THE BYAPINI

ବିଜେପିକୁ ‘କୋଟିଆ’ ଅଡୁଆ !

Get real time updates directly on you device, subscribe now.

ବିଧାନସଭାରେ କେଉଁ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ବିଜେପି, ତାକୁ ନେଇ ଦ୍ୱନ୍ଦ୍ୱ ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି । ଧାନ କିଣାରେ ଅନିୟମିତତାକୁ ନେଇ ଦଳ ସରକାରକୁ ଘେରିବା ଆରମ୍ଭ କରିଥିବା ବେଳେ କୋଟିଆ ମାମଲାରେ କିନ୍ତୁ ଏଯାଏଁ ଶାନ୍ତ ରହିଛି । ସେପଟେ ବିରୋଧିଦଳ ନେତା କିନ୍ତୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖୀ ସ୍ଥାତାବସ୍ଥା ବଜାୟ ରଖୀବାକୁ ଆହ୍ୱାନ ଦେଉଛନ୍ତି । ଏଭଳି ବିଷମ ପରିସ୍ଥିତି ପଛର କାରଣ କଣ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେହିଭଳି ପରୀ ମାମଲାରେ ରାଜ୍ୟ ବିଜେପିର ଆଭିମୁଖ୍ୟ ଶାଣିତ ଥିବା ବେଳେ ଗୃହ ଭିତରେ ନେତା ଏହି ପ୍ରସଙ୍ଗ ଉଠାଉ ନଥିବା ଦେଖିବାକୁ ମିଳିଛି । ଗୋଟିଏ ଗୋଟିଏ ପ୍ରସଙ୍ଗ ଉଠାଇ ସରକାରକୁ ଅକଳରେ ପକାଇବାକୁ ବିଜେପି ରଣନୀତି କରିଛି ନା ଦଳ ଏବଂ ବିଧାୟକ ଦଳ ଭିତରେ ସମନ୍ୱୟର ଅଭାବ ରହିଛି ତାର ସମୀକ୍ଷା ଆରମ୍ଭ ହୋଇଛି ।

ବିଜେପି ପାଇଁ କୋଟିଆ ପ୍ରସଙ୍ଗ ଏତେ ସହଜ ହେବାନାହିଁ । ଯଦିଓ ବିଧାନସଭାର ଠିକ ଆଗରୁ ରାଜ୍ୟ ବିଜେପି ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ସ୍ଥିତିର ଅନୁଧ୍ୟାନ କରି ଆସିଛନ୍ତି, ତଥାପି ଗୃହ ଭିତରେ ଏଯାଏଁ ଏହି ମୁଦ୍ଦାକୁ ସାମ୍ନାକୁ ଆଣିନାହିଁ ଦଳ । କୁହାଯାଉଛି, ବିଜେପି ଏହି ପ୍ରସଙ୍ଗ ଉଠାଇଲେ ଅକଳରେ ପଡିବ ବୋଲି ଆକଳନ କରି ଏଭଳି ରଣନୀତି ଆପଣାଯାଇଛି । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଏକ ନରମ ଆଭିମୁଖ୍ୟ ରହିଛି, ଏପରିକି ଆବଶ୍ୟକ ସ୍ଥଳେ ଏନଡିଏ ସପକ୍ଷରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଠିଆ ହେବେ ବୋଲି ରାଜନୈତିକ ସମୀକ୍ଷକ ମତ ରଖୁଛନ୍ତି ତେଣୁ ପ୍ରଧାନମନ୍ତ୍ରୀ ଚାହିଁଲେ ସ୍ଥିତାବସ୍ଥା ବଜାୟ ରଖିବାକୁ କହିପାରିବେ ବୋଲି ରାଜ୍ୟରେ ଶାସକ ବିଜୁ ଜନତା ଦଳ ଉଠାଇପାରେ । ତେଣୁ ବିଜେପି ମାପିଚୁପି ଏହି ପ୍ରସଙ୍ଗ ଉପରେ ବୟାନ ରଖୁଛି । ସେହିଭଳି ରାଜ୍ୟରୁ ଦୁଇ ଜେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କାହିଁକି କରୁନାହାନ୍ତି ବୋଲି ପ୍ରସଙ୍ଗ ଉଠିବ । ଅନ୍ୟ ସମସ୍ତ ପ୍ରସଙ୍ଗରେ ମୁଣ୍ଡ ଖେଳାଉଥିବା କେନ୍ଦ୍ରମନ୍ତ୍ରୀ ଦୁଇଜଣ ଏହି ମାମଲାରେ ଚୁପ୍ କାହିଁକି ଅଛନ୍ତି ବୋଲି କଥା ଉଠିବ । ତେଣୁ ଧାନ କଥା ଉଠାଇ ବିଜେପି ଚାଷୀଙ୍କ ପ୍ରିୟ ବୋଲି ଦେଖାଇବାକୁ ଚେଷ୍ଟା କରୁଛି । କାରଣ ସାରା ଦେଶରେ ତିନୋଟି ନୁଆ ଚାଷ ଆଇନକୁ ନେଇ ମୋଦି ସରକାର ଆଉ ବିଜେପି ବିରୋଧରେ ଏକ ବାତାବରଣ ତିଆରି ହେବାରେ ଲାଗିଛି ।

