ସାବଧାନ! ୧୨ ହଜାର ଡେଇଁଲା..
ସ୍ଥିତି ଏମିତି ଯେ ପୁରା ଓଡିଶା ଏବେ ବିପଦରେ । ତାଲାବନ୍ଦର କୌଣସି ପ୍ରଭାବ ନାହିଁ । ଦିନକୁ ଦିନ ଓଡିଶାରେ ସ୍ଥିତି ଅତି ଭୟଙ୍କର ହେବାରେ ଲାଗିଛି । । ରାଜ୍ୟରେ ରେକର୍ଡ ଭାଙ୍ଗିଛି ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ୧୨ ହଜାର ୩୯୦ ଆକ୍ରାନ୍ତ । ଯାହା ସବୁଠୁ ଅଧିକ । କରୋନା ନମୂନା ପରୀକ୍ଷା ମଧ୍ୟ ଗତ ୨୪ ଘଂଟାରେ ସବୁଠୁ ଅଧିକ ହୋଇଛି । ଟେଷ୍ଟିଂ ବଢିବାରୁ ସଂକ୍ରମଣ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଛି ।
କରୋନା ଦ୍ୱିତୀୟ ଲହରରେ ଦିନକରେ ୫୬ ହଜାର ୨୧୪ ସର୍ବାଧିକ କରୋନା ନମୂନା ପରୀକ୍ଷା କରାଯାଇଛି । ସେହି ଅନୁପାତରେ ସଂକ୍ରମଣ ସଂଖ୍ୟା ମଧ୍ୟ ୧୨ ହଜାର ୩୯୦ ଚିହ୍ନଟ ହୋଇଥିବା ବେଳେ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ଯାହା ଦ୍ୱିତୀୟ ଲହର ଏଯାଏ ଚିହ୍ନଟ ହୋଇଥିବା ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ସବୁଠୁ ଅଧିକ । ଖୋର୍ଦ୍ଧା ଓ ସୁନ୍ଦରଗଡ ଜିଲ୍ଲା ହଟସ୍ପଟ ଥିବା ବେଳେ ଖୋର୍ଦ୍ଧାରେ ଗତ ୨୪ ଘଂଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଟପିଛି । ଯାହା ସରକାରଙ୍କ ନିଦ ହଜାଇଦେଇଛି । ତା ପଛକୁ ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୮୮୨ । ସେହିପରି କଟକରୁ ୭୧୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯୁଆଡେ ଦେଖିବ ସାଡେ ସ୍ଥିତି ସାଂଘାତିକ । ଆଗକରୁ ସହରାଂଚଳରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ଗାଁ ମାନଙ୍କରେ ବ୍ୟାପିଗଲାଣି ସଂକ୍ରମଣ ।
ମେ ପହିଲାରୁ ଏଯାଏ ୧୪ ଦିନ ମଧ୍ୟରେ ଲକ୍ଷେ ୪୪ ହଜାର ୪୯୩ ଜଣ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇଥିବା ବେଳେ ମୋର୍ଟ ୨୩୦ ଜଣଙ୍କ ମୃତ୍ୟୁ ହୋଇଛି । କରୋନା ଚେନକୁ ବ୍ରେକ କରିବା ପାଇଁ ଲକଡାଉନ, ସଟଡାଉନ ଲାଗୁ କରାଯାଇଥିଲେ ମଧ୍ୟ ଏଯାଏ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ । ତେଣୁ ରାଜ୍ୟ ସରକାର ଅଧିକରୁ ଅଧିକ ଟେଷ୍ଟିଂ କରିବା ଉପରେ ଫୋକସ ଦେଇଛନ୍ତି । ଏପଟେ ଟିକାକରଣ ବି ଜୋରଦାର ଚାଲିଛି ।