କୋଟିଆ କଳି: କାହାର ଯୁକ୍ତି କ’ଣ?
ଆନ୍ଧ୍ର ଓଡିଶା ଟଣାଭିଡ଼ ଭିତରେ କୋଟିଆକୁ ନେଇ ହଟଚମଟ ଲାଗିରହିଛି । କେବେ ଲୋକଙ୍କୁ ନେତା ବନାଇବାର ମୋହ ଦେଖାଇ ତ କେବେ ସରକାରୀ ସୁବିଧା ଯୋଗାଇ କୋଟିଆକୁ ହାତେଇବାକୁ ଷଡଯନ୍ତ୍ର କରୁଛି ଆନ୍ଧ୍ର । ଏହାରି ଭିତରେ କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି ଓଡିଶା । ୫ଶହ ପୃଷ୍ଠାର ସତ୍ୟପାଠ ଦାଖଲ କରିଛନ୍ତି କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦାଲ ଅଖତର ।
କୋଟିଆରେ ଆନ୍ଧ୍ର ପ୍ରଦେଶ ସରକାର ପଂଚାୟତ ନିର୍ବାଚନ କରିବା ପରେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଓଡିଶା ସରକାର । ବିବାଦୀୟ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ସତ୍ୱେ ଆନ୍ଧ୍ର କିଭଳି ଏକପାଖିଆ ଭାବେ ସେଠାରେ ଅନଧିକାର ପ୍ରବେଶ କରୁଛି ସେନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାମଲା ସୁପ୍ରିମକୋର୍ଟରେ ଥିବାବେଳେ ଗତମାସରେ ସତ୍ୟପାଠ ଜରିଆରେ ଯୁକ୍ତି ଉପସ୍ଥାପନ କରିଥିଲା ଆନ୍ଧ୍ର । ଏହାର ଜବାବୀ ଉତ୍ତର ରଖି ୫ଶହ ପୃଷ୍ଠାର ସତ୍ୟପାଠ ଦାଖଲ କରିଛନ୍ତି କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦାଲ ଅଖତର ।
ଓଡିଶା ଦାବି କରୁଥିବା ୩ ଗାଁ ଗଂଜେଇବାଦରା, ପାଟୁଚିନ୍ନାଉରୁ, ଫଲଗୁଚିନ୍ନାଉରୁ ଅନ୍ଧ୍ରପ୍ରଦେଶର ଆରକୁ ଲୋକସଭା ଓ ସାଲୁର ବିଧାନସଭା କ୍ଷେତ୍ରରେ ଆସୁଛି ବୋଲି ଆନ୍ଧ୍ର ଯୁକ୍ତି ରଖିଥିବା ବେଳେ ୨୦୧୧ ଜନଗଣନା ଅନୁସାରେ କୋଟିଆର ବିବାଦୀୟ ଗାଁ ପଟାଙ୍ଗୀ ତାଲୁକରେ ରହିଛି ବୋଲି ଓଡିଶାର ଯୁକ୍ତି ରହିଛି । ତିନିଟିଯାକ ଗାଁରେ ୨୦୦୬ ଓ ୨୦୧୩ରେ ପଂଚାୟତ ନିର୍ବାଚନ ଆନ୍ଧ୍ର ସରକାର କରିଥିଲେ ବୋଲି ଆନ୍ଧ୍ର କହିଛି । ହେଲେ ଓଡିଶାର ଯୁକ୍ତି ହେଉଛି ଆନ୍ଧ୍ର ବେଆଇନ ଭାବେ ନିର୍ବାଚନ କରୁଛି । ପ୍ରତ୍ୟେକଥର ଉଚ୍ଚସ୍ତରୀୟ ହସ୍ତକ୍ଷେପ ପରେ ନିର୍ବାଚନକୁ ବନ୍ଦ କରାଯାଉଛି । ସେହିପରି ଆନ୍ଧ୍ରର ଯୁକ୍ତି ରହିଛସେ ସମୟର ଭୋଟର ତାଲିକା ଏବଂ ଜିତିଥିବା ପ୍ରାର୍ଥୀଙ୍କ ନାଁ କୋର୍ଟରେ ଦାଖଲ କରିଛି ଆନ୍ଧ୍ର । ହେଲେ ଓଡିଶାର ଯୁକ୍ତି ନିର୍ବାଚନ ବନ୍ଦ କରିବାକୁ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ୧୯୬୬ ଅକ୍ଟୋବର ୧୪ରେ ଆନ୍ଧ୍ର ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଥିଲେ । ୨୦୧୪ରେ ସଂସଦ ଓ ବିଧାନସଭା ନିର୍ବାଚନରେ ଏହିସବୁ ଗ୍ରାମରେ ଥିବା ଭୋଟରଙ୍କ ତାଲିକା କୋର୍ଟରେ ନ୍ଧ୍ର ଦେଇଛି ବୋଲି ଯୁକ୍ତି ରଖିଥିବା ବେଳେ ଓଡିଶାର ଯୁକ୍ତି ୨୦୦୯ ଫେବ୍ରୁଆରୀ ୨୮ ତାରିଖରେ କୋଟିଆ ପୋଲିସ ଷ୍ଟେସନ ସ୍ଥାପନ କରାଯାଇଛି । ଏସବୁ ଗାଁ ସେହି ଥାନା ଅଧିନରେ ଆସୁଛି । ସେହିପରି ଆନ୍ଧ୍ର ସତ୍ୟପାଠରେ ଉଲ୍ଲେଖ କରିଛି ଯେ, ୧୯୬୮ ଓ ୨୦୦୬ରେ ଏହି ଅଂଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ଆନ୍ଧ୍ର କାର୍ୟ୍ୟ କରୁଛି । କୋଟିଆ ଗାଁରେ ଆନ୍ଧ୍ର ବିକାଶମୂଳକ କାମରୁ ନିବୃତ ରହୁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ତତକାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କୁ ଚିଠି ଲେଖିଥିଲେ ବୋଲି ଓଡିଶାର ଯୁକ୍ତି ରହିଛି ।