ଭୟ ବଢାଉଛି ଭାଇରସ
ଦେଶରେ କରୋନା ସଂକ୍ରମଣ ଏବେ ସୀମା ଡେଇଁଯାଇଛି । କରୋନାଭାଇରସ୍ର ଦ୍ବିତୀୟ ଲହର ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଦେଶରେ ଏକ ପ୍ରକାର ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରତିଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ମୃତ୍ୟୁ ସଂଖ୍ୟା ଲଗାତାର ବଢ଼ୁଥିବାରୁ ଭୟ ବଢ଼ିଛି। ଅନେକ ରାଜ୍ୟରେ ଲକଡାଉନ, କୋଭିଡ କଟକଣା ସତ୍ୱେ ମଧ୍ୟ ସଂକ୍ରମଣ ଅଣାୟତ ହେବାରେ ଲାଗିଛି ।
ଚତୁର୍ଥ ଥର ପାଇଁ ୪ ଲକ୍ଷ ଉପରେ ଦେଶରେ ଦୈନିକ ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ଲକ୍ଷ ୧ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୧୮୭ଜଣଙ୍କ ମୃତ୍ୟୁ ହୋଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୧୮,୯୨,୬୭୬ ରହିଛି। ସେଥିମଧ୍ୟରୁ ୩୭,୨୩,୪୪୬ ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୨.୩୮ ଲକ୍ଷ ଛୁଇଁଛି। ଦେଶବ୍ୟାପୀ ଆଜି ସୁଦ୍ଧା କରୋନାରୁ ୧ କୋଟି ୭୬ ଲକ୍ଷ ୧୨ ହଜାର ଲୋକ ସୁସ୍ଥ ହୋଇଛନ୍ତି। ଗତ କିଛି ଦିନ ମଧ୍ୟରେ ସୁସ୍ଥ ହେବା ହାର ହ୍ରାସ ପାଇବାରେ ଲାଗିଛି ଏବଂ ଏହା ୮୧.୯୯ ପ୍ରତିଶତରେ ପହଞ୍ଚିଛି। ଏହା ସହିତ ସକ୍ରିୟ ମାମଲା ଲଗାତାର ବଢ଼ିବାରେ ଲାଗିଛି। ଆଜି ଦେଶରେ ମୋଟ୍ ସକ୍ରିୟ ମାମଲା ୩୬ ଲକ୍ଷ ୪୫ ହଜାର ୧୬୪ ରହିଛି। ଏହା ମୋଟ ସଂକ୍ରମଣ ସଂଖ୍ୟାର ୧୬.୯୨ ପ୍ରତିଶତ।
ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକରେ କରୋନା ସଂକ୍ରମଣକୁ ନେଇ ସବୁଠାରୁ ଖରାପ ସ୍ଥିତି ରହିଛି। କର୍ଣ୍ଣାଟକ ସରକାର ମେ’ ୧୦ରୁ ୨୪ ପର୍ୟ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରିଛନ୍ତି। ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ସପ୍ତାହେ ହେଲା ୬୦ ହଜାର ପାଖାପାଖି ରହୁଛି।