ଆଜି ବାତ୍ୟା ରୂପ ନେବ ଅବପାତ!
ଆଜି ବାତ୍ୟା ରୂପ ନେବ ଅବପାତ । ଆଉ ୨୪ ଘଣ୍ଟାରେ ବାତ୍ୟା ରୂପ ନେବ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ। ବାତ୍ୟା କେଉଁଠାରେ ସ୍ଥଳଭାଗ ଛୁଇଁବ, ସେ ସଂକ୍ରାନ୍ତରେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିନାହିଁ । ସମ୍ଭାବ୍ୟ ବାତ୍ୟା ସ୍ଥଳ ଭାଗ ଛୁଇଁବା ନେଇ ଏବେ ବି ଦ୍ବନ୍ଦ୍ବ ରହିଛି । । ଏହା ଧୀରେଧୀରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବ ଓ ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ ବା ବାତ୍ୟା ରୂପ ନେବ । ୪ ତାରିଖ ସକାଳୁ ଏହା ସ୍ଥଳ ଭାଗ ମୁହାଁ ହେବା ବେଳକୁ ଦୁର୍ବଳ ହୋଇଯିବ । ଫଳରେ ଓଡ଼ିଶାରେ ପବନର ବେଗ କମ୍ ରହିବ। କିନ୍ତୁ ଏହି ବାତ୍ୟା ଅଧିକ ବର୍ଷା ଆଣୁଥିବାରୁ ସମଗ୍ର ଉପକୂଳ ସମେତ ସଂଲଗ୍ନ ଅଞ୍ଚଳରେ ୪ ଓ ୫ ତାରିଖ ପ୍ରବଳ ବର୍ଷିବ।
ବାତ୍ୟା ପ୍ରଭାବରେ ଆଜି ସଂଧ୍ୟାରୁ ବର୍ଷା ଆରମ୍ଭ ହୋଇଯିବ। କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷିବା ସହ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସଂଧ୍ୟାରୁ ପ୍ରବଳରୁ ଅତିପ୍ରବଳ ବର୍ଷିବା ଆରମ୍ଭ ହୋଇଯିବ । ୪ ତାରିଖ ଦିନ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ। ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ଅତିରୁ ଅତିପ୍ରବଳ ବର୍ଷିବ । ଏପରିକି ସେଠାରେ ୨୦୦ ମିମିରୁ ଅଧିକ ବର୍ଷିବ ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି । ଏଥିସହ ଏହି ୪ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦ୍ରାପଡ଼ା, କଟକ, ଖୋର୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର ଓ ମାଲକାନଗିରି ଆଦି ଜିଲ୍ଲାରେ ମଧ୍ୟ କିଛି କିଛି ସ୍ଥାନରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆସନ୍ତା ୫ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, ପୁରୀ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜିଠାରୁ ଡିସେମ୍ବର ୫ ତାରିଖ ପର୍ୟ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି। ୩ ତାରିଖ ସକାଳେ ସମୁଦ୍ର ଭିତରେ ପବନର ବେଗ ଘଣ୍ଟା ପ୍ରତି ୬୫ରୁ ୭୫ କିମି ଓ ସ୍ଥଳ ବିଶେଷରେ ୮୫ କିମି ଛୁଇଁପାରେ । ୪ ତାରିଖ ସକାଳ ସୁଦ୍ଧା ଉତ୍ତର ପଶ୍ଚିମ ଏବଂ ତତ୍ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ଏବଂ ସ୍ଥଳ ବିଶେଷରେ ଝଟକା ପବନ ୧୧୦ କିମି ପର୍ୟ୍ୟନ୍ତ ବୋହିବ ବୋଲି ଆକଳନ କରାଯାଇଛି। ଅପରାହ୍ଣରୁ ରାତି ୧୨ଟା ପର୍ୟ୍ୟନ୍ତ ଉତ୍ତର ଆନ୍ଧ୍ରପ୍ରଦେଶ-ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗ ସହିତ ଝଟକା ପବନର ବେଗ ୯୦ କିମି ଉପରେ ରହିବାର ସମ୍ଭାବନା ରହିଛି।