ମୃତ୍ୟୁରେ ଲାଗୁନି ବ୍ରେକ୍
ଦେଶରେ କମୁଛି ଦୈନିକ କରୋନା ସଂକ୍ରମଣ ମାମଲା । ହେଲେ ମୃତ୍ୟୁରେ ଲାଗୁନି ବ୍ରେକ । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୨ ଲକ୍ଷ ୫୭ ହଜାର ୨୯୯ଟି ପଜିଟିଭ୍ ମାମଲା ଚିହ୍ନଟ ହୋଇଛନ୍ତି । ୪ ହଜାର ୧୯୪ ଜଣ ସଂକ୍ରମିତଙ୍କ ଜୀବନ ନେଇଛି କରୋନା । ତେବେ ବଡ କଥା ହେଉଛି ଆକ୍ରାନ୍ତଙ୍କ ଅପେକ୍ଷା ବଢିଲା ସୁସ୍ଥ ହାର । ଏହି ସମୟ ମଧ୍ୟରେ ୩ଲକ୍ଷ ୫୭ହଜାର ୬୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଦୈନିକ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ସଂକ୍ରମଣ ହ୍ରାସ ପାଉଥିଲେ ହେଁ ମୃତ୍ୟୁସଂଖ୍ୟାରେ କୌଣସି ବ୍ରେକ ଲାଗୁନି। ପ୍ରତିଦିନ ୪ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବାରେ ଲାଗିଛନ୍ତି। ଗତ ୨୪ ଘଣ୍ଟାରେ ମୋଟ ୨୦, ୬୬,୨୮୫ଟି ନମୁନା ପରୀକ୍ଷା କରାଯାଇଥିଲା। ଏହା ମଧ୍ୟରୁ ୨,୫୭,୨୯୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୬୨,୮୯,୨୯୦ରେ ପହଞ୍ଚି ଯାଇଛି। ଦେଶରେ କରୋନା ମୃତ୍ୟୁ ହାର ୧.୧୨ ପ୍ରତିଶତ ରହିଥିବା ବେଳେ ସୁସ୍ଥତା ହାର ୮୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ସଂକ୍ରମଣ ମାମଲା ୧୨ ପ୍ରତିଶତରୁ ତଳକୁ ଖସିଛି । କରୋନାର ସକ୍ରିୟ ସଂକ୍ରମଣ ମାମଲାରେ ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ।
୨୪ ଘଣ୍ଟା ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୩୬,୧୮୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏହା ପଛକୁ କର୍ଣ୍ଣାଟକାରେ ୩୨,୨୧୮, କେରଳରେ ୨୯,୬୭୩, ମହାରାଷ୍ଟ୍ରରେ ୨୯,୬୪୪ ଓ ଆନ୍ଧ୍ର ପ୍ରଦେଶରେ ୨୦,୯୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।