ଚିନ୍ତା ବଢାଇଲା ବାଲେଶ୍ୱର
ରାଜ୍ୟରେ କମିଲା ସଂକ୍ରମଣ । ୩ ହଜାର ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । ଆଉ ଦିନକରେ ପରେ ରାଜ୍ୟ ସରକାରଙ୍କ ତାଲାବନ୍ଦ କଟକଣା ସରିବାକୁ ଯାଉଥିବା ବେଳେ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସ୍ଥିର ରହିଥିଲା । ୩ ହଜାର ତଳକୁ ଆକ୍ରାନ୍ତଙ୍କ ସଂଖ୍ୟା କମୁନଥିବା ବେଳେ ସଂକ୍ରମଣ ହାର ମଧ୍ୟ ୫ ପ୍ରତିଶତ ଉପରେ ରହୁଥିଲେ । ବିଶେଷକରି ଉପକୂଳବର୍ତୀ ଅଂଚଳଗୁଡିକ ଅଧିକ ଚିନ୍ତା ବଢାଇଛନ୍ତି । ତେବେ ବାଲେଶ୍ୱରରେ ଏବେ ସଂକ୍ରମଣ ଉପରମୁହାଁ ହୋଇଛି ।
ରାଜ୍ୟରେ ଗତ ୨୪ ଘଂଟାରେ ୬୩ ହଜାର ୬୯୫ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୨ ହଜାର ୬୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୪.୧୪ % । କଟକ, ଖୋର୍ଦ୍ଧାକୁ ଟପିଛି ବାଲେଶ୍ୱର । ଦିନକରେ ବାଲେଶ୍ୱରରୁ ସର୍ବାଧିକ ଆକ୍ରାନ୍ତ ୩୯୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୬୬ ଓ ଖୋର୍ଦ୍ଧାରୁ ୩୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତସିଂହପୁରରୁ ୧୩୨, ଯାଜପୁରରୁ ୧୬୨, ମୟୁରଭଂଜରୁ ୧୫୫,ଭଦ୍ରକରୁ ୧୨୮,ନୟାଗଡରୁ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୯ ଲକ୍ଷ ୬ ହଜାର ୪୨୯ରେ ପହଚିଂଥିବା ବେଳେ ସୁସ୍ଥହେଲେଣି ୮ ଲକ୍ଷ ୭୦ ହଜାର ୭୮୭ ଜଣ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୧ହଜାର ୬୧୯ ।