ଦିଲ୍ଲୀରେ ଓମିକ୍ରନ ଭୟ, ମେଟ୍ରୋରେ ଲାଗିଲା ଲମ୍ବା ଲାଇନ୍
ଓମିକ୍ରନ ଓ କୋଭିଡ ବିପଦ ବଢିବା ପରେ ଦିଲ୍ଲୀରେ ବଢିଛି କଟକଣା । ୫୦ ପ୍ରତିଶତ ତଥା ଅଧା ଯାତ୍ରୀରେ ମେଟ୍ରୋ ଟ୍ରେନ ଚାଲିବାକୁ ଥିବା ବେଳେ ଛିଡା ହୋଇ ଯାତ୍ରାକୁ ନିଷିଦ୍ଧ କରାଯାଇଛି। ଦିଲ୍ଲୀ ବିପର୍ୟ୍ୟୟ ପ୍ରଶାସନ କର୍ତ୍ତୃପକ୍ଷ ବା ଡିଡିଏମଏର ନିର୍ଦ୍ଦେଶ କ୍ରମେ ଏହି ନିଷ୍ପତ୍ତି କାର୍ୟ୍ୟକାରୀ କରାଯାଇଛି। ହେଲେ ଷ୍ଟେସନରେ ଲୋକଙ୍କ ଗହଳି । ମେଟ୍ରୋରେ ଯାତ୍ରା କରିବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ । ମେଟ୍ରୋ ଟ୍ରେନରେ ଗୋଟିଏ ସିଟ୍ ଛାଡି ଗୋଟିଏରେ ଯାତ୍ରୀ ବସିଥିବାର ଦେଖିବାକୁ ମିଳିଛି ।
ବୁଧବାର ସକାଳେ ଲୋକମାନେ ଅଫିସ ଯିବା ଲାଗି ମେଟ୍ରୋରେ ପହଞ୍ଚିଥିଲେ। କିନ୍ତୁ କଟକଣା ପାଇଁ ସେମାନଙ୍କୁ ଲମ୍ବା ଲମ୍ବା ଲାଇନରେ ଛିଡା ହେବାକୁ ପଡିଥିଲା । ଦୀର୍ଘ ସମୟ ଧାଡିରେ ଛିଡା ହୋଇ ଅତିଷ୍ଠ ହୋଇଉଠିଥିଲେ ଯାତ୍ରୀ । ଏହି ଅବସରରେ କିଛି ଯାତ୍ରୀ କଟକଣା ବଦଳରେ ସରକାର ମେଟ୍ରୋ ସେବା ପୂରା ବନ୍ଦ କରିଦେବା ଉଚିତ୍ ବୋଲି କହିଥିଲେ । ସରକାର ଅବ୍ୟବସ୍ଥାର ଚରମ ନିଦର୍ଶନ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ନିୟମ କରିବା ପୂର୍ବରୁ କୌଣସି ଆନୁସଙ୍ଗିକ ବ୍ୟବସ୍ଥା କରିନଥିବା ଅଭିଯୋଗ ହୋଇଛି । ମେଟ୍ରୋରେ ଯିବାରେ ଅସୁବିଧା ହେଉଥିବାରୁ ଅନେକ ଲୋକ ବସ୍ରେ ଯିବା ପାଇଁ ଷ୍ଟାଣ୍ଡକୁ ଆସୁଛନ୍ତି । ହେଲେ ବସ୍ରେ ଯିବା ପାଇଁ ଲୋକଙ୍କ ଅସମ୍ଭାଳ ଭିଡ । ଠେଲା ପେଲା ହୋଇ ବସ୍ ଭିତରକୁ ଯିବା ପାଇଁ ଉଦ୍ୟମ କରୁଛନ୍ତି ଯାତ୍ରୀ ।
ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସହରରେ ୟେଲୋ ଆଲର୍ଟ ଜାରି କରିଛନ୍ତି। ଏହି ଆଲର୍ଟ ଅନୁସାରେ ସହରରେ ସ୍କୁଲ, କଲେଜ, ସିନେମା ଓ ଜିମ୍ ଆଦି ବନ୍ଦ ରହିବ। ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ବା ଡିଏମଆରସି ନେଟଓ୍ବର୍କର ବର୍ତ୍ତମାନ ସୀମା ରହିଛି ୩୯୨ କିଲୋମିଟର ଏବଂ ୨୮୬ଟି ମେଟ୍ରୋ ଷ୍ଟେସନ ରହିଛି ।