ନବୀନ ଯିବେ କୋଟିଆ
ରାଜ୍ୟ ସରକାରଙ୍କ ଫୋକସରେ କୋଟିଆ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେସନ୍ସିଂ ମାଧ୍ୟମରେ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ହୋଇଥିବା ବେଳେ ୫ କୋଟି ଟଙ୍କାର ଗୋଟିଏ ସେତୁ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ରଖାଯାଇଛି । ସମୁଦାୟ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଛି।
ମୁଖ୍ୟମନ୍ତ୍ରୀ କୋଟିଆର ବିକାଶକୁ ଦେଇଛନ୍ତି ଗୁରୁତ୍ବ। କୋଟିଆ ପଞ୍ଚାୟତରେ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଏହାକୁ ଆଦର୍ଶ ପଞ୍ଚାୟତ କରାଯିବ ବୋଲି ଘୋଷଣା କରିଛନ୍ତି। ସବୁଠାରୁ ବଡ ଘୋଷଣାଟି ହେଲା, ସେ ନିଜେ ଖୁବଶୀଘ୍ର କୋଟିଆ ଗସ୍ତରେ ଯିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ସୁଦ୍ଧା କୋଟିଆରେ ସମୁଦାୟ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଛି।
ମୁଖ୍ୟମନ୍ତ୍ରୀ ବିଭିନ୍ନ ଅନ୍ନତିମୂଳକ କାର୍ୟ୍ୟର ଉଦଘାଟନ କରିବା ଅବସରରେ କହିଛନ୍ତି, ସେ ଖୁବ୍ଶୀଘ୍ର କୋଟିଆ ଅଞ୍ଚଳକୁ ଗସ୍ତ କରି ଲୋକମାନଙ୍କୁ ଭେଟିବେ । କୋଟିଆ ଅଞ୍ଚଳକୁ ଏକ ଆଦର୍ଶ ପଞ୍ଚାୟତ ଭାବରେ ଗଠନ କରାଯିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଟିଆ ପଞ୍ଚାୟତରେ ଶିକ୍ଷା, ସ୍ବାସ୍ଥ୍ୟ, ଯୋଗାଯୋଗ, ପିଇବା ପାଣି, ବିଜୁଳି ଆଦି ସବୁ ସୁବିଧାର ବିକାଶ କରାଯାଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡିଶା ଆମର ମା । ଓଡିଆ ଆମର ଭାଷା । ମହାପ୍ରଭୁ ଜଗନ୍ନାଥ ଆମର ବଡ ଠାକୁର । ଜଗନ୍ନାଥ ସଂସ୍କୃତି ଆମର ସଂସ୍କୃତି। କୋରାପୁଟକୁ ଆମେ ଦ୍ବିତୀୟ ଶ୍ରୀକ୍ଷେତ୍ର ବୋଲି କହିଥାଉ । ସ୍ବାଧୀନତା ସଂଗ୍ରାମରେ ମଧ୍ୟ କୋରାପୁଟ ବଡ ଭୂମିକା ନିଭାଇଛି । ଏହି ଅବସରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ।