ରାଜ୍ୟରେ କମୁଛି ସଂକ୍ରମଣ..କିନ୍ତୁ ନିୟନ୍ତ୍ରଣକୁ ଆସୁନି ଖୋର୍ଦ୍ଧା
ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ । ସଂକ୍ରମଣ ହାର ରହିଛି ୩.୪୯ % । ଅନ୍ୟ ସବୁ ଜିଲ୍ଲାରେ ସଂକ୍ରମଣ ଧୀରେ ଧୀରେ କମୁଥିବା ବେଳେ କଟକ ଓ ଖୋର୍ଦ୍ଧାରେ କିନ୍ତୁ କମିବାର ନାଁ ନେଉନି । ଯାହା ଚିନ୍ତାଜନକ । ସେହିପରି ଗତ ୨୪ ଘଂଟାରେ ୫୯ ମୃତ୍ୟୁର ହିସାବ ଦେଇଛନ୍ତି ସରକାର ।
ଗତ ୨୪ ଘଂଟାରେ ୭୪ ହଜାର ୪୬୮ ନମୂନା ପରୀକ୍ଷା ହୋଇଥିବା ବେଳେ ୨୬ ଶହ ୦୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୯୭ ଜଣ, ବାଲେଶ୍ୱରରୁ ୧୬୪ ଜଣ,ଜଗତସିଂହପୁରରୁ ୯୧ ଜଣ,ଢେଙ୍କାନାଳରୁ ୯୩ ଜଣ, ମୟୁରଭଂଜରୁ ୧୪୧ ଜଣ, ପୁରୀରୁ ୧୭୪ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୯ ହଜାର ୭୮୮ରେ ପହଚିଂଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୮ ହଜାର ୧୫ଜଣ ।
ସେହିପରି ନୂଆ ୫୯ଟି ମୃତ୍ୟୁ ମାମଲାକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୪ ହଜାର ୨୯୯କୁ ବୃଦ୍ଧି ପାଇଛି । ଜୁଲାଇ ମାସର ୭ ଦିନରେ ୧୯,୯୮୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୪୦ ଜଣଙ୍କ କରୋନାରେ ମୃତ୍ୟୁ ହେଲାଣି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୦ଜଣ, ବରଗଡ଼, ଢେଙ୍କାନାଳ, ପୁରୀ ଜିଲ୍ଲାରୁ ୫ଜଣ ରହିଛନ୍ତି । ସୁନ୍ଦରଗଡ଼, ରାୟଗଡ଼ା, ନୟାଗଡ଼,ଗଞ୍ଜାମ ଜିଲ୍ଲାରୁ ୪ଜଣ ରହିଥିବା ବେଳେ କଳାହାଣ୍ଡି, କେନ୍ଦ୍ରାପଡ଼ା, ନବରଙ୍ଗପୁର ଜିଲ୍ଲାରୁ ୩ଜଣ ରହିଛନ୍ତି । ସେହିପରି କଟକ, ଯାଜପୁର, ମୟୁରଭଞ୍ଜ ଜିଲ୍ଲାରୁ ୨ଜଣ ରହିଥିବା ବେଳେ ଅନୁଗୁଳ , ଜଗତସିଂହପୁର, କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।