‘ରାଜ୍ୟରେ ନିୟନ୍ତ୍ରଣାଧୀନ ଅଛି ଆଇନଶୃଙ୍ଖଳା’
୨୦୨୦ ସୁଦ୍ଧା ରାଜ୍ୟର ଆଇନ ଶୃଙ୍ଖଳା ଭଲ ଅଛି। ରାଜ୍ୟରେ ସାମ୍ପ୍ରଦାୟିକ ସଦଭାବ ବଜାୟ ରହିଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ବିଧାନସଭାରେ ଆଲୋଚନା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବିବୃତି ରଖିଛନ୍ତି । କମିଶନରେଟ୍ ପୋଲିସ ୨୨ ବର୍ଷ ପରେ ଗୋଟିଏ କେସରେ ସଫଳତା ପାଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଓ ନିୟନ୍ତ୍ରଣାଧୀନ ରହିଛି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ।
ରାଜ୍ୟରେ ଆତଙ୍କବାଦ କାର୍ୟ୍ୟକଳାପ ହୋଇନାହିଁ । ନକ୍ସଲ ସମସ୍ୟା ବି ନିୟନ୍ତ୍ରଣରେ ଅଛି । ରାଜ୍ୟରେ ଅପରାଧ ନିୟନ୍ତ୍ରଣରେ ଅଛି । କୋଭିଡ୍ ସ୍ଥିତିରେ ବି ଶୃଙ୍ଖଳିତ କାମ ହୋଇଛି । ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନ ଶାନ୍ତିଶୃଙ୍ଖଳାରେ ସମ୍ପାଦିତ ହୋଇଥିଲା ବୋଲି ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟଟେନ ଦିବ୍ୟଶଙ୍କର ମିଶ୍ର।।
କଟକରେ ଛାତ୍ରୀଙ୍କ ହାତଗୋଡ ବାନ୍ଧି ପୋଡିବା ଘଟଣା ସହ ପରୀ ଓ ପିହୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ମାହାଙ୍ଗା ଡବଲ ମର୍ଡର ଘଟଣା ମଧ୍ୟ ଉଠାଇଲେ ମୋହନ ମାଝୀ । ଏହି ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଇସ୍ତଫା ଦେବା ପାଇଁ ମୁଖ୍ୟମନ୍ତ୍ରୀ କୁହନ୍ତୁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି । ବିଜେପୁର ଉପନିର୍ବାଚନ ସମୟରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ମିଛ ମାମଲାରେ ଗିରଫ କରାଯାଇଥିଲା । ତାଙ୍କୁ ଜେଲ୍ ଭିତରେ ବିଷ ଦେଇ ମାରିବାକୁ ଉଦ୍ୟମ କରାଯାଥିଲା । ସ୍ବାମୀ ଜୀବନାନନ୍ଦଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ହୋଇଥିଲା । ଲକ୍ଷଣାନନ୍ଦଙ୍କ ହତ୍ୟାକାରୀଙ୍କୁ ଏଯାଏଁ ଗିରଫ କରାଯାଇନି । ପୋଲିସ ସଂସ୍କାର ଏଯାଏଁ ଆସିପାରିନି । ଆଇନଶୃଙ୍ଖଳା ଓ ତଦନ୍ତ ଅଲଗା ରହୁ ଯାହାଦ୍ବାରା ଲୋକ ନ୍ୟାୟ ପାଇପାରିବେ ବୋଲି ମୋହନ ମାଝୀ କହିଛନ୍ତି ।
ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ରାଜ୍ୟରେ ଆଇନଶୃଙ୍ଖଳା ନାହିଁ । ନାବାଳିକାଙ୍କ ଉପରେ ଅତ୍ୟାଚାର ବଢୁଛି । ରାଜ୍ୟର ବେକାରୀ ବଢ଼ୁଥିବାରୁ ଏଭଳି ସ୍ଥିତି । ସେମାନଙ୍କର ଚିହ୍ନଟ ହେଉନି କି କାର୍ୟ୍ୟାନୁଷ୍ଠାନ ହେଉନି । ମନ୍ତ୍ରୀମାନେ ଅପରାଧରେ ସମ୍ପୃକ୍ତ ଅଭିଯୋଗ ଆଣିଛନ୍ତି ନରସିଂହ । ଯଦି ତଦନ୍ତ ବେଳେ ମନ୍ତ୍ରୀଙ୍କ ବିରୋଧରେ ତଥ୍ୟ ପ୍ରମାଣ ମିଳିଲା ତାଙ୍କୁ ହଟାଯିବା ଦରକାର ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।