପ୍ରଣୟନ କରୁଛନ୍ତି । ଯେଉଁ ସମୟରେ ଆମର ଭିତ୍ତିଭୂମି ମଜଭୁତ ହୋଇଯିବ, କୈାଣସି ବିଚାରପତି ପଦବୀ ଖାଲି ରହିବ ନାହିଁ ସେତେବେଳେ ସାଧାରଣ ଲୋକଟିଏ ମଧ୍ୟ ନ୍ୟାୟ ପାଇବାକୁ ବର୍ଷ ପରେ ବର୍ଷ ଅପେକ୍ଷା କରିବ ନାହିଁ ।