ସାବଧାନ! ହସ୍ପିଟାଲରେ ବୁଲୁଛି କିଡନୀ ଦଲାଲ
ସାବଧାନ! ହସ୍ପିଟାଲରେ ବୁଲୁଛନ୍ତି କିଡନୀ ଦଲାଲ । କିଡନୀ ଦେବା ନାଁରେ ଠକେଇ ମାମଲାରେ ଅଭିଯୁକ୍ତ ହିମାଂଶୁ ନନ୍ଦ ଗିରଫ ପରେ ମାଳମାଳ ମାମଲା ସାମନାକୁ ଆସିଛି । ଖୋଲୁଛି କିଡନୀ ନାଁରେ ଦଲାଲଗିରି କରୁଥିବା ଠକର କାରନାମା ।
କିଡନ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କାର ଠକେଇ । କେବେଳ ଜଣେ ନୁହେଁ ଅନେକ ଲୋକଙ୍କୁ ଠକିଛି ଅଭିଯୁକ୍ତ ହିମାଂଶୁ ନନ୍ଦ । ଜଣେ ବ୍ୟକ୍ତିଙ୍କଠାରୁ କିଡନ ଦେବା ନାଁରେ ସାଢେ ୧୮ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିବା ନେଇ ମଂଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୁଲିସ ରାକେଟ ପଛର ମୁଖ୍ୟ ଖଳନାୟକ କିଏ ସେନେଇ ଛାନଭିନ ଆରମ୍ଭ କରିଛି ।
ଗିରଫ ପରେ ଅଭିଯୁକ୍ତ ହିମାଂଶୁ ନନ୍ଦଙ୍କ ନାଁରେ ବଢ଼ିଛି ଅଭିଯୋଗ ସଂଖ୍ୟା । ନୟାପଲ୍ଲୀ, ଲକ୍ଷ୍ମୀସାଗର ପରେ ମଞ୍ଚେଶ୍ୱର ଥାନାରେ ହୋଇଛି ଅଭିଯୋଗ । କିଡନୀ ଦେବାକୁ କହି ଅଶୋକ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୧୮ ଲକ୍ଷ ୫୩ ହଜାର ଟଙ୍କା ଠକିନେଇଥିବା ନେଇ ମଂଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ଅଶୋକଙ୍କର ଏକ ଘରୋଇ ହସପିଟାଲରେ ଡାଏଲିସିସ ଚାଲିଥିବାବେଳେ ତାଙ୍କୁ ଟାର୍ଗେଟ ବନାଇଥିଲା ଏହି ଠକ । ହେଲେ ଏହା ପଛରେ ଏକ ରାକେଟ କାମ କରୁଥିବା ଅଭିଯୋଗ କରିଛନ୍ତି ଅଶୋକ । ୨୦୧୯ରେ ଟଙ୍କା ନେଇଥିବା ବେଳେ ୨୦୨୦ ଜାନୁଆରୀରେ କିଡନୀ ପ୍ରତିରୋପଣ କରିବାକୁ କହିଥିଲେ । ହେଲେ ମାସ ପରେ ମାସ ଗଡ଼ି ଚାଲିଥିଲା କିଡନୀ ଦେଇନଥିଲା । ସନ୍ଦେହ ହେବାରୁ ସମ୍ପୃକ୍ତ ହସ୍ପିଟାଲକୁ ପଚାରିବାରୁ ଏଭଳି କୌଣସି ଲୋକ ନାହାନ୍ତି ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଥିଲେ ।
ହିମାଂଶୁ ରାକେଟରେ ଏକାଧିକ ଲୋକଙ୍କ ହାତ ଥିବା ସନ୍ଦେହ କରିଛି ପୋଲିସ । ଗତକାଲି ନୟାପଲ୍ଲୀ ଓ ଲକ୍ଷ୍ମୀସାଗର ଥାନାରେ କିଡନୀ ଦେବାକୁ କହି ୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା । ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ହିମାଂଶୁ କିଭଳି ଠକେଇ କରୁଥିଲା ଜାଣିବା ପାଇଁ ରିମାଣ୍ଡରେ ଆଣଛି କମିଶନରେଟ ପୋଲିସ ।