THE BYAPINI

ଲୋକହସା କରାଉଛନ୍ତି ଲେଖାଶ୍ରୀ!

Get real time updates directly on you device, subscribe now.

ଓଡ଼ିଆରେ ଏକ ଲୋକ କଥା ରହିଛି, ମୋତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡା କାଠ । ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ଠାରୁ ଏହାର ଭଲ ଉଦାହରଣ କିଏ ବା ହୋଇପାରିବ । ଏକଥା ଆମେ ଏଥିପାଇଁ କହୁଛୁ କାରଣ, ପୂର୍ବରୁ ମୋଦି ଟିକା ନେଇଥିବା କହି ଲେଖାଶ୍ରୀ ଟ୍ରୋଲ ହୋଇଥିଲେ ମଧ୍ୟ ପୂର୍ବ ପ୍ରକୃତି ଛାଡି ନାହାନ୍ତି । ଲୋକଙ୍କର ଗାଳି, ସମାଲୋଚନାର ପ୍ରଭାବ ଟିକିଏ ବି ଲେଖାଶ୍ରୀଙ୍କ ଉପରେ ପଡିଥିବା ଭଳି ମନେ ହେଉନି । ନଚେତ ପୁଣିଥରେ ମୋଦି ଟିକାର ଦ୍ୱିତୀୟ ଡୋଜ ନେଇଥିବା ସୋସିଆଲ ମିଡ଼ିଆରେ ପୋଷ୍ଟ କରିନଥାନ୍ତେ ଲେଖାଶ୍ରୀ । ତେବେ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ଲୋକେ ପଚାରୁଛନ୍ତି, ଦେଶରେ ଟିକାର ଅଭାବ ଭିତରେ ଏ ମୋଦି ଟିକା ଏବେ କେଉଁଠି ମିଳୁଛି? ନା ରାଜନୀତିରେ ତିଷ୍ଠି ରହିବା ପାଇଁ ଏଭଳି ପଲିଟିକାଲ ଡ୍ରାମା କରୁଛନ୍ତି ଲେଖାଶ୍ରୀ । ଲୋକଙ୍କ ମନକୁ ଏଭଳି ପ୍ରଶ୍ନ ଆସିବା ମଧ୍ୟ ସ୍ୱାଭାବିକ । କାରଣ ଦେଶର କୌଣସି ଅନୁଷ୍ଠାନ ଏଯାଏଁ ମହାମାରୀକୁ ମାତ୍ ଦେବାକୁ ମୋଦି ଟିକା ବାହାର କରିଥିବା ନେଇ ଘୋଷଣା କରିନାହିଁ । ତେଣୁ ଏଭଳି ସ୍ଥଳେ ଲେଖାଶ୍ରୀଙ୍କୁ ଏହି ମୋଦି ଟିକା ମିଳିଲା କେମିତି?

ଦେଶରେ ଏବେ ଦୁଇଟି ଟିକା ଦିଆଯାଉଛି କୋଭାକ୍ସିନ ଓ କୋଭିସିଲ୍ଡ । ଆଉ ଆସନ୍ତା ସପ୍ତାହରୁ ବଜାରରେ ଉପଲବ୍ଧ ହୋଇପାରେ ଋଷିଆ ଟିକା ସ୍ପୁଟନିକ-ଭି । କିନ୍ତୁ ଏ ମୋଦି ଟିକା ବାବଦରେ ଏଯାଏଁ ମାତ୍ର ଦୁଇଥର ଶୁଣିବାକୁ ମିଳିଛି ଆଉ ତାହା ବି ପୁଣି ଲେଖାଶ୍ରୀ ମାଡାମଙ୍କ ମୁହଁରୁ । କିନ୍ତୁ ଏହି ଟିକା କେବେ ବାହାରିଲା, କେଉଁ କମ୍ପାନି ଉତ୍ପାଦନ କଲା ସେ ବାବଦରେ ଇଣ୍ଟରନେଟରେ ସର୍ଚ୍ଚ କଲେ ମଧ୍ୟ ମିଳୁନାହିଁ । ଏପରିକି ପ୍ରଥମ ଡୋଜ ଓ ଦ୍ୱିତୀୟ ଡୋଜ ଟିକା ନେବା ଭିତରେ ପାଖାପାଖି ମାସଟିଏ ବ୍ୟବଧାନ ରହୁଛି । କିନ୍ତୁ ଏହି ମାସଟିଏ ମଧ୍ୟରେ ଆଉ କାହା ଭାଗ୍ୟରେ ଏହି ଟିକା ଜୁଟିଲା ନାହିଁ । ତେବେ କଣ କେବଳ ଲେଖାଶ୍ରୀ ମାଡାମଙ୍କ ପାଇଁ ଏହି ଟିକା ଉତ୍ପାଦନ କରାଯାଇଛି ନା ମୋଦି ଟିକା ନାଁରେ ପଲିଟିକାଲ ମାଇଲେଜ ନେବାକୁ ଚାହୁଁଛନ୍ତି ମାଡାମ ଲେଖାଶ୍ରୀ । ଏଭଳି କରି ମହାମାରୀ ମହାସଙ୍କଟ ଭିତରେ ଶସ୍ତା ରାଜନୀତି କରୁନାହାନ୍ତି କି ଲେଖାଶ୍ରୀ ।