ତେବେ ବିଜେପିକୁ ଅଡୁଆ ହେବାକୁ ଯାଉଥିବା ଦିଗଟି ହେଉଛି, ଆନ୍ଧ୍ର ରାଜ୍ୟପାଳ ଏବେ ଅଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ । ସେ କାହିଁକି ଏହ ମାମଲାରେ ସାମ୍ନାକୁ ଆସୁନାହାନ୍ତି ଆଉ ରାଜ୍ୟ ସ୍ୱାର୍ଥ ରକ୍ଷା କରିବାକୁ ଆଗଭର ହେଉନାହାନ୍ତି, ସେହି ପ୍ରଶ୍ନ ମଧ୍ୟ ଶାସକ ଦଳ ଉଠାଇପାରେ । ଯାହାକୁ ନେଇ ବିଜେପି ଅକଳରେ ପଡିଯିବ । କୋଟିଆରେ ଆନ୍ଧ୍ର ନିର୍ବାଚନ କରାଇବା ପରେ ରାଜ୍ୟରେ ସମସ୍ତଙ୍କ ସ୍ୱର ଯେପରି ଶାଣିତ ହେବା କଥା ତାହା ହେବା ବଦଳରେ ନିଜ ନିଜ ଦଳ କଣ ଫାଇଦା ପାଇବ ତାକୁ ଆକଳନ କରି ଦଳ ଏବଂ ସରକାର କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଉନାହାନ୍ତି, କେନ୍ଦ୍ରକୁ ଚିଠି ଲେଖୁନାହାନ୍ତି, ଅନ୍ୟ କାହାର ହସ୍ତକ୍ଷେପ ଲୋଡୁନାହାନ୍ତି, ଉଚ୍ଚସ୍ତରୀୟ ଟିମ୍ ପଠାଇ ମାମଲାର ଅନୁଧ୍ୟାନ କରୁନାହାନ୍ତି । ଏହା ପଛର ସବୁଠାରୁ ବଡ କାରଣ ହେଉଛି ରାଜନୈତିକ ଲାଭ କ୍ଷତିର ହିସାବ କିତାବ ଚାଲିଛି । ନୀତି ଆୟୋଗ ବୈଠକରେ ଯେଉଁ ଉକ୍ତି ମୁଖ୍ୟମନ୍ତ୍ରୀ ରଖିଥିଲେ, ତାକୁ କାର୍ଯ୍ୟକାରୀ କରିବାର ବେଳ ଆସିଛି । ଗୋଟିଏ ନିର୍ବାଚିତ ସରକାର ଦଳ ମତରୁ ଉଦ୍ଧ୍ୱର୍କୁ ଯାଇ ରାଜ୍ୟ ପାଇଁ ଏବଂ ଲୋକଙ୍କ ପାଇଁ କାମ କରିବା ଦରକାର । ବାସ୍, ଏକଥା ଆଉ ଭାଷଣରେ ନୁହେଁ ବାସ୍ତବିକତାରେ ମଧ୍ୟ କାର୍ଯ୍ୟକାରୀ କରି ଦେଖାଇବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.