ଧୀରେ ଧୀରେ ବନ୍ଦ ହେଉଛି ଧର୍ମାନୁଷ୍ଠାନ
୨୦୨୦ର ପୁଣି ପୁନରାବୃତ ଘଟିଛି । କିଛିଦିନ କଟକଣା ମୁକ୍ତ ଦର୍ଶନ ପରେ ପୁଣି ଥରେ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହେଲା ଲିଙ୍ଗରାଜ ମନ୍ଦିର । ଲିଙ୍ଗରାଜ ମନ୍ଦିରର ଅନେକ ସେବାୟତ କରୋନା ଚିହ୍ନଟ ହେବା ପରେ ବିଏମସି ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଦର୍ଶନ ବନ୍ଦ ନେଇ ନିର୍ଦ୍ଦେଶାନାମା ଜାରି କରାଯାଇଛି। କେବଳ ସେବାୟତଙ୍କ ଦ୍ଵାରା ନୀତିକାନ୍ତି କରାଯିବାକୁ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ନିର୍ଦ୍ଦେଶାନାମା ଯାଏଁ ଏହି କଟକଣା ଜାରି ରହିବ।
ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ଭୁବନେଶ୍ୱରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଲିଙ୍ଗରାଜ ମନ୍ଦିରର ଅନେକ ସେବାୟତ ପଜିଟିଭ ଥିବା ରିପୋର୍ଟରୁ ଜଣାପଡିଛି । ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଉଥିଲା । ଏହି ସମୟରେ ଏକାଧିକ ସେବାୟତ କୋଭିଡ୍ ପଜିଟିଭ୍ ଥିବା ଜଣାପଡିଥିଲା । ଗତକାଲି ୬୦ ଜଣ ସେବାୟତଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ୪ ଜଣ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ୧୮୫ ଜଣ ସେବାୟତଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ସେବାୟତ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ତୁରନ୍ତ ମନ୍ଦିରକୁ ବନ୍ଦ କରିବା ସହିତ ଆଗକୁ ଟେଷ୍ଟିଂ ଓ ଟ୍ରିଟମେଂଟ୍ ଜାରି ରହିବ ବୋଲି ବିଏମସି କମିଶନର କହିଛନ୍ତି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ମଧ୍ୟ ସୂଚନା ଦେଇଛନ୍ତି । ଚଳିତ ବର୍ଷ ପୂର୍ବ ନିଷ୍ପତ୍ତି ଅନୁଯାୟୀ ବିନା ଭକ୍ତରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । କରୋନା ନେଗେଟିଭ ଥିବା ସେବାୟତଙ୍କ ଦ୍ଵାରା ରଥ ଟଣା ହେବ ।