ଓଡିଶାରେ ମେ’ ଶେଷ ଯାଏଁ ବଢିବ କି ଲକଡାଉନ?
ମହାମାରୀର ଭୟାବହ ସ୍ଥିତିକୁ ଦେଖି ଗୋଟିଏ ପରେ ଗୋଟିଏ ରାଜ୍ୟ ଲକଡାଉନ ବୃଦ୍ଧି କରୁଛନ୍ତି । ତେଣୁ ଓଡିଶାରେ ମଧ୍ୟ ଘୁଚିଂପାରେ ଲକଡାଉନ ଅବଧି । କାରଣ ରାଜ୍ୟରେ ସଂକ୍ରମଣ ସ୍ଥିତି ଭୟଙ୍କର ରହିଛି । ୧୪ ଦିନିଆ ଲକଡାଉନ, ସଟଡାଉନ ସରକାର ଲାଗୁ କରିଥିଲେ ମଧ୍ୟ ତାହା ସଂକ୍ରମଣ ବେଗକୁ ପ୍ରତିରୋଧ କରିବାରେ ଏଯାଏଁ ସଫଳ ହୋଇନି । ଏବେ ବି ରାଜ୍ୟରେ ସଂକ୍ରମଣ ହାର ୨୦ ପ୍ରତିଶତ ଉପରେ ରହୁଛି । ତେଣୁ ରାଜ୍ୟ ସରକାର ଆଗକୁ ଆହୁରି କଡା ଆଭିମୁଖ୍ୟ ନେଇପାରନ୍ତି । ଲକଡାଉନ କଟକଣାକୁ କଡାକଡି କରିବା ସହ ଲକଡାଉନ ଅବଧିକୁ ମଧ୍ୟ ମେ ଶେଷ ଯାଏଁ ଘୁଂଚାଇପାରନ୍ତି ।
ରାଜ୍ୟରେ ଗଲା ୭ ଦିନର କୋଭିଡ୍ ସଂକ୍ରମଣ ପରିସଂଖ୍ୟାନକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ହେଉଛି ଯେ , ରାଜ୍ୟରେ ସଂକ୍ରମଣ ଦିନକୁ ଦିନ ମାଡିବାରେ ଲାଗିଛି । ୩୦ଟି ଜିଲ୍ଳାରୁ ୨୯ଟି ଜିଳ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ରହିଥିବା ବେଳେ ସେଥିମଧ୍ୟରୁ ୨୦ଟି ଜିଲ୍ଲାରେ ସଂକ୍ରମଣ ହାର ୨୦ ପ୍ରତିଶତ ଉପରେ । ଆଉ ୭ଟି ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଡ ୩୦ ପ୍ରତିଶତ ଉପରେ । ଅର୍ଥାତ ସ୍ଥିତି ସାଂଘାତିକ । କରୋନା ନମୂନା ପରୀକ୍ଷା ବଢିଲେ ସଂକ୍ରମଣ ସଂଖ୍ୟା ମଧ୍ୟ ବଢୁଛି । ଗଲା ସାତଦିନର ତଥ୍ୟକୁ ସମୀକ୍ଷା କଲେ ଜଣାଯାଏ ଯେ, ୬ ତାରିଖ ଦିନ ସବୁଠାରୁ ଅଧିକ ପଜିଟିଭ୍ ହାର ଲକ୍ଷ୍ୟ କରାଯାଇଛି। ଏହିଦିନ ରାଜ୍ୟରେ ସର୍ବାଧିକ କୋଭିଡ୍ ପଜିଟଭ୍ ହାର ୨୪.୯ ପ୍ରତିଶତ ରହିଥିବା ବେଳେ ୭ ତାରିଖ ଦିନ ପଜିଟିଭ୍ ହାର ୨୩.୩ ପ୍ରତିଶତ ରହିଥିଲ। ସେହିପରି ୮ ତାରିଖ ଦିନ ସଂକ୍ରମଣ ପଜିଟିଭ୍ ହାର ୨୧.୮ ପ୍ରତିଶତ, ୯ ତାରିଖରେ ୨୦.୭୩, ୧୦ ତାରିଖ ଦିନ ୨୧.୧ ପ୍ରତିଶତ ପଜିଟିଭ୍ ହାର ରେକର୍ଡ଼ କରାଯାଇଥିଲା।
ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କଣ୍ଣାଟକ ଭଳି ରାଜ୍ୟ ଏବେ ୨୦ ପ୍ରତିଶତ ପଜିଟିଭ୍ ହାରଠୁ ଅଧିକ ରହିଛନ୍ତି। ମହାରାଷ୍ଟ୍ର ସରକାର ରାଜ୍ୟରେ ଲକଡାଉନ ଅବଧିକୁ ଜୁନ୍ ୧ ତାରିଖ ସକାଳ ୭ଟା ଯାଏ ବୃଦ୍ଧି କରିଥିବା ବେଳେ ଏବେ ବିହାର ସରକାର ସମାନ ପଦକ୍ଷେପ ନେଇଛନ୍ତି। ବିହାରରେ ମେ’ ୨୫ ଯାଏ ଲକଡାଉନ ବଳବତ୍ତର ରହିବ। ଏବେ ବିହାରରେ ଲାଗିଥିବା ଲକଡାଉନ ଅବଧି ମେ’ ୧୬ ତାରିଖ ସକାଳେ ଶେଷ ହୋଇଥାଆନ୍ତା। ହେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହାକୁ ଆଉ ୧୦ ଦିନ ବୃଦ୍ଧି କରିଛନ୍ତି। ଦିଲ୍ଲୀରେ ସଂକ୍ରମଣ ହାର ଗଲା ସପ୍ତାହରେ ଅଚାନକ କମିଥିଲେ ମଧ୍ୟ ଓଡ଼ିଶାରେ ତାହା ହୋଇପାରି ନାହିଁ। ଓଡ଼ିଶା ସରକାର ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଆଖିରେ ରଖି କୋଭିଡ୍ ଚିକିତ୍ସା କେନ୍ଦ୍ରର ସଂଖ୍ୟା ବୃଦ୍ଧି କରିବା ସହ ଟିକାକରଣ କାର୍ୟ୍ୟକ୍ରମକୁ ବ୍ୟାପକ କରିଛନ୍ତି। ତେଣ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଓଡିଶା ସରକାର ମଧ୍ୟ ଲକଡାଉନ ଅବଧିକୁ ମେ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି ।