ଅଧା ସମ୍ବଲପୁର ସଂକ୍ରମିତ
ଅଧିକ କରୋନା ନମୂୂନା ପରୀକ୍ଷା କଲେ ଅଧିକ ସଂକ୍ରମିତ ଚିହ୍ନଟ ହେୁଛନ୍ତି । ଦୁଇଦିନ ଧରି ରାଜ୍ୟରେ ୫୦ହଜାର ନମୁନା ପରୀକ୍ଷା କରାଯାଉଥିଲା। ଫଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ହଜାର ଉପରେ ୧୨ ହଜାର ପାଖାପାଖି ରହିଥିଲା। ହେଲେ ଗତ ୨୪ଘଣ୍ଟାରେ ରାଜ୍ୟରେ ନମୁନା ପରୀକ୍ଷା ହଠାତ୍ ହ୍ରାସ ପାଇଛି। ଫଳରେ ସଂକ୍ରମିତଙ୍କ ସଂଖ୍ୟା ୧୦,୬୫୩କୁ ଖସି ଆସିଛି। ରାଜ୍ୟରେ ଦୈନିକ ସଂକ୍ରମଣ ବଢିବା କମିବା ସଂକ୍ରମଣରେ ହ୍ରାସ ନୁହେଁ, ବରଂ ଏହା ନମୁନା ପରୀକ୍ଷା ଉପରେ ନିର୍ଭର କରୁଥିବା ସ୍ପଷ୍ଟ ହୋଇଯାଇଛି। ତେବେ ରାଜ୍ୟର ସମସ୍ତ ଜିଲ୍ଲାରୁ ସମ୍ବଲପୁରର ସଂକ୍ରମଣ ହାର ସବୁଠୁ ଅଧିକ ରହିଛି ।
ରାଜ୍ୟରେ ଗତ ୨୪ ଘଂଟାରେ ୧୦ ହଜାର ୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩ଶହ ୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୨୪, କଟକରୁ ୭୨୦, ପୁରୀରୁ ୭୦୮, ଅନୁଗୁଳରୁ ୪୫୬, ବରଗଡ଼ରୁ ୪୫୦, କଳାହାଣ୍ଡିରୁ ୪୩୩, ଝାରସୁଗୁଡ଼ାରୁ ୪୧୮, ଯାଜପୁରରୁ ୩୨୮, ନୂଆପଡାରୁ ୩୧୧, ସମ୍ବଲପୁରରୁ ୩୦୨, ନବରଙ୍ଗପୁରରୁ ୩୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣରେ ଏବେ ଚିନ୍ତା ବଢ଼ାଉଛି କଟକ, ପୁରୀ, ସୁନ୍ଦରଗଡ଼ ଜିଲ୍ଲା । ସେହିପରି ୧୭ ଜଣଙ୍କ ଜୀବନ ନେଇଛି କରୋନା ।
ଗୋଟିଏ ପଟେ ରାଜ୍ୟରେ ନମୁନା ପରୀକ୍ଷାରେ ହ୍ରାସ ହୋଇଥିଲେ ହେଁ, ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍ରେ ବିଶେଷ ଫରକ ଦେଖିବାକୁ ମିଳିନାହିଁ। ସମ୍ବଲପୁର ଜିଲ୍ଲାରେ ଟିପିଆର୍ ଲଗାତାର ଭାବେ ୫୦ ପ୍ରତିଶତ ଉପରେ ରହି ଆସୁଛି। ଏପରିକି ନିକଟରେ ଜିଲ୍ଲାରେ ଟିପିଆର୍ ୫୭ ପ୍ରତିଶତ ରହିବାରୁ ଏହା ଦେଶର ସବୁଠାରୁ ଅଧିକ ଟିପିଆର ଥିବା ଜିଲ୍ଲା ଭିତରେ ସାମିଲ ହୋଇଥିଲା। ସେହିପରି ଗତ ୨୪ଘଣ୍ଟାରେ କଳାହାଣ୍ଡିରେ ଟିପିଆର୍ ୪୦ ପ୍ରତିଶତ ଉପରେ ରହିଥିବା ରେକର୍ଡ କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଲଗାତାର ଭାବେ ଟେଷ୍ଟ ପଜିଟିଭ୍ ରେଟ୍ ଅଧିକ ରହିବା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।