ଗୋଟିଏ ପଟେ ବିଜେପିର ଯୁକ୍ତି ମହାମାରୀ ମୁକାବିଲାକୁ ନେଇ ରାଜନୀତି କରାନଯାଉ । କିନ୍ତୁ କରୋନା ଟିକାକୁ ଲେଖାଶ୍ରୀ ମାଡାମ ମୋଦି ଟିକା ଭାବେ ପରିଚୟ ଦେବା କଣ ରାଜନୀତି ନୁହେଁ କି? ଏଭଳି କହି ସାଧାରଣ ଲୋକଙ୍କୁ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଲେଖାଶ୍ରୀ । ଦଳୀୟ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଏଭଳି ବ୍ରିଭାନ୍ତିକର ପୋଷ୍ଟ ଛାଡି ଲେଖାଶ୍ରୀ ଶୀର୍ଷ ନେତୃତ୍ୱଙ୍କ ମନ ଜିଣିବାକୁ ଚାହୁଁଛନ୍ତି । କିନ୍ତୁ ଲେଖାଶ୍ରୀ ଏଭଳି ପୋଷ୍ଟ କରି ଓଡ଼ିଶାବାସୀଙ୍କୁ ଭକୁଆ ବନାଉଛନ୍ତି । କାରଣ ଟ୍ୱିଟରରେ ଲେଖାଶ୍ରୀ ଯେଉଁ ପୋଷ୍ଟ ସେୟାର କରିଛନ୍ତି ସେଥିରେ ଦୁଇଟି ଭାଷା ଇଂରାଜୀ ଓ ଓଡ଼ିଆରେ କ୍ୟାପସନ ଦିଆଯାଇଛି । ଇଂରାଜୀରେ ଯେଉଁ ତଥ୍ୟ ସେୟାର କରାଯାଇଛି ସେଥିରେ କୋଭିଡ ଭ୍ୟାକସିନ ନେଇଥିବା ଉଲ୍ଲେଖ କରିଛନ୍ତି କିନ୍ତୁ ଓଡ଼ିଆରେ ମୋଦି ଟିକାର ଦ୍ୱିତୀୟ ଡୋଜ ନେଉଥିବାର ଦର୍ଶାଇଛନ୍ତି ଲେଖାଶ୍ରୀ । ଏଭଳି କରି ଓଡ଼ିଶାବାସୀଙ୍କୁ ଭ୍ରମିତ କରୁନାହାନ୍ତି କି ଲେଖାଶ୍ରୀ । କାରଣ ଇଂରାଜୀରେ ଲେଖିଲେ ଶୀର୍ଷ ନେତୃତ୍ୱଙ୍କ ସାମ୍ନାରେ ସତ ଧରାପଡିଯିବାର ଭୟ ରହିଛି । ତେଣୁ ଓଡ଼ିଆରେ ମୋଦି ଟିକା ନେଉଥିବା କହି ଲୋକଙ୍କୁୁ ଭୁଆଁ ବୁଲାଉଛନ୍ତି ଲେଖାଶ୍ରୀ ।

ତେବେ ଲେଖାଶ୍ରୀଙ୍କ ଏହି ପୋଷ୍ଟ ପରେ ସୋସିଆଲ ମିଡ଼ିଆରେ ତାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ୟୁଜର୍ସ । ଜଣେ ୟୁଜର୍ସ କହିଛନ୍ତି, ରୋଗ ପାଇଁ ଟିକା ଥାଏ, ମୋଦି କଣ ଗୋଟେ ରୋଗ ଯେ ତାଙ୍କ ନାଁରେ ଭ୍ୟାକସିନ ବାହାରିବ । ସେହିଭଳି ଆଉ କିଛି ୟୁଜର୍ସ ମୋଦି ଟିକାର ପ୍ରଭାବ କଣ ରହୁଛି ତାହା ପଚାରିଛନ୍ତି । କିନ୍ତୁ ଏଭଳି ପୋଷ୍ଟ ଯେ, ଦଳର ଭାବମୂର୍ତ୍ତି ଖରାପ କରୁଛି ତାହା ବୋଧହୁଏ ବୁଝିପାରୁ ନାହାନ୍ତି ଲେଖାଶ୍ରୀ । ନିଜେ ଲୋକହସା ହେବା ସହ ଦଳ ଓ ମୋଦିଙ୍କୁ ମଧ୍ୟ ଲୋକହସା କରାଉଛନ୍ତି । ତେଣୁ ଏବେଠୁ ଲେଖାଶ୍ରୀଙ୍କ ତୁଣ୍ଡରେ ତୁଣ୍ଡି ନ ବାନ୍ଧିଲେ ଦଳକୁ ଆହୁରି ସମାଲୋଚନା ଓ ଟ୍ରୋଲର ଶିକାର ହେବାକୁ ପଡିପାରେ ବୋଲି କହୁଛନ୍ତି ଲୋକେ ।

Get real time updates directly on you device, subscribe now.

Leave A Reply

Your email address will not be published.