ଟେଷ୍ଟ କମୁଛି , ସଂଖ୍ୟା କମୁଛି!
ରାଜ୍ୟରେ କରୋନା ଟେଷ୍ଟ କମୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା କମୁନି ତ ? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ, ଗତ କିଛି ଦିନ ହେବ ରାଜ୍ୟରେ କରୋନା ନମୂନା ପରୀକ୍ଷା କମିଛି । ତେଣୁ ସେଥିପାଇଁ ସଂକ୍ରମଣ ସଂଖ୍ୟା ସ୍ଥିର ରହିଥିବା ଅନୁମାନ କରାଯାଇପାରେ । ଏପ୍ରିଲ ପହିଲାରୁ ରାଜ୍ୟରେ ସଂକ୍ରମଣ ଲମ୍ବା ଡିଆଁ ମାରିଥିବା ବେଳେ ଗତ ୬ ଦିନ ହେବ ସଂକ୍ରମଣ ସ୍ଥିର ରହିଛି । ଅର୍ଥାତ ୬ ହଜାର ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି କିନ୍ତୁ ୭ ହଜାର ଟପିନି ।
ରାଜ୍ୟରେ କମ୍ ନମୁନା ପରୀକ୍ଷା କରାଯିବାରୁ ଆକ୍ରାନ୍ତଙ୍କ ସଂଖ୍ୟା କମ ଆସୁଥାଇପାରେ । କାରଣ ଗତ ୨୪ ଘଂଟାରେ ୩୬ ହଜାର ୮୪୫ ନମୂନା ପରୀକ୍ଷା ହୋଇଥିବା ବେଳେ ୬ ହଜାର ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୫ରେ ୩୯ ହଜାର ୬୪୨ ନମୁନା ପରୀକ୍ଷା କରାଯାଇଥିବାବେଳେ ୬୫୯୯ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିପରି ୨୪ତାରିଖରେ ୪୩ ହଜାର ୭୬୫ ନମୁନାରୁ ୬୧୧୬, ପଜିଟିଭ୍ ବାହାରିଥିଲେ । ୨୩ରେ ୪୧ହଜାର ୧୭ ନମୁନାରୁ ୬ହଜାର ୬୪୭ ପଜିଟିଭ୍ ହୋଇଥିଲେ । ତେଣୁ ଏଠି ପ୍ରଶ୍ନ ଉଠୁଛି ଟେଷ୍ଟ କମିବାରୁ ସଂଖ୍ୟା କମୁନି ତ ?ଗତକାଲି ଡିଏମଇଟି ସିବିକେ ମହାନ୍ତି କହିଥିଲେ, ସଂକ୍ରମଣ ସଂଖ୍ୟା ସ୍ଥିର ରହିବାକୁ ପ୍ଲାଟୋ ଷ୍ଟେଜ କୁହାଯାଏ । ଅର୍ଥାତ ଏହା ପରେ ସଂକ୍ରମଣ କମିବାର ସମ୍ଭାବନା ଥାଏ ।
ତେବେ ଗତ ୨୪ ଘଂଟାରେ ମୃତକଙ୍କ ସଂଖ୍ୟା କିନ୍ତୁ ବଢିଛି । ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦୦୭କୁ ବୃଦ୍ଧି ପାଇଛି । କରୋନାକୁ ନେଇ ସବୁଠାରୁ ଚିନ୍ତା ସୃଷ୍ଟି କରିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିଂହ୍ନଟ ହେଉଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ଏହି ଜିଲ୍ଲାରେ ସର୍ବାଧିକ। ୨୪ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗତକାଲି ଖୋର୍ଦ୍ଧା ଜିଲ୍ଲାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଜି ୪ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି।